ଚଣ୍ଡିଗଡ଼ : ହରିୟାଣା ଆଇପିଏସ୍ ଅଧିକାରୀ ୱାଇ. ପୁରନ କୁମାରଙ୍କ ଆତ୍ମହତ୍ୟା ମାମଲା ଏବେ ସରଗରମ ହୋଇଛି। ମାମଲା ଏବେ ପହଞ୍ଚିଛି କୋର୍ଟରେ। ପୋଷ୍ଟମର୍ଟମକୁ ନେଇ ଚାଲିଥିବା ବିବାଦ ମଧ୍ୟରେ, ଚଣ୍ଡିଗଡ଼ ପୋଲିସ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଅଭିଯୋଗ କରିଛି ଯେ, ବିଳମ୍ୱ ଯୋଗୁଁ ପ୍ରମାଣ ଦୁର୍ବଳ ହେଉଛି। ଚଣ୍ଡିଗଡ଼ ପୋଲିସର ଆବେଦନରେ, କୋର୍ଟ ମୃତ ଅଧିକାରୀ ପୁରନଙ୍କ ପରିବାରକୁ ନୋଟିସ୍ ଜାରି କରିଛନ୍ତି।

ମୃତ ଆଇପିଏସ ଅଧିକାରୀଙ୍କ ମୃତଦେହର ପୋଷ୍ଟମର୍ଟମ କରିବା ପାଇଁ ଅନୁମତି ମାଗି ଚଣ୍ଡିଗଡ଼ ପୋଲିସ ଜିଲ୍ଲା କୋର୍ଟରେ ଏକ ଆବେଦନ ଦାଖଲ କରିଛି। କୋର୍ଟ ଆସନ୍ତାକାଲି ଏହି ମାମଲାର ଶୁଣାଣି କରିବେ. କହି ରଖୁଛି ଯେ, ଆତ୍ମହତ୍ୟା ଅଭିଯୋଗର ଆଠ ଦିନ ପରେ ମଧ୍ୟ ପୋଷ୍ଟମର୍ଟମ କି ଅନ୍ତିମ ସଂସ୍କାର କରାଯାଇ ନାହିଁ। ତାଙ୍କ ମୃତଦେହ ବର୍ତ୍ତମାନ ଚଣ୍ଡିଗଡ଼ର ପିଜିଆଇଏମଇଆରରେ ଥିବା ଆଡଭାନ୍ସଡ୍ ଅଟୋପସି ସେଣ୍ଟରରେ ରଖାଯାଇଛି।

କୋର୍ଟରେ ପହଞ୍ଚିବା ପୂର୍ବରୁ ଚଣ୍ଡିଗଡ଼ ପୁଲିସ ମୃତ ଆଇପିଏସ୍ ଅଧିକାରୀଙ୍କ ଆଇଏଏସ ପତ୍ନୀ ଅମନୀତ ପି କୁମାରଙ୍କୁ ଏକ ଅନୁରୋଧ ପତ୍ର ପଠାଇ ଅନୁରୋଧ କରିଥିଲା। ତଦନ୍ତ ପାଇଁ ଜରୁରୀ ହୋଇ ଥିବାରୁ ପିଏମଇ (ପୋଷ୍ଟମର୍ଟମ) ପାଇଁ ମୃତଦେହ ଚିହ୍ନଟ କରିବାକୁ ଆଗେଇ ଆସନ୍ତୁ। କିନ୍ତୁ ଅମନୀତ କୌର ଏହି ମାମଲାରେ ନୀରବତା ଅବଲମ୍ୱନ କରି ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇଥିଲେ ଯେ, ସେ ମାମଲାରେ ଅଭିଯୁକ୍ତ ବରିଷ୍ଠ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ  ନହେବା ପର୍ଯ୍ୟନ୍ତ, ପୋଷ୍ଟମର୍ଟମ କରିବାକୁ ଅନୁମତି ଦେବେ ନାହିଁ। ଏହା ପରେ, ମଙ୍ଗଳବାର ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ରାଜ୍ୟ ସରକାର ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଶତ୍ରୁଜିତ୍ କପୁରଙ୍କୁ ଲମ୍ୱା ଛୁଟିରେ ପଠାଇ ଦେଇଛନ୍ତି।

