ନୂଆଦିଲ୍ଲୀ: ଇରାନ ଏବଂ ଆମେରିକା ବିବାଦ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ବିବାଦର ସମାଧାନ ଓ ଶାନ୍ତି ଚୁକ୍ତିକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ଏହି ମେଗା ଡିଲ୍ ଉପରେ ଚୂଡ଼ାନ୍ତ ମୋହର ମାରିବା ପାଇଁ ସେ ହ୍ୱାଇଟ୍ ହାଉସ ଅତି ସୁରକ୍ଷିତ ‘ସିଚୁଏସନ ରୁମ୍’ (Situation Room) ରେ ଏକ ଜରୁରୀକାଳୀନ ବୈଠକ କରିବାକୁ ଯାଉଛନ୍ତି। ଟ୍ରମ୍ପ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ’ (Truth Social) ରେ ଏହି ସୂଚନା ଦେଇଛନ୍ତି। ତେବେ ଏହି ଚୁକ୍ତି ପୂର୍ବରୁ ସେ ଇରାନ ସମ୍ମୁଖରେ ୩ଟି ଅତ୍ୟନ୍ତ କଠୋର ସର୍ତ୍ତ ରଖିଛନ୍ତି, ଯାହାକୁ ଗ୍ରହଣ କରିବା ଇରାନ ପାଇଁ ଏକ ବଡ଼ ଆହ୍ୱାନ ସାବ୍ୟସ୍ତ ହେବ।

ଟ୍ରମ୍ପ ନିଜ ପୋଷ୍ଟରେ ସ୍ପଷ୍ଟ ଭାବେ ଲେଖିଛନ୍ତି, ଇରାନକୁ ଏହା ସ୍ୱୀକାର କରିବାକୁ ହେବ ଯେ ସେ କଦାପି ପରମାଣୁ ଅସ୍ତ୍ର କିମ୍ବା ବୋମା ତିଆରି କରିବ ନାହିଁ। ହର୍ମୁଜ ମାର୍ଗକୁ ତୁରନ୍ତ ଏବଂ ବିନା କୌଣସି ଶୁଳ୍କରେ (Free of charge) ଉଭୟ ଦିଗରୁ ଜାହାଜ ଚଳାଚଳ ପାଇଁ ଖୋଲାଯିବ। ସମୁଦ୍ର ଭିତରେ ଥିବା ସମସ୍ତ ବିସ୍ଫୋରକ ବା ମାଇନ୍ସ (Mines) କୁ ସମ୍ପୂର୍ଣ୍ଣ ରୂପେ ହଟାଯିବ। ଆମେରିକା ଅନେକ ମାଇନ୍ସକୁ ପୂର୍ବରୁ ହିଁ ନଷ୍ଟ କରିସାରିଛି। ଏବେ ଇରାନକୁ ତାର ସୀମା ଭିତରେ ଥିବା ଅଳ୍ପ କିଛି ମାଇନ୍ସକୁ ତୁରନ୍ତ ହଟାଇବାକୁ ପଡ଼ିବ।

ଟ୍ରମ୍ପଙ୍କ କହିବା ଅନୁଯାୟୀ, ଆମେରିକା ନୌସେନା ଦ୍ୱାରା କରାଯାଇଥିବା ଅଭୂତପୂର୍ବ ନାକାବନ୍ଦୀ (Naval Blockade) ଯୋଗୁଁ ହର୍ମୁଜରେ ଫସି ରହିଥିବା ସମସ୍ତ ବ୍ୟବସାୟିକ ଜାହାଜ ଏବେ ନିଜ ନିଜ ଦେଶକୁ ଫେରିବା ପ୍ରକ୍ରିୟା ଆରମ୍ଭ କରିପାରିବେ, କାରଣ ଆମେରିକା ଏହି ପ୍ରତିବନ୍ଧକକୁ ହଟାଉଛି। ପ୍ରାୟ ୧୧ ମାସ ପୂର୍ବରୁ ଆମେରିକାର ଶକ୍ତିଶାଳୀ B-2 ବମ୍ବର (ଭାରୀ ବୋମାବର୍ଷୀ ବିମାନ) ଆକ୍ରମଣ ଯୋଗୁଁ ଇରାନର ପାହାଡ଼ ତଳେ ଦବି ଯାଇଥିବା ୟୁରାନିୟମ ସମୃଦ୍ଧ ସାମଗ୍ରୀକୁ ନଷ୍ଟ କରାଯିବ ବୋଲି ସର୍ତ୍ତ ରଖିଛି ଆମେରିକା । ଆମେରିକା, ଇରାନ ଏବଂ ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି (IAEA) ମିଳିତ ଭାବେ ଏହି ସାମଗ୍ରୀକୁ ବାହାର କରି ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିବେ।

ଟ୍ରମ୍ପ ନିଜର ଶେଷ ସର୍ତ୍ତରେ ସ୍ପଷ୍ଟ କରିଛନ୍ତି ଯେ, ପରବର୍ତ୍ତୀ ସୂଚନା ନମିଳିବା ପର୍ଯ୍ୟନ୍ତ ଇରାନ ସହିତ କୌଣସି ପ୍ରକାରର ଆର୍ଥିକ କାରବାର କିମ୍ବା ଟଙ୍କା ନେଣଦେଣ କରାଯିବ ନାହିଁ। ଅନ୍ୟ କେତେକ ଛୋଟମୋଟ ସାଧାରଣ ବିଷୟ ଉପରେ ପୂର୍ବରୁ ହିଁ ଦୁଇ ଦେଶ ମଧ୍ୟରେ ସହମତି ପ୍ରକାଶ ପାଇସାରିଛି।

ଡୋନାଲ୍ଡ ଟ୍ରମ୍ପ ଏବେ ସିଚୁଏସନ ରୁମରେ ବୈଠକ କରି ଏହି ଡିଲ୍ ଉପରେ ଅନ୍ତିମ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଆମେରିକାର ଏହି ଏକତରଫା ଏବଂ କଠୋର ସର୍ତ୍ତଗୁଡ଼ିକ ଉପରେ ଇରାନର ସର୍ବୋଚ୍ଚ ପ୍ରଶାସନ ଓ ସେନା କିଭଳି ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି, ତାହା ଉପରେ ଏବେ ସମଗ୍ର ବିଶ୍ୱର ନଜର ରହିଛି। ଯଦି ଇରାନ ଏହାକୁ ଗ୍ରହଣ କରେ, ତେବେ ମଧ୍ୟ-ପ୍ରାଚ୍ୟରେ ଏକ ବଡ଼ ଯୁଦ୍ଧ ଟଳିଯିବ।