ନୂଆଦିଲ୍ଲୀ: ଇଂଲଣ୍ଡର ମହାନ ବ୍ୟାଟର ଜୋ ରୁଟ୍ ଟେଷ୍ଟ କ୍ରିକେଟରେ ଏକ ବିରାଟ ରେକର୍ଡ ନିଜ ନାମରେ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ସେ ନିଜ କ୍ୟାରିୟରର ୧୪,୦୦୦ ଟେଷ୍ଟ ରନ୍ ସମ୍ପୂର୍ଣ୍ଣ କରିଛନ୍ତି। ଏହି ମାଇଲଖୁଣ୍ଟ ଛୁଇଁବା ସହ ସେ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ଟେଷ୍ଟ କ୍ରିକେଟରେ ସବୁଠାରୁ ବଡ଼ ସ୍କୋରିଂ ରେକର୍ଡ ଭାଙ୍ଗିବା ଦିଗରେ ଅଗ୍ରସର ହେଉଛନ୍ତି।  ମ୍ୟାଚରେ ପ୍ରଥମ ଇନିଂସରେ ରୁଟ୍ ୪୬ ରନ୍ କରି ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିବା ବେଳେ ଦ୍ୱିତୀୟ ଇନିଂସରେ ସେ ଚମତ୍କାର ବ୍ୟାଟିଂ କରି ନିଜର ଅର୍ଦ୍ଧଶତକ ପୂରଣ କରିଛନ୍ତି।

୧୪ ହଜାର ରନ କରିବାରେ ବିଶ୍ୱର ଦ୍ୱିତୀୟ ବ୍ୟାଟର

ଜୋ ରୁଟ୍ ହେଉଛନ୍ତି ବିଶ୍ୱର ମାତ୍ର ଦ୍ୱିତୀୟ ବ୍ୟାଟର, ଯିଏ ଟେଷ୍ଟ କ୍ରିକେଟ୍ ଇତିହାସରେ ୧୪,୦୦୦ ରନ୍ର ଅତିକ୍ରମ କରିଛନ୍ତି। ତାଙ୍କ ପୂର୍ବରୁ କେବଳ ଭାରତର ସଚିନ ତେନ୍ଦୁଲକର ହିଁ ଏହି ସଫଳତା ପାଇଥିଲେ। ବର୍ତ୍ତମାନ ଟେଷ୍ଟରେ ସବୁଠାରୁ ଅଧିକ ରନ୍ ସଂଗ୍ରହକାରୀ ତାଲିକାରେ ରୁଟ୍ ଦ୍ୱିତୀୟ ସ୍ଥାନକୁ ସୁଦୃଢ଼ କରିଛନ୍ତି। ଏହି ତାଲିକାରେ ତୃତୀୟ ସ୍ଥାନରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ (୨୮୭ ଇନିଂସରେ ୧୩,୩୭୮ ରନ୍) ରହିଛନ୍ତି।

Also Read: ଶ୍ରୀଲଙ୍କାରେ ଫ୍ଲପ୍ ଶୋ’; ୧୫ ବର୍ଷୀୟ ବୈଭବଙ୍କ ଭବିଷ୍ୟତ ସ୍ଥିର କରିବ ଫାଇନାଲ ମ୍ୟାଚ୍ !

ସଚିନଙ୍କ ରେକର୍ଡଠାରୁ ଆଉ କେତେ ରନ୍ ପଛରେ ଅଛନ୍ତି ରୁଟ୍ ?

ଶେଷ ସୂଚନା ମିଳିବା ସୁଦ୍ଧା, ଜୋ ରୁଟ୍ ମଇଦାନରେ ୫୪ ରନ୍ କରି ଅପରାଜିତ ଅଛନ୍ତି ଏବଂ ତାଙ୍କର ମୋଟ ଟେଷ୍ଟ ରନ୍ ସଂଖ୍ୟା ୧୪,୦୪୯ରେ ପହଞ୍ଚିଛି। ଏହା ରୁଟ୍ଙ୍କ କ୍ୟାରିୟରର ୧୬୫ତମ ଟେଷ୍ଟ ମ୍ୟାଚ୍ ଏବଂ ୩୦୨ତମ ଇନିଂସ ଅଟେ। ସେ ଏହି ଫର୍ମାଟରେ ଏପର୍ଯ୍ୟନ୍ତ ୪୧ଟି ଶତକ ହାସଲ କରିସାରିଛନ୍ତି ଏବଂ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ହେଉଛି ୨୬୨ ରନ୍।

ଅନ୍ୟପଟେ, ସଚିନ ତେନ୍ଦୁଲକର ନିଜ ଆନ୍ତର୍ଜାତୀୟ କ୍ୟାରିୟରରେ ମୋଟ ୨୦୦ଟି ଟେଷ୍ଟ ମ୍ୟାଚ୍ ଖେଳି ୩୨୯ଟି ଇନିଂସରେ ୧୫,୯୨୧ ରନ୍ ସଂଗ୍ରହ କରିଛନ୍ତି। ସଚିନ ଟେଷ୍ଟରେ ୫୧ଟି ଶତକ ଏବଂ ୬୮ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ବିଶ୍ୱର ସେ ଏକମାତ୍ର ବ୍ୟାଟର ଯିଏ ଟେଷ୍ଟରେ ୫୦ରୁ ଅଧିକ ଶତକ ମାରିଛନ୍ତି। ବର୍ତ୍ତମାନର ସ୍କୋର ଅନୁଯାୟୀ, ଜୋ ରୁଟ୍ ଟେଷ୍ଟ ରନ୍ ମାମଲାରେ ସଚିନ ତେନ୍ଦୁଲକରଙ୍କଠାରୁ ୧,୮୭୨ ରନ୍ ପଛରେ ଅଛନ୍ତି। ୩୫ ବର୍ଷୀୟ ରୁଟଙ୍କ ପାଖରେ ଏବେ ମଧ୍ୟ ୨ରୁ ୩ ବର୍ଷ ଆରାମରେ ଟେଷ୍ଟ କ୍ରିକେଟ୍ ଖେଳିବାର ସମୟ ରହିଛି। ଯେଉଁଭଳି ଭାବେ ସେ ଫର୍ମରେ ଅଛନ୍ତି, ଖୁବଶୀଘ୍ର ସେ ସଚିନଙ୍କର ଏହି ମହାନ ବିଶ୍ୱ ରେକର୍ଡକୁ ଭାଙ୍ଗି ନୂଆ ଇତିହାସ ରଚିବେ ବୋଲି କ୍ରିକେଟ୍ ବିଶେଷଜ୍ଞ କହିଛନ୍ତି।