ନୂଆଦିଲ୍ଲୀ: ଭାରତ ଉପରେ ଆମେରିକା ଲଗାଇଥିବା ଶୁଳ୍କକୁ ରବିବାର ପୁଣିଥରେ ନିନ୍ଦା କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର। ଆମ ଉପରେ ଲଗାଯାଇଥିବା ଶୁଳ୍କ ସମ୍ପୂର୍ଣ୍ଣ ଅନ୍ୟାୟ ବୋଲି ସେ କହିଛନ୍ତି। ଏଥିସହିତ ଭାରତ ଆମେରିକା ସହିତ ଥିବା ସମସ୍ୟାର ସମାଧାନ ହେବା ଉଚିତ, ଓ ଭାରତ ଏ ଦିଗରେ ଚେଷ୍ଟା ଜାରି ରଖିଛି ବୋଲି ଜୟଶଙ୍କର କହିଛନ୍ତି।
କୌଟିଲ୍ୟ ଇକୋନୋମିକ କନକ୍ଲେଭ୍ (KEC 2025)ରେ ଯୋଗ ଦେଇ ଜୟଶଙ୍କର କହିଛନ୍ତି, "ଆଜି ଆମର ଆମେରିକା ସହିତ ସମସ୍ୟା ଅଛି। ମୁଖ୍ୟତଃ ଆମେ ଆମର ବାଣିଜ୍ୟ ଆଲୋଚନାରେ ଏପର୍ଯ୍ୟନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍କର୍ଷରେ ପହଞ୍ଚିପାରି ନାହୁଁ। ତେବେ ଆମ ଉପରେ କିଛି ଶୁଳ୍କ ଲାଗୁ କରିଛି, ଯାହାକୁ ଆମେ ସାର୍ବଜନୀନ ଭାବରେ ଅନ୍ୟାୟ ବୋଲି କହିଛୁ।"
ସୂଚନା ଥାଉକି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ଆମଦାନୀ ଉପରେ ୨୫% ଓ ଋଷ ଠାରୁ ତେଲ କିଣୁଥିବାରୁ ଆଉ ୨୫% ଶୁଳ୍କ ଲଗାଇଛନ୍ତି। ଫଳରେ ଭାରତ ଉପରେ ମୋଟ ୫୦% ଶୁଳ୍କ ଲାଗୁ ହୋଇଛି। ଏହା ବାଦ୍ ଅନ୍ୟାନ୍ୟ କ୍ଷେତ୍ରର ପୂର୍ବରୁ ଲାଗିଥିବା ଶୁଳ୍କ ମଧ୍ୟ ରହିଛି। ଭାରତକୁ ଟାର୍ଗେଟ୍ କରି ଆମେରିକା ଏପରି କରିଛି।
ଆମେରିକା ଓ ଭାରତ ସମ୍ପର୍କକୁ ନେଇ ଜୟଶଙ୍କର କହିଛନ୍ତି “ରୁଷରୁ ଶକ୍ତି ଇନ୍ଧନ କିଣୁଥିବାରୁ ଦ୍ୱିତୀୟ ଶୁଳ୍କ ଲଗାଯାଇଛି, ହେଲେ ଅନ୍ୟ ଦେଶମାନେ, ଯେଉଁମାନେ ରୁଷ ସହିତ ଅଧିକ ପ୍ରତିକୂଳ ସମ୍ପର୍କ ରଖିଛନ୍ତି, ସେମାନେ ମଧ୍ୟ ଇନ୍ଧନ କିଣୁଛନ୍ତି। ତେଣୁ ଏହି ସମସ୍ୟାଗୁଡ଼ିକର ସମାଧାନ ହେବା ଆବଶ୍ୟକ। ଏବଂ ଆମେ ସେଗୁଡ଼ିକ ଉପରେ ସକ୍ରିୟ ଭାବରେ କାର୍ଯ୍ୟ କରୁଛୁ।
ଭାରତ ଆମେରିକା ସହିତ ବାଣିଜ୍ୟ ପାଇଁ ୫ ଥର ଆଲୋଚନା କରି ସାରିଛି। ଶେଷଥର ଆଲୋଚନା ସେପ୍ଟେମ୍ବର ଶେଷରେ ହୋଇଥିଲା। ତେବେ ଆମେରିକା ବ୍ୟବସାୟରେ ଆମ ଟାଣିଥିବା ସୀମା ରେଖାକୁ ସମ୍ମାନ ଦେବା ଆବଶ୍ୟକ ବୋଲି ଜୟଶଙ୍କର କହିଛନ୍ତି।