ନୂଆଦିଲ୍ଲୀ: ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବା ଭାରତରେ ୧୦ ଟ୍ରିଲିୟନ ୟେନ ବା ପ୍ରାୟ ୬ ଲକ୍ଷ କୋଟି ଟଙ୍କା ନିବେଶ କରିବାକୁ ଯୋଜନା କରିଛନ୍ତି। ଯାହାର ଉଦ୍ଦେଶ୍ୟ ହେଉଛି ଆଗାମୀ ୧୦ ବର୍ଷ ମଧ୍ୟରେ ଭାରତ ଓ ଜାପାନ ମଧ୍ୟରେ ବାଣିଜ୍ୟି ସମ୍ପର୍କକୁ ସୁଦୃଢ଼ କରିବା। ନିକ୍କେଇ ଏସିଆରେ ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ତମ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଆସନ୍ତା ଅଗଷ୍ଟ ୨୯-୩୦ ତାରିଖରେ ଜାପାନ ଗସ୍ତରେ ଯାଉଛନ୍ତି। ଆଉ ଏହି ଅବସରରେ ହିଁ ଶିଗେରୁ ଇଶିବା ପିଏମ୍ ମୋଦୀଙ୍କୁ ନିବେଶ ବିଷୟରେ କହିପାରନ୍ତି। ସୂଚନାଥାଉକି, ୧୫ ତମ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଦୁଇ ଦେଶର ପ୍ରଧାନମନ୍ତ୍ରୀ ୧୭ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ସୁରକ୍ଷା ସହଯୋଗ ଉପରେ ମିଳିତ ଘୋଷଣାପତ୍ର ସଂଶୋଧନ କରିବେ।
ତେବେ ଜାପାନର ନିବେଶ ଭାରତର ମୋବିଲିଟି, ପରିବେଶ ଏବଂ ଔଷଧ ଭଳି ୮ଟି କ୍ଷେତ୍ର ପାଇଁ ଖୁବ୍ ଗୁରୁତ୍ବପୂର୍ଣ୍ଣ ହୋଇପାରେ। ରିପୋର୍ଟ ଅନୁଯାୟୀ, ଏହି ନିବେଶ ବିଶେଷ କରି ଜାପାନିଜ୍ କମ୍ପାନୀଗୁଡ଼ିକୁ ଭାରତରେ କୃତ୍ରିମ ବୁଦ୍ଧିମତ୍ତା (AI) ଏବଂ ସେମିକଣ୍ଡକ୍ଟର କ୍ଷେତ୍ରରେ ବିସ୍ତାର କରିବାରେ ସାହାଯ୍ୟ କରିବ। ଭାରତୀୟ ବିଶେଷଜ୍ଞ ଇଞ୍ଜିନିୟରମାନେ ଏହି କମ୍ପାନୀଗୁଡ଼ିକରେ ଚାକିରି ପାଇବେ। ଦୁଇ ଦେଶ ମଧ୍ୟରେ AI କର୍ପୋରେସନ ଇନିସିଏଟିଭ ନାମକ ଏକ ଚୁକ୍ତି ହେବ। ଏହା ଅଧୀନରେ ଯୁବ ବିଶେଷଜ୍ଞଙ୍କ ମଧ୍ୟରେ ତଥ୍ୟ ଆଦାନପ୍ରଦାନ ହୋଇପାରିବ।
