ପୁରୀ: ଆସନ୍ତା ୩୦ତାରିଖ ଅକ୍ଷୟ ତୃତୀୟା ଦିନ ଦିଘାରେ ପ୍ରତିଷ୍ଠା ହେବ ଜଗନ୍ନାଥ ମନ୍ଦିର । ଆଉ ଏହି ପ୍ରତିଷ୍ଠା କାର୍ଯ୍ୟରେ ପୁରୀ ଶ୍ରୀମନ୍ଦିରର କିଛି ସେବାୟତ ସାମିଲ ହେବା ନେଇ ସୂଚନା ମିଳିଛି । ପୁରୀ ଭଳି ଚଳିତ ଥର ଏଠାରେ ରଥଯାତ୍ରା ହେବ । ଏବଂ ଛେରା ପହଁରା ପାଇଁ ନିଜ ପାଣ୍ଠିରୁ ଟଙ୍କା ଦେଇ ସୁନା ଝାଡ଼ୁ ଦେବେ ବୋଲି ପୂର୍ବରୁ କହିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେପଟେ କିନ୍ତୁ ଆଜି ପୁରୀରେ ସେବାୟତଙ୍କ ପକ୍ଷରୁ ଏନେଇ ବିରୋଧର ସ୍ବର ଦେଖିବାକୁ ମିଳିଛି ।
ଏକ ନିର୍ଦ୍ଦେଶନାମାରେ ସୁଆର ମହାସୁଆର ନିଯୋଗ କହିଛି ଯେଉଁମାନେ ଦିଘା ଜଗନ୍ନାଥ ମନ୍ଦିରରେ ରୋଷ କାର୍ଯ୍ୟରେ ସାମିଲ ହେବେ ସେମାନଙ୍କୁ ସବୁଦିନ ପାଇଁ ଶ୍ରୀମନ୍ଦିରରେ ସେବାରୁ ନିବୃତ୍ତ କରାଯିବ । ସେମାନଙ୍କ ପ୍ରାପ୍ୟ ବନ୍ଦ କରିବା ସହ ବାସନ୍ଦ କରାଯିବ ବୋଲି ଏହି ନିର୍ଦ୍ଦେଶନାମାରେ କୁହାଯାଇଛି । କ’ଣ ରହିଛି ପୂରା ଘଟଣା ଆସନ୍ତୁ ଦେଖିବା।
Also read: ଜାତୀୟ ଉଦ୍ୟାନର ମାନ୍ୟତା ପାଇଲା ଶିମିଳିପାଳ : ରାଜ୍ୟର ଦ୍ବିତୀୟ ଏବଂ ଦେଶର ୧୦୭ତମ ସ୍ଥାନରେ ରହିଛି
ପୁରୀରେ ସୁଆର ମହାସୁଆର ନିଯୋଗର ନିର୍ଦ୍ଦେଶନାମାକୁ ନେଇ ଚର୍ଚ୍ଚା । ଶ୍ରୀମନ୍ଦିର ଚାରିଦ୍ବାର ସମେତ ଶ୍ରୀମନ୍ଦିର ପରିସରରେ ଥିବା ରୋଷ ଘର ସାମ୍ନାରେ ଲାଗିଛି ଏହି ନିର୍ଦ୍ଦେଶନାମା । ଯେଉଁଥିରେ କୁହାଯାଇଛି ଯେ, ଦୀଘାରେ ନୂତନ ଭାବେ ହେଉଥିବା ଶ୍ରୀଜଗନ୍ନାଥ ମନ୍ଦିରର ଉଦ୍ଘାଟନ ଦିନ ସେଠାକାର ରୋଷ କାର୍ଯ୍ୟରେ କୌଣସି ସଭ୍ୟ କିମ୍ବା କର୍ମଚାରୀ ରୋଷ ରନ୍ଧନ କଲେ କିମ୍ବା ସାହାଯ୍ୟ କଲେ, ସମ୍ପୃକ୍ତ ସୁପକାର ସଭ୍ୟଙ୍କୁ ରୋଷ ବାସନ୍ଦ ସହିତ ନିଯୋଗରୁ ବାସନ୍ଦ କରାଯିବ । ଏଥି ସହ କର୍ମଚାରୀମାନଙ୍କୁ ରୋଷ କାର୍ଯ୍ୟରୁ ସବୁଦିନ ପାଇଁ ନିଲମ୍ବିତ କରାଯିବ । ଯଦି ଏହି ନିର୍ଦ୍ଦେଶନାମାକୁ କେହି ଅବମାନନା କରନ୍ତି ତାହେଲେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଆସନ୍ତା ୩୦ ତାରିଖ ଅକ୍ଷୟ ତୃତୀୟା ଦିନ ପଶ୍ଚିମବଙ୍ଗ ଦିଘାରେ ନିର୍ମାଣ ହୋଇଥିବା ନୂଆ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି । ପୁରୀ ଶ୍ରୀମନ୍ଦିର ଶୈଳୀରେ ନିର୍ମାଣ ହୋଇଥିବା ଏହି ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ପୁରୀ ଶ୍ରୀମନ୍ଦିରର କିଛି ସେବାୟତ ସାମିଲ ହେବା ନେଇ ସୂଚନା ମିଳିଛି । ପୁରୀ ଶ୍ରୀମନ୍ଦିର ରିତିନୀତିରେ ଦୀଘା ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ପୂଜାର୍ଚ୍ଚନା ଏବଂ ଚଳିତ ଥର ରଥଯାତ୍ରା କରିବାକୁ ଯୋଜନା ହୋଇଛି । ପୂର୍ବରୁ ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ପାଣ୍ଠିରୁ ସୁନା ଝାଡ଼ୁ ଦେବେ ବୋଲି ଘୋଷଣା କରିଥିଲେ ।
ପ୍ରାୟ ୨୨ ଏକର ଜାଗାରେ ୨୫୦କୋଟି ଟଙ୍କା ବ୍ୟୟରେ ଦୀଘାରେ ଏହି ଜଗନ୍ନାଥ ମନ୍ଦିର ନିର୍ମାଣ କରିଛନ୍ତି ପଶ୍ଚିମବଙ୍ଗ ସରକାର । ମନ୍ଦିରର ପ୍ରତିଷ୍ଠା ଉତ୍ସବକୁ ମହା ଆଡ଼ମ୍ବରରେ ପାଳନ କରିବାକୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଖୋଦ୍ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ଏଥି ପାଇଁ ଦୀଘା ବୋର୍ଡ଼ରୁ ଆରମ୍ଭ କରି ରାମନଗର ପର୍ଯ୍ୟନ୍ତ ପ୍ରତି ୫୦ମିଟର ଦୂରତାରେ LED ବ୍ୟବସ୍ଥା କରାଯାଉଛି ।
ଦୀଘାରେ ପଶ୍ଚିମବଙ୍ଗ ସରକାରଙ୍କ ଜଗନ୍ନାଥ ମନ୍ଦିର ନିର୍ମାଣ ଓ ଏହାର ପ୍ରତିଷ୍ଠା ଉତ୍ସବ ସହ ବିଭିନ୍ନ ବ୍ୟବସ୍ଥା ପଛରେ ପୁରୀ ଶ୍ରୀମନ୍ଦିରର କିଛି ବରିଷ୍ଠ ସେବାୟତଙ୍କ ପ୍ରୋତ୍ସାହନ ରହିଥିବା ଚର୍ଚ୍ଚା ହେଉଛି । ଏମିତିରେ ଯେତେବେଳେ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗର ନିର୍ଦ୍ଦେଶନାମା ସାମ୍ନାକୁ ଆସିଛି ସେତେବେଳେ ଏହି ଚର୍ଚ୍ଚା ଆହୁରି ଜୋର୍ ଧରିଛି ।