ମୁଙ୍ଗେର ୨।୧୧: କିଛି ସମୟ ପୂର୍ବରୁ ବିହାର ବିଧାନ ସଭା ନିର୍ବାଚନରେ ସବୁଠୁ ଗରୀବ ପ୍ରାର୍ଥୀଙ୍କ ସମ୍ପର୍କରେ ଆମେ ଆଲୋଚନା କରିଥିଲେ। ଏବେ ଆସନ୍ତୁ ଜାଣିବା ବିହାର ନିର୍ବାଚନରେ ସବୁଠୁ ଧନୀ ପ୍ରାର୍ଥୀ କିଏ ଓ କେଉଁଦଳରୁ ଲଢୁଛନ୍ତି ନିର୍ବାଚନ? ଏମିତିରେ ବିହାର ରାଜନୈତିକ ମୈଦାନରେ ଦିଗ୍ଗଜଙ୍କ ଦୀର୍ଘ ତାଲିକା ରହିଛି। ହେଲେ ଏହି ତାଲିକାରୁ ଟିକେ ବାହାରେ ହେଉଛନ୍ତି କୁମାର ପ୍ରଣୟ। ସେ ମୁଙ୍ଗେର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ତାଙ୍କୁ ଟିକେଟ୍ ଦେଇଛି। ବିନା ଅପରାଧିକ ରେକର୍ଡର ସଫା ସୁତୁରା ଛବିରେ କୁମାର ପ୍ରଣୟ ବିହାରର ସବୁଠୁ ଧନୀ ପ୍ରାର୍ଥୀ। ତାଙ୍କ ମୋଟ ସମ୍ପତ୍ତିର ପରିମାଣ ୨୫୨.୮୨ କୋଟି ଟଙ୍କା।

ବିହାର ମୁଙ୍ଗେରରୁ ନିୟମିତ ବିଜେପି ପ୍ରାର୍ଥୀ ହୋଇ ଆସୁଥିବା ନେତାଙ୍କ ଟିକେଟ୍ ଦଳ ଏଥର କାଟି ଦେଇଛି। ତାଙ୍କ ସ୍ଥାନରେ କୁମାର ପ୍ରଣୟଙ୍କୁ ପ୍ରାର୍ଥୀ କରିଛି। ପ୍ରଣୟଙ୍କ ସମ୍ପତ୍ତି ସୂଚୀ ଏବେ ସବୁ ନେତାଙ୍କୁ ଆଚମ୍ବିତ କରିଛି। ନିର୍ବାଚନ ସତ୍ୟପାଠ ଅନୁସାରେ କୁମାର ପ୍ରଣୟଙ୍କ ମୋଟ ସମ୍ପତ୍ତିର ପରିମାଣ ୨୫୨.୮୨ କୋଟି ଟଙ୍କା। ଏଥିରୁ ୮୩.୩୫ କୋଟି ଟଙ୍କା ଚଳନ୍ତି ସମ୍ପତ୍ତି ହୋଇଥିବା ବେଳେ ତାଙ୍କ ଅଚଳ ସମ୍ପତ୍ତି ଯେପରିକି ଭୂମି, ଭବନ,କୃଷି ଭୂମି ଓ ଅନ୍ୟ ସମ୍ପତ୍ତିର ବଜାର ମୂଲ୍ୟ  ୧୬୯.୪୭ କୋଟି ଟଙ୍କା। ଚଳ ଓ ଅଚଳ ସମ୍ପତ୍ତି ମିସାଇ ଦେଲେ ତାଙ୍କ ମୋଟ ସମ୍ପତ୍ତି ପରିମାଣ ୨୫୨.୮୨ କୋଟି ଟଙ୍କା ହେଉଛି।

ଗୋଟିଏ ପଟେ କୁମାର ପ୍ରଣୟ ତାଙ୍କ ସମ୍ପତ୍ତି ପାଇଁ ଚର୍ଚ୍ଚାରେ ଥିବା ବେଳେ ତାଙ୍କ ଅପରାଧିକ ପୃଷ୍ଠ ଭୂମି ‘ଶୁନ’ ରହିଛି। ସେ ଦାଖଲ କରିଥିବା ପ୍ରାର୍ଥୀପତ୍ରରେ ତାଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ଲମ୍ବିତ ନଥିବା ସ୍ପଷ୍ଟ କରିଥିବା ବେଳେ କୌଣସି ମାମଲାରେ ସେ କେବେ ଦୋଷୀ ହୋଇ ନଥିବା ଉଲ୍ଲେଖ କରିଛନ୍ତି। ମୋଟ ଉପରେ ତାଙ୍କ ବିରୋଧରେ କୌଣସିଠାରେ ଅଭିଯୋଗଟିଏ ମଧ୍ୟ ନାହିଁ। ସଫାସୁତୁରା ଛବି ଓ ଏତେ ବିଶାଳ ସମ୍ପତ୍ତି ତାଙ୍କୁ ମୁଙ୍ଗେର ବିଧାନସଭା ନିର୍ବାଚନ ମଣ୍ଡଳିରେ ଜଣେ ଜେଣ୍ଟଲମ୍ୟାନ ପ୍ରାର୍ଥୀ ଭାବେ ଦେଖା ଯାଉଛି।