ଇସ୍ରାଏଲର ଆକ୍ରମଣରେ ୪ ସାମ୍ୱାଦିକଙ୍କ ମୃତ୍ୟୁ , ସାରା ବିଶ୍ୱ କଲା ନିନ୍ଦା

Published By : Prameya-News7 Bureau | August 25, 2025 IST

ନୂଆଦିଲ୍ଲୀ – ପାଲେଷ୍ଟାଇନ୍‌ରେ ଇସ୍ରାଏଲ ଆଜି (୨୫ ଅଗଷ୍ଟ) ବଡ଼ ଆକ୍ରମଣ କରିଛି। ଗାଜାରେ ହୋଇଥିବା ଏହି ଆକ୍ରମଣରେ ନାସିର ମେଡିକାଲ କମ୍ପ୍ଲେକ୍ସକୁ ଟାର୍ଗେଟ୍‌ କରାଯାଇ ଥିଲା। ଏହି ଆକ୍ରମଣରେ ୪ଜଣ ସାମ୍ୱାଦିକଙ୍କ ସମେତ ମୋଟ ୧୪ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଏଥିରୁ ଜଣେ ସାମ୍ୱାଦିକ ଅଲ୍ ଜଜିରା ସହ ଜଡ଼ିତ ଥିବା କୁହାଯାଉଛି। କତାରର ଟିଭି ଚ୍ୟାନେଲ ମଧ୍ୟ ଏହା ସ୍ପଷ୍ଟ କରିଛି। ନାସିର ହସ୍ପିଟାଲ ପକ୍ଷରୁ ଜାରି ବୟାନରେ ମଧ୍ୟ ଏହାର ସୂଚନା ଦିଆ ଯାଇଛି। ଏହି ଅନୁସାରେ, ଆକ୍ରମଣରେ ମୋଟ ୧୪ ଜଣ ଲୋକଙ୍କ ମୃତ୍ୟୁ ହୋଇଛି, ଯେଉଁଥିରେ ଅନେକ ସାମ୍ୱାଦିକ ସାମିଲ ଅଛନ୍ତି। ଏହା ବ୍ୟତୀତ ବହୁ ସଂଖ୍ୟାରେ ଲୋକ ଆହତ ମଧ୍ୟ ହୋଇଛନ୍ତି। ମୃତକ ସାମ୍ୱାଦିକଙ୍କ ମଧ୍ୟରେ ଅଲ୍ ଜଜିରାର କ୍ୟାମେରାମ୍ୟାନ୍ ମୋହମ୍ମଦ ସଲାମ ମଧ୍ୟ ସଂପୃକ୍ତ ଅଛନ୍ତି।

ଏହା ବ୍ୟତୀତ ରୟଟର୍ସ ପାଇଁ କାମ କରୁଥିବା ହୁସମ ଅଲ-ମାସରୀ ସାମିଲ ଅଛନ୍ତି। ଏପି ସହ ଜଡ଼ିତ ମରିୟମ ଅବୁ ଡଗାଙ୍କର ମଧ୍ୟ ମୃତ୍ୟୁ ହୋଇଛି। କେବଳ ଏତିକି ନୁହେଁ ଜଣେ ଫ୍ରିଲାନ୍ସ ସାମ୍ୱାଦିକଙ୍କର ମଧ୍ୟ ମୃତ୍ୟୁ ହେବାର ଖବର ରହିଛି। ଗାଜାର ସିଭିଲ ଡିଫେନ୍ସ ସଙ୍ଗଠନର କହିବାନୁସାରେ, ତାଙ୍କର ଜଣେ କ୍ରୁ ମେମ୍ୱରଙ୍କର ମଧ୍ୟ ଏହି ଆକ୍ରମଣରେ ମୃତ୍ୟୁ ହୋଇ ଥିଲା। ହସ୍ପିଟାଲ ପ୍ରଶାସନର କହିବାନୁସାରେ , ଇସ୍ରାଏଲର ପ୍ରଥମ ଆକ୍ରମଣରେ ୪ର୍ଥ ମହଲାକୁ ଟାର୍ଗେଟ୍‌ କରା ଯାଇଥିଲା। ଏହାର କିଛି ସମୟ ପରେ ପୁଣି ଆଟାକ୍‌ ହେଲା। ଏଥିରେ ଦ୍ୱିତୀୟ ମହଲାକୁ ଟାର୍ଗେଟ୍‌ କରାଗଲା। କେବଳ ଏତିକି ନୁହେଁ ଆକ୍ରମଣରେ ଆମ୍ୱୁଲାନ୍ସ ଓ ଏମର୍ଜେନ୍ସି ସୁବିଧାକୁ ମଧ୍ୟ କ୍ଷତି ହୋଇଛି।

ଇସ୍ରାଏଲର ଏହି ହମଲାରେ ସାରା ଦୁନିଆରେ ନିନ୍ଦା ହେଉଛି। କିଛି ଦିନ ପୂର୍ବେ ମଧ୍ୟ ଇସ୍ରାଏଲ ପକ୍ଷରୁ ଏମିତି ହିଁ ଏକ ହମଲା ହୋଇଥିଲା, ଯେଉଁଥିରେ ଅନେକ ସାମ୍ୱାଦିକ ମରି ଯାଇ ଥିଲେ। ଅନ୍ୟପଟେ ଇସ୍ରାଏଲ ଅଭିଯୋଗ କରିଥିଲା ଯେ,ଯେଉଁ ଅଲ ଜଜିରାର ସାମ୍ୱାଦିକଙ୍କ ମୃତ୍ୟୁର କଥା କୁହାଯାଉଛି, ସେ ହମାସ ପାଇଁ କାମ କରୁଥିଲେ ଏବଂ ସେଠାରୁ ଦରମା ମଧ୍ୟ ନେଉଥିଲେ। ବର୍ତ୍ତମାନ ଇସ୍ରାଏଲୀୟ ସେନା ପକ୍ଷରୁ ଉକ୍ତ ହମଲାକୁ ନେଇ କୌଣସି ପ୍ରତିକ୍ରିୟା ଆସି ନାହିଁ। ଇସ୍ରାଏଲର ଆକ୍ରମଣ ପରେ ହସ୍ପିଟାଲର ପୂରା ବିଲ୍ଡିଂରେ ହିଁ ଆତଙ୍କ ଖେଳି ଯାଇଛି ଏବଂ ଚାରିଆଡ଼େ ଧୂଆଁମୟ ହୋଇ ଯାଇଛି।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.