ଗସ୍ତ ସମୟରେ ଶନିବାର ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଇଶିବା ଟୋକିଓ ଇଲେକ୍ଟ୍ରୋନ୍ ନାମକ ଏକ ଜାପାନିଜ୍ ଚିପ୍ ନିର୍ମାଣକାରୀ କମ୍ପାନୀର କାରଖାନା ପରିଦର୍ଶନ କରିବେ। ଏହା ମାଧ୍ୟମରେ ଜାପାନ ନିଜର ବୈଷୟିକ ଶକ୍ତି ପ୍ରଦର୍ଶନ କରିବାକୁ ଚାହୁଁଛି। ଜାପାନ ଭାରତୀୟ ଷ୍ଟାର୍ଟଅପ୍ଗୁଡ଼ିକୁ ମଧ୍ୟ ପ୍ରୋତ୍ସାହିତ କରିବାକୁ ଯୋଜନା କରୁଛି । ଏଦିଗରେ କାମ ମଧ୍ୟ ଆରମ୍ କରିସାରିଛି। ଜାପାନ ଇଣ୍ଟରନ୍ୟାସନାଲ୍ କୋଅପରେସନ୍ ଏଜେନ୍ସି (JICA) ତେଲେଙ୍ଗାନାର କିଛି ଷ୍ଟାର୍ଟଅପ୍କୁ ଋଣ ଦେଇସାରିଛି। ଏହା ସହ ଜାପାନ ଭାରତୀୟ ବିଶେଷଜ୍ଞଙ୍କୁ ସେଠାରେ ନିଯୁକ୍ତି କରିବା ଉପରେ ବି ଧ୍ୟାନ ଦେଉଛି। ଜାପାନକୁ ୨୦୩୦ ସୁଦ୍ଧା ପ୍ରାୟ ୭.୯ ଲକ୍ଷ ବିଶେଷଜ୍ଞ କର୍ମଚାରୀଙ୍କ ଆବଶ୍ୟକତା ପଡ଼ିବ, ଆଉ ଭାରତ ପ୍ରତିବର୍ଷ ପ୍ରାୟ ୧୫ ଲକ୍ଷ ଇଞ୍ଜିନିୟରିଂ ଗ୍ରାଜୁଏଟ୍ ପାସ୍ ହେଉଛନ୍ତି। ଗତ ୫ ବର୍ଷ ମଧ୍ୟରେ, ପ୍ରାୟ ୨୫ ହଜାର ଭାରତୀୟ ବିଶେଷଜ୍ଞ ଜାପାନ ଯାଇଛନ୍ତି। ଯେଉଁଠାରେ ସେମାନେ କାମ କରିଛନ୍ତି କିମ୍ବା ପାଠପଢ଼ା ଏବଂ ତାଲିମ ସମାପ୍ତ କରିଛନ୍ତି।
ସେହିଭଳି ଜାପାନର ନର୍ସିଂ କମ୍ପାନୀ ସୋମ୍ପୋ କେୟାର ଭାରତରେ ଏକ ତାଲିମ କେନ୍ଦ୍ର ଖୋଲିଛି ଏବଂ ୨୦୨୪ରୁ ଭାରତୀୟ କର୍ମଚାରୀଙ୍କୁ ନିଯୁକ୍ତି ଦେବା ଆରମ୍ଭ କରିଛି। ସେକିଶୋ (ଶକ୍ତି କମ୍ପାନୀ) ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଜାପାନୀ କମ୍ପାନୀଗୁଡ଼ିକ ସହିତ ଯୋଡ଼ିବା ପାଇଁ କାମ କରୁଛି। ଏହି କମ୍ପାନୀ ଜାପାନୀ ଭାଷା ଶିକ୍ଷା ଏବଂ ଚାକିରି ନିଯୁକ୍ତିରେ ମଧ୍ୟ ସାହାଯ୍ୟ କରିବ। ସାମଗ୍ରିକ ଭାବରେ, ଜାପାନର ଏହି ନିବେଶ କେବଳ ଭାରତର ଅର୍ଥନୀତିକୁ ବୃଦ୍ଧି କରିବ ନାହିଁ ବରଂ ଭାରତୀୟ ଇଞ୍ଜିନିୟର ଏବଂ ଯୁବକମାନଙ୍କ ପାଇଁ ବ୍ୟାପକ ନିଯୁକ୍ତି ଏବଂ ନୂତନ ସୁଯୋଗ ଆଣିବ।