ନବ ଦାସ ହତ୍ୟା, ଝାରସୁଗୁଡା ପରେ ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚ ଟିମ୍, ୨ ଦିନରେ ୫ ଜଣଙ୍କୁ ଜେରା ସୂଚନା

Published By : Prameya-News7 Bureau | April 25, 2025 IST

ବ୍ରହ୍ମପୁର ୨୫/୪: ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା । ଝାରସୁଗୁଡା ପରେ ବ୍ରହ୍ମପୁରରେ ଡେରା ପକାଇଛି କ୍ରାଇମବ୍ରାଞ୍ଚ ଟିମ୍‌। କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସ୍‌ପି ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ବରେ ବୈଦ୍ୟନାଥପୁର ଥାନାରେ କ୍ରାଇମବ୍ରାଞ୍ଚର ୩ଜଣିଆ ଟିମ୍‌ । ଅଭିଯୁକ୍ତ ଗୋପାଳ ଦାସର ବଡଭାଇ,ପୁଅ ଓ ପୁତୁରାକୁ ପଚରାଉଚରା କରିଛନ୍ତି କ୍ରାଇମବ୍ରାଞ୍ଚର ଅଧିକାରୀ । ଗୋପାଳଙ୍କ ଭାଇ ସତ୍ୟନାରାୟଣଙ୍କୁ ବ୍ରହ୍ମପୁର ଟାଉନଥାନାକୁ ଡାକି ଜେରା କରିବା ସହ ବୟାନ ରେକର୍ଡ କରାଯାଇଛି । ସତ୍ୟନାରାୟଣ ଝାରସୁଗୁଡାରେ ହୋଟେଲ କରିଥିଲେ ମଧ୍ୟ ନବ ଦାସ ମର୍ଡର ପୂର୍ବରୁ ହୋଟେଲ ବନ୍ଦ କରି ଝାରସୁଗୁଡା ଛାଡି ଦେଇଥିଲେ । ତେଣୁ ସତ୍ୟନାରାୟଣ ମର୍ଡର ବାବଦରେ ପୂର୍ବରୁ ଖବର ପାଇଥିବା ସନ୍ଦେହ କରାଯାଉଛି । ସେଥିପାଇଁ ତାକୁ ଗୋଡେଇ ତୋଡେଇ ପଚରାଉଚରା କରାଯାଉଛି । ସେହିପରି ଗୋପାଳର ପୁତୁରା ପ୍ରଦୀପ ଦାସ ଓ ପୁଅ ମନୋଜର ମଧ୍ୟ ବୟାନ ରେକର୍ଡ କରାଯାଇଛି । ପୂର୍ବରୁ ଗୋପାଳ ପତ୍ନୀର ବୟାନ ରେକର୍ଡ ହୋଇଥିଲେ ମଧ୍ୟ ପୁଣି ଆଉ ଥରେ ପଚରାଉଚରା କରି ବୟାନ ରେକର୍ଡ କରାଯିବା ନେଇ ସୂଚନା ଦେଇଛି କ୍ରାଇମବ୍ରାଞ୍ଚ ।


ସେପଟେ ଅଭିଯୁକ୍ତ ଗୋପାଳର ମୋବାଇଲ ପୁଣି ଥରେ ଯାଞ୍ଚ ହୋଇଛି । ମର୍ଡରର ୬ ମାସ ପୂର୍ବର କଲ୍‌ ଡିଟେଲ ସଂଗ୍ରହ କରାଯାଇଛି । ଏହି ସମୟ ମଧ୍ୟରେ ଗୋପାଳ ସହ କଥା ହୋଇଥିବା କିଛି ବ୍ୟକ୍ତିଙ୍କ ନମ୍ବର ସନ୍ଦେହ ଘେରକୁ ଆସିଛି । ଏହି ମାମଲାରେ ପୂର୍ବରୁ ମଧ୍ୟ ଗୋପାଳଙ୍କ ଭାଇ,ପୁତୁରା,ପୁଅ ଓ ପତ୍ନୀଙ୍କ ବୟାନ ରେକର୍ଡ କରାଯାଇଥିଲା । ତେବେ ହତ୍ୟାକାଣ୍ଡ ପଛରେ ଲୁଚି ରହିଥିବା ଅନେକ ପ୍ରଶ୍ନ ସେତେବେଳେ ଅଣଦେଖା କରାଯାଇଥିବା ଆଶଙ୍କା ହୋଇଥିଲା । ସେଥିପାଇଁ ତଦନ୍ତକାରୀ ଟିମ୍‌ ଏବେ ପୁଣି ବିଭିନ୍ନ ଦିଗକୁ ନେଇ ଆରମ୍ଭ କରିଦେଇଛନ୍ତି ଛାନ୍‌ଭିନ୍‌ । ୨ ଦିନ ଭିତରେ ୫ଜଣଙ୍କୁ ପଚରାଉଚରା କରିବା ସହ ବୟାନ ରେକର୍ଡ କରିଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ । 


ମାର୍ଚ୍ଚ ୧୯ରେ ନବ ଦାସଙ୍କ ପୁରା ପରିବାର ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଭେଟି ସିବିଆଇ ତଦନ୍ତ ପାଇଁ ଲିଖିତ ଅନୁରୋଧ କରିଥିଲେ । ଲୋକସେବା ଭବନରେ ନବ ଦାସଙ୍କ ପତ୍ନୀ ମୀନତି ଦାସ, ଝିଅ ଦିପାଳି ଓ ପୁଅ ବିଶାଳ ଦାସ ପ୍ରାୟ ଦେଢ ଘଣ୍ଟା ଧରି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ପ୍ରକୃତ ଦୋଷୀକୁ ଧରାଯାଇ ଆଇନ ଅନୁଯାୟୀ ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ କରାଯିବ ବୋଲି ଭରସା ଦେଇଥିଲେ ମୁଖ୍ୟମନ୍ତ୍ରୀ । 

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ୟା ଭିତରେ ୨ ବର୍ଷରୁ ଅଧିକ ହେଲାଣି । ୨୦୨୩ ଜାନୁଆରୀ ୨୯ ତାରିଖରେ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଗାନ୍ଧି ଛକରେ ଦିନ ପ୍ରାୟ ସାଢେ ୧୧ଟା ବେଳେ ନବ ଦାସଙ୍କ ଉପରକୁ ଗୁଳିମାଡ ହୋଇଥିଲା । ପ୍ରଥମେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଂକଟାପନ୍ନ ହେବାରୁ ଏୟାରଲିଫ୍ଟ କରି ଭୁବନେଶ୍ବର ଆପୋଲୋ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଝାରସୁଗୁଡାରେ ହିଁ ନବ ଦାସଙ୍କ  ମୃତ୍ୟୁ ହୋଇୟାଇଥିବା ନେଇ ସଂଗୀନ ଅଭିଯୋଗ ଆଣିଥିଲେ ବିଜେପି ନେତା ଜୟନାରାୟଣ ମିଶ୍ର । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.