ଜେରୁଜେଲମ ୨।୧୦: ଇସ୍ରାଏଲ ନୌସେନା ଭୂମଧ୍ୟ ସାଗରରେ ଗାଜା ଷ୍ଟ୍ରିପ୍ କୁ ଯାଉଥିବା ମାନବୀୟ ସହାୟତା ଫ୍ଲୋଟିଲାକୁ ଅନ୍ତର୍ଜାତୀୟ ଜଳରେ ଅଟକାଇ ଦେଇଛି। ଏହି କାର୍ଯ୍ୟାନୁଷ୍ଠାନରେ ସ୍ୱିଡେନ ଜଳବାୟୁ କାର୍ଯ୍ୟକର୍ତ୍ତା ଗ୍ରେଟା ଥୁନବର୍ଗଙ୍କ ସମେତ ଶତାଧିକ ଅନ୍ତର୍ଜାତୀୟ କାର୍ଯ୍ୟକର୍ତ୍ତାଙ୍କୁ ଅଟକ ରଖାଯାଇଛି। ଏ ନେଇ ଇସ୍ରାଏଲ ବୈଦେଶିକ ମନ୍ତ୍ରାଳୟ ଏକ ଭିଡିଓ ଜାରି କରିଥିବା ବେଳେ ‘ଗ୍ରେଟା ଓ ତାଙ୍କ ସାଥିମାନେ  ସୁରକ୍ଷିତ ଓ ସୁସ୍ଥ’ ଥିବା କୁହାଯାଇଛି।

ଗ୍ଲୋବାଲ ସ୍ମୁଦ ଫ୍ଲୋଟିଲା ନାମକ ଏହି ଅଭିଯାନରେ ପାଖାପାଖି ୪୫-୫୦ଟି ବୋଟରେ ୫୦୦ରୁ ଅଧିକ କାର୍ଯ୍ୟକର୍ତ୍ତା ଯାତ୍ରା କରୁଥିଲେ। ଏହି ଫ୍ଲୋଟିଲା ସ୍ପେନରୁ ସେପ୍ଟେମ୍ବର ୧ ତାରିଖ ଦିନ ବାହାରି ଥିଲା। ଫ୍ଲୋଟିଲାର ଉଦ୍ଦେଶ୍ୟ ୧୮ବର୍ଷ ପୁରୁଣା ଗାଜା ନୌସୈନା ଘେରାବନ୍ଦୀ ଭାଙ୍ଗି ନିଃସହାୟ ଲୋକଙ୍କ ନିକଟକୁ ଭୋଜନ, ପାଣି, ଔଷଧ ଓ ଅନ୍ୟ ଆବଶ୍ୟକ ସାମଗ୍ରୀ ପହଞ୍ଚାଇବା। କାର୍ଯ୍ୟକର୍ତ୍ତାଙ୍କ ଅନୁସାରେ ଗାଜା ଉପକୂଳରୁ ବୋଟ ଗୁଡିକ ପାଖାପାଖି ୧୩୦ କିଲୋମିଟର ଦୂରରେ ଥିବା ବେଳେ ଇସ୍ରାଏଲୀ ନୌସେନା ବୁଧବାର ଅପରାହ୍ନରେ ଘେରି ଯାଇଥିଲା।

ଫ୍ଲୋଟିଲା ଆୟୋଜକ ଟେଲିଗ୍ରାମରେ ଏକ ବୟାନ ଜାରି କରିଛନ୍ତି। ଏଥିରେ ଇସ୍ରାଏଲୀ ନୌସେନା ପ୍ରଥମେ ଗ୍ରେଟା ଥୁନବର୍ଗ ବସିଥିବା ବୋଟ୍ ଆଲ୍ମାକୁ ରୋକିଥିବା କୁହାଯାଇଛି। ଇସ୍ରାଏଲ ବିଦେଶ ମନ୍ତ୍ରାଳୟ ଏକ୍ସ ରେ ଏକ ପୋଷ୍ଟ ଜାରି କରିଛି। ଯେଉଁଥିରେ ଗ୍ରେଟାଙ୍କୁ ଇସ୍ରାଏଲୀ ନୌସୈନିକଙ୍କ ଗହଣରେ  ତଳେ ବସିଥିବାର ଦେଖାଯାଉଛି। ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଇସ୍ରାଏଲୀ ନୌସେନା ଫ୍ଲୋଟିଲାକୁ ସୁରକ୍ଷିତ ଭାବେ ଅଟକାଇ ଯାତ୍ରୀଙ୍କୁ ଅସ୍କେଲୋନ ପୋର୍ଟକୁ ନିଆଯାଉଛି।

ଏହି ଘଟଣା ଗାଜାରେ ଜାରି ମାନବୀୟ ସଂକଟ କାଳରେ ହୋଇଛି, ଯେଉଁଠି ଜାତିସଂଘ ଓ ଅନ୍ତର୍ଜାତୀୟ ସହାୟତା ଏଜେନ୍ସୀମାନେ ଅନାହାର ମୃତ୍ୟୁ ଓ କୁପୋଷଣ ନେଇ ଚେତାବନୀ  ଜାରିକରିଛନ୍ତି। ତେବେ ଇସ୍ରାଏଲ ଫ୍ଲୋଟିଲାକୁ ଚେତାବନୀ ଦେଇଥିଲା ଯେ ଯଦି କାର୍ଯ୍ୟକର୍ତ୍ତା ବାସ୍ତବରେ ସହାୟତା କରିବାକୁ ଚାହୁଁଛନ୍ତି ତେବେ ଅସ୍କେଲୋନ ପୋର୍ଟରେ ସମସ୍ତ ସାମଗ୍ରୀ ଖାଲି କରନ୍ତୁ। ଯାଞ୍ଚ ପରେ ରିଲିଫ ସାମଗ୍ରୀକୁ ସୁରକ୍ଷିତ ଗାଜା ପହଞ୍ଚାଯିବ। ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ) କହିଛି ଯେ ଏହି ଘେରାବନ୍ଦୀ ଅନ୍ତର୍ଜାତୀୟ ଆଇନ ଅନୁସାରେ ହୋଇଛି।