ବ୍ରହ୍ମପୁର ୨୫/୪: ଆଚାର ଗୋଦାମରେ ଭୟାବହ ଅଗ୍ନିକାଣ୍ଡ । ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡି ପାଉଁଶ । ନିଆଁ ଲିଭାଇବାକୁ ୩ ଘଣ୍ଟା ନାକେଦମ ହେଲେ ଅଗ୍ନିଶମ କର୍ମଚାରୀ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ । ଶୁକ୍ରବାର ସକାଳୁ ସକାଳୁ ବ୍ରହ୍ମପୁର ବଡ ବଜାର ଥାନା ଅଞ୍ଚଳ ପାଣିଗ୍ରାହୀ ପେଣ୍ଠ ସାହି ନିକଟ ବ୍ରଜରାଜନଗର ପ୍ରଥମ ଲାଇନରେ ହୁରି ପଡିଯାଇଥିଲା । ଭାରତ ଗୋଲ୍ଟ ସ୍ପାଇସ ଗୋଦାମରେ ଗୋଦାମରେ ନିଆଁ ଲାଗିଗଲା । କିଏ କେଉଁଠି ଅଛ ଧାଇଁ ଆସ । ପାଟି ଶୁଣି ଡକାଡକି ହୋଇ ଆଖପାଖ ଲୋକ ଗୋଦାମ ଆଗରେ ରୁଣ୍ଡ ହୋଇ ଯାଇଥିଲେ । ଚାରିଆଡେ ଧୁଆଁମୟ ପରିବେଶ ସୃଷ୍ଟି ହୋଇଥିଲା ।
ଏତେ ଜୋରରେ ନିଆଁ ଜଳୁଥିଲା କେହି ଭିତରକୁ ଯିବାକୁ ସାହସ କରିପାରିନଥିଲେ । ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।ତୁରନ୍ତ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ । ୫ଟି ଟିମ୍ର ୩୦ ଜଣ କର୍ମଚାରୀ ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ କସରତ ପରେ ନିଆଁ ଲିଭାଇବା ସମ୍ଭବ ହୋଇଥିଲା । ଗୋଦାମରେ ବିଭିନ୍ନ ପ୍ରକାର ମସଲା, ଆଚାର ଓ ସସ୍ ପରି ପ୍ରାୟ ୫୦ ଲକ୍ଷ ଟଙ୍କାର ଜିନିଷ ଥିଲା । ନିଆଁରେ ସବୁକିଛି ଜଳି ପାଉଁଶ ହୋଇଯାଇଛି ।
ଗତ ୮ ବର୍ଷ ହେଲା ମୁଁ ଏଠାରେ ବ୍ୟବସାୟ କରୁଛି । ହେଲେ କେବେ ଏମିତି ହୋଇନଥିବା କହିଛନ୍ତି ଗୋଦାମ ମାଲିକ ଅଜୟ ସାହୁ । ତେବେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ସେ ସନ୍ଦେହ କରୁଥିବା କହିଛନ୍ତି । କେଉଁ କାରଣରୁ ଏତେ ବଡ ଅଘଟଣ ଘଟିଲା ତାହା ଜଣାପଡିନି । ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି କହିଛନ୍ତି ଅଗ୍ନିଶମ ଅଧିକାରୀ ଠାକୁର ପ୍ରସାଦ ପାତ୍ର ।