'ଆମେ ଜାଣିଛୁ ତୁମେ କ'ଣ କରୁଛ, ଏବେ ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ': ଇରାନକୁ ଆମେରିକାର ଧମକ

Published By : Prameya-News7 Bureau | May 01, 2025 IST

ନୂଆଦିଲ୍ଲୀ ୦୧/୦୫: ଇରାନ୍‌କୁ ଆମେରିକାର କଡ୍ଡା ଚେତାବନୀ । ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ଇରାନକୁ ଦେଇଛନ୍ତି ଖୋଲାଖୋଲି ଧମକ । ଏକ ବିବୃତ୍ତିରେ, ହେଗସେଥ୍ କହିଛନ୍ତି ଯେ ଆମେରିକା ୟେମେନର ହୁତି ବିଦ୍ରୋହୀଙ୍କୁ ଇରାନ ଦ୍ୱାରା ପ୍ରଦାନ କରାଯାଉଥିବା ଘାତକ ସମର୍ଥନ ଓ ସାହାଯ୍ୟ ବିଷୟରେ ସମ୍ପୂର୍ଣ୍ଣ ଅବଗତ ଅଟେ । ସେ କହିଛନ୍ତି ଯେ ଇରାନକୁ ଏହାର ପରିଣାମ ଭୋଗିବାକୁ ପଡିବ । 

ହେଗସେଥ୍ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଆମେରିକା କେବେ ଓ କେଉଁଠି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ତାହା ନିଜେ ନିଷ୍ପତ୍ତି ନେବ । ହେଗସେଥ୍ କହିଥିଲେ, ଇରାନ ହୁତିଙ୍କୁ ଯେଉଁ ସମର୍ଥନ ଦେଉଛ । ତାହା ବିଷୟରେ ଆମେ ସମ୍ପୂର୍ଣ୍ଣ ଅବଗତ । ଆମେ ଜାଣୁ ତୁମେ କ'ଣ କରୁଛ । ତୁମେ ଭଲଭାବରେ ଜାଣ ଯେ ଆମେରିକୀୟ ସେନା କ'ଣ କରିପାରିବ । ତୁମକୁ ଚେତାବନୀ ଦିଆଯାଇଛି । ଏବେ ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ। 

ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଲାଲ ସାଗର ଅଞ୍ଚଳରେ ହୁତି ବିଦ୍ରୋହୀଙ୍କ ଦ୍ୱାରା ବାଣିଜ୍ୟ ଜାହାଜ ଉପରେ ଆକ୍ରମଣ ବୃଦ୍ଧି ପାଉଛି । ଏହି ଆକ୍ରମଣ ପଛରେ ଇରାନର ରଣନୈତିକ ଓ ସାମରିକ ସମର୍ଥନ ରହିଛି ବୋଲି ଆମେରିକା ଅଭିଯୋଗ କରିଛି । ଆମେରିକାର ଏହି କ୍ରୋଧ ଏକ ସ୍ପଷ୍ଟ ସୂଚକ ଯେ ଏହା ଆଉ କେବଳ ଚେତାବନୀ ଦେବା ମୋଡରେ ନାହିଁ । ବରଂ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଯୋଜନା କରୁଛି। 

ପିଟ୍ ହେଗସେଥ୍ ଙ୍କ ଏହି ବକ୍ତବ୍ୟକୁ ଅନ୍ତର୍ଜାତୀୟ କୂଟନୀତିରେ ଏକ ପରିବର୍ତ୍ତନ ଭାବରେ ଦେଖାଯାଉଛି । ପୂର୍ବରୁ, ଆମେରିକା ଇରାନକୁ ଏହି ଅଞ୍ଚଳରେ ଅସ୍ଥିରତା ସୃଷ୍ଟି କରୁଥିବା ଶକ୍ତିକୁ ସମର୍ଥନ ବନ୍ଦ କରିବାକୁ ଅନେକ ଥର ଚେତାବନୀ ଦେଇଥିଲା । କିନ୍ତୁ ଇରାନର କାର୍ଯ୍ୟକଳାପରେ କୌଣସି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହୋଇନାହିଁ । ଆପଣଙ୍କୁ କହି ରଖୁଛୁ ଯେ ଏହା ପୂର୍ବରୁ ସୋମବାର ଦିନ, ଆମେରିକା ୟେମେନରେ ଆଫ୍ରିକୀୟ ପ୍ରବାସୀମାନଙ୍କ ଅଟକ କେନ୍ଦ୍ର ଉପରେ ଏକ ବଡ଼ ବିମାନ ଆକ୍ରମଣ କରିଥିଲା । ଯେଉଁଥିରେ ୬୮ ଜଣ ପ୍ରବାସୀ ପ୍ରାଣ ହରାଇଥିଲେ।

ବିଶ୍ଳେଷକମାନେ ବିଶ୍ୱାସ କରନ୍ତି ଯେ ଯଦି ଇରାନ ତା'ର ନୀତି ପରିବର୍ତ୍ତନ ନ କରେ, ତେବେ ଆମେରିକାର ସାମରିକ ପ୍ରତିକ୍ରିୟା ଖୁବ୍ ଶୀଘ୍ର ଏକ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନରେ ପରିଣତ ହୋଇପାରେ। ଏହା କେବଳ ପଶ୍ଚିମ ଏସିଆ ନୁହେଁ ବରଂ ବିଶ୍ୱ ଭୂରାଜନୈତିକ ସମୀକରଣକୁ ମଧ୍ୟ ପ୍ରଭାବିତ କରିବ।



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.