୪୦ ହଜାର ଫୁଟ ଉଚ୍ଚରେ ଉଡୁଥିବା ବିମାନରେ ନେଟଓ୍ୱର୍କ ଆସେ କେମିତି ?

Published By : Prameya-News7 Bureau | May 07, 2024 IST

Internet

ନୂଆଦିଲ୍ଲୀ: ଯଦି ଆପଣ ବିମାନରେ ଯାତ୍ରା କରିଛନ୍ତି, କେବେ ଚିନ୍ତା କରିଛନ୍ତି କି ଉଡୁଥିବା ବିମାନରେ ଇଣ୍ଟରନେଟ୍ କାମ କରେ କି? ଆଜିକା ଦିନରେ ପ୍ରାୟତଃ ସବୁ ଏୟାରଲାଇନ୍ସରେ Inflight Wifi ଉପଲବ୍ଧ ରହିଛି। ଏହାଦ୍ୱାରା ୩୦ରୁ ୪୦ ହଜାର ଫୁଟ ଉଚ୍ଚରେ ଉଡୁଥିବା ବିମାନରେ ଇଣ୍ଟରନେଟର ସୁବିଧା ପାଇପାରିବେ। ଏବେ ପ୍ରଶ୍ନ ଏତେ ଉଚ୍ଚରେ ଥିବା ଉଡ଼ାଜାହାଜରେ ନେଟଓ୍ୱର୍କ ଆସେ କେମିତି ? ଆସନ୍ତୁ ଜାଣିବା ଏହି ପ୍ରଶ୍ନର ଉତ୍ତର…

ଏଥିପାଇଁ ଦୁଇଟି ସିଷ୍ଟମ କାମ କରେ। ପ୍ରଥମଟି ହେଲା ଏୟାର ଟୁ ଗ୍ରାଉଣ୍ଡ ସିଷ୍ଟମ ଓ ଦ୍ୱିତୀୟଟି ସାଟେଲାଇଟ୍ ସିଷ୍ଟମ। ଏୟାର ଟୁ ଗ୍ରାଉଣ୍ଡ ସିଷ୍ଟମର ଅର୍ଥ ଗ୍ରାଉଣ୍ଡ ବେସ୍ଡ୍ ସିଷ୍ଟମ। ଏହା ଏପରି ଏକ ସିଷ୍ଟମ, ଯେଉଁଥିରେ ଫୋନରେ ମୋବାଇଲ ଇଣ୍ଟରନେଟ୍ ପରି କାମ କରେ। ଭୂମି ଉପରେ ଥିବା ଟାଓ୍ୱାରରୁ ଆସିଥିବା ସିଗନାଲ, ଉଡାଜାହାଜର ନିମ୍ନଭାଗରେ ଲାଗିଥିବା ଆଣ୍ଟିନା ରିସିଭ୍ କରିଥାଏ। ଏହାକୁ Onboard Serverକୁ  ପଠାଏ। ଏହି ସର୍ଭରରେ ଥିବା ମୋଡେମ୍ ସିଗନାଲ୍କୁ କନଭର୍ଟ କରି ଯାତ୍ରୀଙ୍କୁ Wifiର ସୁବିଧା ଦେଇଥାଏ। ଯଦି ସମୁଦ୍ର କିମ୍ବା ପାହାଡ଼ ଉପରେ ବିମାନ ଉଡୁଥାଏ, ତେବେ ଇଣ୍ଟରନେଟ୍ ସ୍ପିଡ୍ କମିଯାଏ।

ଦ୍ୱିତୀୟଟି ହେଲା ସାଟେଲାଇଟ୍ ବେସ୍ଡ୍ ସିଷ୍ଟମ୍। ଯେଉଁଭଳି ଆଣ୍ଟିନା ବିମାନର ତଳ ଭାଗରେ ରହିଥାଏ, ସେହିପରି ଆଉ ଏକ ଆଣ୍ଟିନା ଉପରଭାଗରେ ରହିଥାଏ। ଏହି ଆଣ୍ଟିନା ପୃଥିବୀ ଚାରିପାଖରେ ବୁଲୁଥିବା ସାଟେଲାଇଟରୁ ସିଗନାଲ ରିସିଭ୍ କରିଥାଏ। ସବୁଠୁ ବଡ଼ କଥା ହେଲା ବିମାନର ଗତି ଯୋଗୁଁ ଏହି ଆଣ୍ଟିନାରେ ସିଗନାଲ ହାସଲ କରିବା ପାଇଁ ସବୁବେଳେ ପୋଜିସନ୍ ନେବାକୁ ପଡେ।  

