ମୁଁ ଜିଲାପି... ମୁଁ ଭାରତୀୟ ନୁହେଁ... ମୋ ବିଷୟରେ ଆସନ୍ତୁ ଜାଣିବା

Published By : Prameya-News7 Bureau | August 01, 2025 IST

ଭୁବନେଶ୍ୱର:   ମୁଁ ଜିଲାପି... ମୋ ନାଁ ଶୁଣିଲେ ସମସ୍ତଙ୍କ ପାଟିରୁ ଲାଳ ବୁହେ...  ମୋ ନାଁ  ଯେମିତି ସୁନ୍ଦର...ମୋ ଲୁକ୍ ସେମିତି ଗୋଲ ଗୋଲ ରଙ୍ଗ ବେରଙ୍ଗୀ... ସ୍ୱାଦ କଥା ତ ଜମା ପଚାରନି....ସେ କଥା ତ ସମସ୍ତଙ୍କୁ ଜଣା...  ହେ ମୋତେ ଭାରି ଖରାପ ନାଗୁଛି ମୋ ନିଜ ପ୍ରଶଂସା ମୁଁ ନିଜେ ଆଉ କଣ କରିବି। ଏହି ବର୍ଷା ପାଗରେ ଟିକେ ମନେ ପକାଇଲେ ଗରମା ଗରମ  ସିରା ବୁଡ଼ିଥିବା ଜିଲାପି କଥା... ମନେ ପଡ଼ିଲେ ପାଟି ବି ମିଠା ହୋଇଯାଉଥିବ। ମୁଁ ଜୋର ଦେଇ କହିପାରିବି ଏମିତି କେହି ନଥିବେ ଯିଏ ମୋର ଦିୱାନା ନଥିବେ।  ଭାରତରେ ମୋତେ  ଖାଇବାର ସଉକ ସମସ୍ତେ ରଖନ୍ତି।  କିନ୍ତୁ ଜାଣିଛନ୍ତି ନା ନାହିଁ  ମୁଁ ଭାରତୀୟ ନୁହେଁ ମ...।   ଆଶ୍ଚର୍ଯ୍ୟ ହୁଅନ୍ତୁନି। ଇତିହାସର ପୃଷ୍ଠା ଓଲଟାନ୍ତୁ ଜାଣିବାକୁ ପାଇବେ ଯେ, ମୁଁ ଭାରତର ନୁହେଁ ପଶ୍ଚିମ ଏସିଆର। ଚାଲନ୍ତୁ ମୋ ବିଷୟରେ ଅଧିକ କିଛି ଜାଣିବା। 

ଜିଲାପିର ଇତିହାସ ପଶ୍ଚିମ ଏସିଆ ସହିତ ଜଡ଼ିତ। ଐତିହାସିକମାନେ ମତ ଦିଅନ୍ତି ଯେ, ପଶ୍ଚିମ ଏସିଆର ସବୁଠାରୁ ପୁରାତନ ଉଲ୍ଲେଖ ଦଶମ ଶତାବ୍ଦୀର ଏକ ଆରବୀ ରୋଷେଇ ପୁସ୍ତକ 'କିତାବ୍ ଅଲ୍-ତାବିଖ୍'ରେ ଏହି ଶବ୍ଦ ମିଳିଛି। ଏଥିରେ "ଜଲାବିୟା" ନାମକ ଏକ ମିଠା ତିଆରି କରିବାର ବିଧି ବର୍ଣ୍ଣନା ହୋଇଛି । ତେବେ ଆରବ ଶବ୍ଦ "ଜଲାବିୟା" ଶବ୍ଦରୁ ହିଁ "ଜିଲାପି" ଶବ୍ଦର ଉତ୍ପତ୍ତି ହୋଇଛି ବୋଲି  ବିଶ୍ୱାସ କରାଯାଉଛି । ଏହି ମିଠା ସେତେବେଳେ ପର୍ସିଆ ବା ଇରାନଏବଂ ଅନ୍ୟ ଆରବ ଦେଶମାନଙ୍କରେ ରମଜାନ ଏବଂ ଅନ୍ୟ ପର୍ବପର୍ବାଣି ସମୟରେ ଖୁବ୍ ଲୋକପ୍ରିୟ ଥିଲା । ଏହା ସେଠାରେ 'ଜୁଲବିୟା' ବା 'ଜଲିବିୟା' ନାମରେ ପରିଚିତ। ଜିଲାପିକୁ ପ୍ରଥମ ଥର ପଶ୍ଚିମ ଏସିଆର ଇରାନରେ ତିଆରି କରାଯାଇଥିଲା।   ଏବ ପ୍ରଶ୍ନ ଉଠୁଛି ଯେ,  ଜିଲାପି ଭାରତକୁ କେମିତି ଆସିଲା।

