ଜେରୁଜେଲମ: ଗାଜା, ଲେବାନନ ଓ ସିରିଆ ପରେ ଏବେ ୟେମେନ ଉପରେ ଭୟଙ୍କର ଆକ୍ରମଣ କଲା ଇସ୍ରାଏଲ୍। ରବିବାର ଦ୍ୱିପ୍ରହରରେ ୟମନ ରାଜଜଧାନୀ ସନାରେ ଘାତକ ଆକ୍ରମଣ କରିଛି ଇସ୍ରାଏଲ୍। ଏହି ଆକ୍ରମଣରେ ରାଷ୍ଟ୍ରପତି ଭବନ ଓ ମିଶାଇଲ୍ ଭଣ୍ଡାରକୁ ଟାର୍ଗେଟ୍ କରାଯାଇଛି। ପାଲେଷ୍ଟାଇନ୍କୁ ଦେଶର ମାନ୍ୟତା ଦେବାକୁ ଦାବିକୁ ବିରୋଧ କରି ଇସ୍ରାଏଲ୍ ଏହି ଆକ୍ରମଣ କରିଛି ବୋଲି କୁହାଯାଉଛି। ଇସ୍ରାଏଲ୍ର ନେକ୍ଟ ଟାର୍ଗେଟ୍ ଏବେ ଇରାନ ହୋଇପାରେ ବୋଲି କୁହାଯାଉଛି।
ସେପ୍ଟେମ୍ବରରେ ପାଲେଷ୍ଟାଇନକୁ ମାନ୍ୟତା ଦେବା ପାଇଁ ଅନେକ ପାଶ୍ଚାତ୍ୟ ଦେଶଙ୍କ ଘୋଷଣାକୁ ଇସ୍ରାଏଲ ଅଟକାଇବାକୁ ଚାହୁଁଛି। ଏଥିପାଇଁ ସେ ଦରକାର ପଡ଼ିଲେ ଇରାନକୁ ବି ଟାର୍ଗେଟ୍ କରିପାରେ ବୋଲି କୁହାଯାଉଛି। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ସାନାର ମଧ୍ୟଭାଗରେ ଥିବା ଏକ ପୌର ଭବନରେ ବିମାନ ଆକ୍ରମଣ ହୋଇଛି। ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି। ୟମନର ବନ୍ଦର ସହର ହୋଦେଇଦାରେ ମଧ୍ୟ ସମାନ ଆକ୍ରମଣ ହୋଇଛି।
ଶୁକ୍ରବାର ହୁତି ବିଦ୍ରୋହୀ ଇସ୍ରାଏଲୀକୁ ଟାର୍ଗେଟ୍ କରି କ୍ଷେପଣାସ୍ତ୍ର ମାଡ଼ କରିଥିଲେ। ଯାହାର ଜବାବ ଦେଇ ରବିବାର ରାଜଧାନୀ ସାନାକୁ ଆକ୍ରମଣ କରିଛି ଇସ୍ରାଏଲ। ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ହୁତି ଶୁକ୍ରବାର ନିକ୍ଷେପ କରିଥିବା କ୍ଷେପଣାସ୍ତ୍ରରେ ଏକ କ୍ଲଷ୍ଟର ୱାରହେଡ୍ ଥିଲା। ପ୍ରଥମ ଥର ହୁତି ବିଦ୍ରୋହୀମାନେ ଇସ୍ରାଏଲ୍ ବିରୁଦ୍ଧରେ ଏଭଳି ଅସ୍ତ୍ର ବ୍ୟବାହର କରିଛନ୍ତି।
୭ ଅକ୍ଟୋବର, ୨୦୨୩ରେ ଗାଜାରେ ଇସ୍ରାଏଲ-ହମାସ ଯୁଦ୍ଧ ଆରମ୍ଭ ହେବା ପରଠାରୁ, ହୁତି ବିଦ୍ରୋହୀମାନେ ଇସ୍ରାଏଲ ଉପରେ ବାରମ୍ବାର କ୍ଷେପଣାସ୍ତ୍ର ଏବଂ ଡ୍ରୋନ ମାଡ଼ କରି ଆସୁଛନ୍ତି। ସେମାନେ ପାଲେଷ୍ଟାଇନର ସମର୍ଥନରେ କାର୍ଯ୍ୟ କରୁଛନ୍ତି। ଏହି ଆକ୍ରମଣଗୁଡ଼ିକ ମଧ୍ୟରୁ ଅଧିକାଂଶକୁ ପ୍ରତିହତ କରାଯାଇଛି।