ଅନ୍ୟପଟେ, ଉକ୍ତ ମାମଲାରେ ସେତେବେଳେ ମୋଡ଼ ନେଇଛି ,ଯେତେବେଳେ ଆଇପିଏସ୍‌ଙ୍କ ଗନମ୍ୟାନଙ୍କ ବିରୋଧରେ ଲାଗିଥିବା ଦାଦାବଟି ଅଭିଯୋଗର ଯାଞ୍ଚ କରୁଥିବା ଜଣେ ASI ନିଜକୁ ଗୁଳ କରି ଆତ୍ମହତ୍ୟା କରିଛନ୍ତି ଏବଂ ସୁଇସାଇଡ ନୋଟରେ ପୁରନ କୁମାରଙ୍କ ଉପରେ ଦୁର୍ନୀତିଗ୍ରସ୍ତ ହେବାର ଅଭିଯୋଗ କରିଛନ୍ତି। ସନ୍ଦୀପ କୁମାର ଲାନାମକ ଏହି ASI ଏକ ଭିଡିଓ କ୍ଲିପ୍ ମଧ୍ୟ ରେକର୍ଡ କରିଥିଲେ, ଯେଉଁଥିରେ ପୁରନ ଦମ୍ପତିଙ୍କ ବିରୁଦ୍ଧରେ ଅନେକ ଅଭିଯୋଗର ଫର୍ଦ୍ଦ ଯୋଡ଼ିଛନ୍ତି। 

କହି ରଖୁଛୁ ଯେ,୨୦୦୧ ବ୍ୟାଚ୍ ଆଇପିଏସ୍ ଅଧିକାରୀ ,୫୨ ବର୍ଷୀୟ ପୂରଣ କୁମାର ଅକ୍ଟୋବର ୭ ତାରିଖରେ ଚଣ୍ଡିଗଡ଼ର ସେକ୍ଟର ୧୧ ସ୍ଥିତ ତାଙ୍କ ବାସଭବନରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ମୃତ୍ୟୁ ପୂର୍ବରୁ ଲେଖାଯାଇଥିବା ଏକ ଆଠ ପୃଷ୍ଠାର ଶେଷ ନୋଟ୍‌ରେ, ପୁରନ କୁମାର ହରିୟାଣା ଡିଜିପି ଶତ୍ରୁଜିତ୍‌ କପୁର ଏବଂ ରୋହତକ ପୂର୍ବତନ ପୋଲିସ ଅଧିକ୍ଷକ ନରେନ୍ଦ୍ର ବିଜାର୍ନିଆଙ୍କ ସମେତ ଆଠ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀ ତାଙ୍କୁ ହଇରାଣ କରିବା ଓ ତାଙ୍କ ଭାବମୂର୍ତ୍ତି ନଷ୍ଟ କରିବାର ଅଭିଯୋଗ କରିଛନ୍ତି। ସେ ନୋଟରେ ଅନ୍ୟ କିଛି ଅକାରୀଙ୍କ ଦ୍ୱାରା ଜାତିଭିତ୍ତିକ ଭେଦଭାବ ସମେତ ଉତ୍ପୀଡ଼ନ ବିଷୟରେ ମଧ୍ୟ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି। ରାଜ୍ୟ ସରକାର ଏହି ମାମଲାର ତଦନ୍ତ ପାଇଁ ଚଣ୍ଡିଗଡ଼ ଆଇଜିଙ୍କ ନେତୃତ୍ୱରେ ଏକ ଏସଆଇଟି ମଧ୍ୟ ଗଠନ କରିଛନ୍ତି