ମଧ୍ୟଯୁଗରେ, ପର୍ସିଆନ୍ ଏବଂ ତୁର୍କୀ ବଣିକ, କାରିଗର ଏବଂ ଆକ୍ରମଣକାରୀମାନେ ଯେତେବେଳେ ଭାରତକୁ ଆସିଲେ ସେମାନେ ନିଜ ସାଙ୍ଗରେ ନିଜର ସଂସ୍କୃତି, ପରମ୍ପରା ଏବଂ ଖାଦ୍ୟପେୟ ମଧ୍ୟ ଆଣିଥିଲେ। ଏହିପରି ଭାବେ "ଜଲାବିୟା" ଭାରତରେ ପହଞ୍ଚିଲା । ଆଉ ସମୟକ୍ରମେ ଏହାର ନାଁ "ଜିଲାପି" ହୋଇଥିଲା। ଯଦିଓ କିଛି ଲୋକଙ୍କ ମାନ୍ୟତା  ଜିଲାପୀ  ଭାରତୀୟ ମିଠା। ଆଉ ଏହାର ପୁରୁଣା ନାଁ  କଣ୍ଡଲିକା କିମ୍ବା ଜଲ ଭଲ୍ଲିକା। ପ୍ରାଚୀନ ବହିରେ ଏହାର ଆଲୋଚନା କରାଯାଇଛି। ଜିଲାପି ରସରେ ଭର୍ତ୍ତି ରସିଲି ହୋଇଥାଏ।  ସେଥିପାଇଁ   ଏହାର  ନାଁ ଜଲ-ଭଲ୍ଲିକା ରହିଲା। ଆଉ ଧିରେ ଧିରେ  ଏହାର ନାମକରଣ ଜିଲାପି ହେଲା। ଜିଲାପି ଭିନ୍ନ ଭିନ୍ନ ଦେଶରେ ଅଲଗା ଅଲଗା ନାଁରେ ଜଣା ଯାଇଥାଏ। ଲେବନାନରେ ଏହାକୁ ଜଲେବିୟା। ସେଠାରେ ଏହାର ଆକାର ଲମ୍ବ। ଇରାନରେ  ଜଲେବିକୁ ଜୁଲୁବିୟା,  ଟ୍ୟୁନିସିୟାରେ  ଜଲାବିୟା ଓ ଅରବରେ ଜଲାବିୟା କୁହାଯାଇଥାଏ।   ଆଫଗାନିସ୍ତାନରେ ଏହାକୁ ମାଛ ସହ ପରସା ଯାଇଥାଏ। ଶ୍ରୀଲଙ୍କାର ଏହାକୁ ପାନି ବଲାଲୁ କୁହାଯାଇଥାଏ।   ସେଠାରେ ଏହାକୁ  ଚାଉଳ, ଅଟାରେ ତିଆରି କରାଯାଇଥାଏ।  ନେପାଳରେ ଏହାକୁ ଜେରି କୁହାଯାଇଥାଏ।  ଭାରତର ଉତ୍ତର ପଶ୍ଚିମରେ ଏହାକୁ ଜଲେବୀ, ମହାରାଷ୍ଟ୍ରରେ ଜିଲବୀ ଓ ବାଂଲାଦେଶରେ ଜିଲାପୀ କୁହାଯାଇଥାଏ। ଉତ୍ତର ଭାରତରେ ଦହି-ଜିଲାପି ଏକ ଲୋକପ୍ରିୟ ଜଳଖିଆ ହୋଇଥିବା ବେଳେ ଗୁଜରାଟରେ ଏହାକୁ ଫାଫଡ଼ା ସହିତ ଖିଆଯାଏ । ସେହିପରି ଓଡ଼ିଶା ସମେତ ପୂର୍ବ ଭାରତରେ ଏହା ପର୍ବପର୍ବାଣି ଏବଂ ମେଳା ମହୋତ୍ସବର ଏହାକୁ ସାମିଲ୍ କରାଯାଇଥାଏ।  

ଏହିପରି ଭାବରେ, ପଶ୍ଚିମ ଏସିଆର 'ଜଲାବିୟା' ଭାରତରେ ପହଞ୍ଚି ଲୋକଙ୍କ ହୃଦୟରେ ପହଞ୍ଚିଥିଲା। ଆଜି ଜିଲାପି କେବଳ ଏକ ମିଠା ନୁହେଁ, ବରଂ ଏହା ଭାରତର ସଂସ୍କୃତି ଏବଂ ଭାରତୀୟଙ୍କ ଇମୋସନ୍ ସହ ଜଡ଼ିତ ହୋଇଗଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.