ନୂଆଦିଲ୍ଲୀ : ଇରାନର ରାଷ୍ଟ୍ରପତି ମସୁଦ ପେଜେସ୍କିୟନ ଏକ ବଡ଼ ବୟାନ ଦେଇଛନ୍ତି। ରବିବାର ତେହରାନରେ ଘୋଷଣା କରିଛନ୍ତି ଯେ, ଆମେରିକୀୟ ଆକ୍ରମଣରେ ଧ୍ୱଂସ ହୋଇ ସାରିଥିବା ଦେଶର ପରମାଣୁ ପ୍ଲାଣ୍ଟଗୁଡ଼ିକୁ ପୁନଃନିର୍ମାଣ କରାଯିବ। ସେ କହିଛନ୍ତି ଯେ, ଏହା ମଧ୍ୟ ପୂର୍ବ ଅପେକ୍ଷା ବହୁତ ଶକ୍ତିଶାଳୀ ଭାବେ ଗଠନ ହେବ। ସେ ସ୍ପଷ୍ଟ କରିଛନ୍ତି ଯେ, ଇରାନର ଲକ୍ଷ୍ୟ ପରମାଣୁ ଅସ୍ତ୍ର ବିକଶିତ କରିବା ନୁହେଁ, ବରଂ ଜନ କଲ୍ୟାଣ ଏବଂ ଚିକିତ୍ସା ଗବେଷଣାକୁ ପ୍ରୋତ୍ସାହିତ କରିବା। ଅନ୍ୟପକ୍ଷରେ, ଜଣେ ପୂର୍ବତନ ବରିଷ୍ଠ ନ୍ୟାୟିକ ଅଧିକାରୀ ଦାବି କରିଛନ୍ତି ଯେ ଇରାନ ଦୁଇ ସପ୍ତାହ ମଧ୍ୟରେ ପରମାଣୁ ବୋମା ବିକଶିତ କରିପାରେ। "

ପେଜେସ୍କିୟନ ଏହି ବିବୃତ୍ତି ସେତେବେଳେ ଦେଇଛନ୍ତି,ଯେତେବେଳେ ଦେଶର ପରମାଣୁ ଶକ୍ତି ସଂଗଠନ ପରିଦର୍ଶନ କରିଥିଲେ ଏବଂ ସେଠାରେ ବୈଜ୍ଞାନିକମାନଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ସରକାରୀ ମିଡ଼ିଆ ସହିତ କଥାବାର୍ତ୍ତା କରି ସେ କହିଛନ୍ତି, କୋଠା ଘର ଏବଂ କାରଖାନା ଭାଙ୍ଗିବା ଆମକୁ କେବେ ବି ହଇରାଣ କରି ପାରିବ ନାହିଁ। ଆମେ ସେଗୁଡିକୁ ପୁନଃନିର୍ମାଣ କରିବୁ, ଏବଂ ଏଥର ପୂର୍ବ ଅପେକ୍ଷା ଆହୁରି ଶକ୍ତିଶାଳୀ ହେବୁ। ଏପରି କରିବାରୁ ଆମକୁ କେହି ଅଟକାଇ ପାରିବେ ନାହିଁ।"

ଅନ୍ୟପଟେ, ପୂର୍ବତନ ବରିଷ୍ଠ ଇରାନୀ ନ୍ୟାୟିକ ଅଧିକାରୀ ମହମ୍ମଦ-ଜୱାଦ ଲାରିଜାନି ଦାବି କରିଛନ୍ତି ଯେ, ଇରାନ ଦୁଇ ସପ୍ତାହ ମଧ୍ୟରେ ପରମାଣୁ ବୋମା ବିକଶିତ କରିବାର କ୍ଷମତା ରଖୁଛି, କିନ୍ତୁ ତଥାପି ସେ ସେହି ରାସ୍ତାକୁ ବାଛିବାକୁ ମନା କରୁଛି। ଲାରିଜାନି କହିଛନ୍ତି ଯେ, ସର୍ବୋଚ୍ଚ ନେତା ଅଲି ଖାମେନି ପରମାଣୁ ଅସ୍ତ୍ର ବିରୁଦ୍ଧରେ ଏକ ଦୃଢ଼ ଫତୱା ଜାରି କରିଛନ୍ତି, ଯାହା ଶିୟା ନ୍ୟାୟଶାସ୍ତ୍ର ଉପରେ ଆଧାରିତ। ଖାମେନିଙ୍କ ଶୀର୍ଷ ପରାମର୍ଶଦାତା ରହି ସାରିଥିବା ଲାରିଜାନି କହିଛନ୍ତି ଯେ, ସେ ଇରାନର ପରମାଣୁ କାର୍ଯ୍ୟକ୍ରମକୁ ନିବାରକ ଶକ୍ତି ଭାବେ ବିସ୍ତାର କରିବାକୁ ସମର୍ଥନ କରନ୍ତି, କିନ୍ତୁ ଅସ୍ତ୍ରଶସ୍ତ୍ର ତିଆରି କରିବାକୁ ବିରୋଧ କରନ୍ତି।

ସେ ୨୦୧୫ ପରମାଣୁ ଚୁକ୍ତି (JCPOA)କୁ କଡ଼ା ନିନ୍ଦା କରି କହିଛନ୍ତି ଯେ, ଏହାର "କୂଟନୈତିକ ନୀତି" ଇରାନକୁ ସଙ୍କଟ ଭିତରକୁ ଠେଲି ଦେଇଛି। ଲାରିଜାନି ଜୋର ଦେଇ କହିଛନ୍ତି ଯେ, ରିଆତି ବଦଳରେ JCPOAର ଅଧିକାର ନୀତି ଗୋଟିଏ ଅଧିକାରକୁ ଅନ୍ୟ ଏକ ଅଲ୍‌କାର ପାଇବା ପାଇଁ ଛାଡ଼ି ଦେବା ଭଳି।

ଏହି ବିବୃତ୍ତି ସେତେବେଳେ ଆସିଛି , ଯେବେ ଇରାନର ପରମାଣୁ କାର୍ଯ୍ୟକ୍ରମ ଉପରେ ଆନ୍ତର୍ଜାତୀୟ ଯାଞ୍ଚ ତୀବ୍ର ହେଉଛି, ଯେଉଁଠି ଏହାର ୟୁରାନିୟମ ସମୃଦ୍ଧି ସ୍ତର ଏବଂ ଭଣ୍ଡାର ବିଷୟରେ ପ୍ରଶ୍ନ ଉଠାଯାଉଛି।