ଏହି ସାଟେଲାଇଟ୍ ଗ୍ରାଉଣ୍ଡ ଷ୍ଟେସନରୁ ସର୍ଭିସ୍ ପ୍ରୋଭାଇଡର୍କୁ ସଂଯୋଗ କରିଥାଏ। ଏହି ସିଷ୍ଟମ ଜରିଆରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ବା ଏଟିସି ଓ ଉଡାଜାହାଜ ମଧ୍ୟରେ ଯୋଗାଯୋଗ ମଧ୍ୟ ହୋଇଥାଏ। ଆଜି ବି ଟେକ୍ନୋଲୋଜି ଦ୍ରୁତ ଗତିରେ ଆଗଉଛି ସତ। କିନ୍ତୁ ଭୂମି ଉପର ଅପେକ୍ଷା ଅଧିକ ଉଚ୍ଚାରେ ଉଡୁଥିବା ବିମାନରେ ଇଣ୍ଟରନେଟ୍ ସ୍ପିଡ୍ ଧିମା ରହିଥାଏ। ଆଜିକା ଦୁନିଆରେ ସାଟେଲାଇଟ୍ ସିଷ୍ଟମ୍ ଜରିଆରେ ଇଣ୍ଟରନେଟ୍‌ର ସ୍ପିଡ୍ ୧୨ରୁ ୧୫ mbps ପର୍ଯ୍ୟନ୍ତ ରହିଥାଏ। କିନ୍ତୁ ଏହି ସର୍ଭିସ୍ ବହୁତ ମହଙ୍ଗା। କାରଣ ଏଥିରେ ବ୍ୟବହୃତ ଆଣ୍ଟିନା ଓ ଜାହାଜର ବେଗ ଉପରେ ପ୍ରଭାବ ପକାଇଥାଏ। ଯାହାଦ୍ୱାରା ଇନ୍ଧନ ଓ ମେଣ୍ଟେନାନ୍ସ ଖର୍ଚ୍ଚ ମଧ୍ୟ ବଢିଯାଏ। ଏହାର ସିଧାସଳଖ ପ୍ରଭାବ ଗ୍ରାହକଙ୍କ ଟିକେଟ୍ ଉପରେ ପଡିଥାଏ ଅର୍ଥାତ ଅଧିକ ଭଡ଼ା ଦେବାକୁ ପଡେ। 

ବିମାନରେ ପ୍ରଥମଥର ପାଇଁ ବ୍ରଡବ୍ୟାଣ୍ଡ ସୁବିଧା ଗୋଗୋ ନାମକ କମ୍ପାନି ଉପଲବ୍ଧ କରାଇଥିଲା।  ସେତେବେଳେ ଏହି କମ୍ପାନିକୁ ଏୟାରସେଲ ନାମରେ ଥିଲା ଜଣାଶୁଣା । ଏହି କମ୍ପାନି ଭର୍ଜିନ ଆମେରିକା ବିମାନରେ ପ୍ରଥମ ଓ୍ୱାଇଫାଇ ସେବା ଆରମ୍ଭ କରିଥିଲା। ସେତେବେଳେ ଏହାର ଇଣ୍ଟରନେଟ୍ ସ୍ପିଡ୍  0.3 mbps ଥିଲା। ଭବିଷ୍ୟତରେ ଯାତ୍ରୀମାନେ ବିମାନରେ ଭଲ ଇଣ୍ଟରନେଟ୍ କିପରି ପାଇପାରିବେ, ଏନେଇ ଉଦ୍ୟମ ଚାଲିଛି। ଅନେକ ଦେଶରେ ଏହା ଉପରେ ପରୀକ୍ଷଣ କରିବା ଆରମ୍ଭ କଲେଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.