ନୂଆଦିଲ୍ଲୀ, ୫ |୧୧  : ଆଉ ନାହାନ୍ତି ହିନ୍ଦୁଜା ଗ୍ରୁପର ଚେୟାରମ୍ୟାନ୍ ଗୋପୀଚାନ୍ଦ ପି ହିନ୍ଦୁଜା । ୮୫ ବର୍ଷ ବୟସରେ ସେ ପ୍ରାଣ ହରାଇଛନ୍ତି । ତାଙ୍କୁ ବ୍ରିଟେନର ଆଗ ଧାଡିର ବ୍ୟବସାୟୀଙ୍କ ମଧ୍ୟରେ ଗଣାଯାଉଥିଲା । ତେବେ ଗୋପୀଚାନ୍ଦଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି ।

ବ୍ୟବସାୟୀଙ୍କ ଗହଣରେ ଜିପି ଭାବରେ ପରିଚିତ ଥିଲେ ହିନ୍ଦୁଜା । କିନ୍ତୁ ଗତ କିଛି ଦିନ ଧରି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିଲା । ସେ ଲଣ୍ଡନରଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଶେଷ ସମୟରେ ତାଙ୍କ ନିକଟରେ ପତ୍ନୀ ସୁନୀତା, ଝିଅ ରୀତା ଏବଂ ପୁଅ ଧୀରଜ ଓ ସଞ୍ଜୟ ଉପସ୍ଥିତ ଥିଲେ ।

ମୁମ୍ବାଇର ଜୟ ହିନ୍ଦ କଲେଜରୁ ସ୍ନାତକ ପାସ୍ କରିଥିଲେ ଗୋପୀଚାନ୍ଦ । ଏହାପରେ ଲଣ୍ଡନର ଓ୍ୱେଷ୍ଟ୍ ମିନଷ୍ଟର କଲେଜରୁ ସେ ଆଇନରେ ସମ୍ମାନଜନକ ଡକ୍ଟରେଟ୍ ଓ ରିଚମଣ୍ଡ କଲେଜରୁ ଅର୍ଥନୀତିରେ ଡକ୍ଟରେଟ୍ ଡିଗ୍ରୀ ଗ୍ରହଣ କରିଥିଲେ ।

ହିନ୍ଦୁଜା ସାମ୍ରାଜ୍ୟର ସବୁଠୁ ସଫଳ ବ୍ୟକ୍ତି ଥିଲେ ଗୋପୀଚାନ୍ଦ । ସେ ୧୯୫୯ରେ ନିଜ ପାରିବାରିକ ଉଦ୍ୟୋଗରେ ସାମିଲ ହୋଇଥିଲେ । ଏହାସହ ନିଜ ସଂସ୍ଥାକୁ ବିଶ୍ବ ଦରବାରରେ ନୂଆ ପରିଚୟ ଦେଇଥିଲେ । ସେ ସ୍ବତନ୍ତ୍ର ଭାବେ ବ୍ୟାଙ୍କିଂ, ଆର୍ଥିକ କ୍ଷେତ୍ର, ଗ୍ରୀନ୍ ଏନର୍ଜୀ ଓ ଗଣମାଧ୍ୟମ ଶିଳ୍ପ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ ।

ତାଙ୍କ ସମୟରେ ୧୯୮୪ରେ ଗଲ୍ଫ ଅଏଲ ଓ ଅଶୋକ ଲେ ଲ୍ୟାଣ୍ଡକୁ ହିନ୍ଦୁଜା ଗ୍ରୁପ୍ ଅଧିଗ୍ରହଣ କରିଥିଲା । ଯାହା ସେ ସମୟରେ ଖୁବ୍ ଚର୍ଚ୍ଚାର ବିଷ ପାଲଟିଥିଲା ।  

ମୁମ୍ବାଇରେ କଟିଥିଲା ପିଲାଦିନ

୧୯୪୦ରେ ମୁମ୍ବାଇରେ ଜନ୍ମ ହୋଇଥିଲେ ଜିପି । ତାଙ୍କର ପିଲାଦିନ ମଧ୍ୟ ସ୍ବପ୍ନର ସହରରେ କଟିଥିଲା । ଏହା ପୂର୍ବରୁ ହିନ୍ଦୁଜା ଗ୍ରୁପ୍ ଆରମ୍ଭ ହୋଇ ସାରିଥିଲା । ୧୯୧୪ରେ ତାଙ୍କ ପିତା ପିଡି ହିନ୍ଦୁଜା ଅନୁଷ୍ଠାନକୁ ପ୍ରତିଷ୍ଠା କରିଥିଲେ । ପରେ ସେମାନେ ବ୍ରିଟେନ୍ ଚାଲିଯାଇଥିଲେ । ୧୯୭୦ରେ ଜିପିଙ୍କୁ ବ୍ରିଟେନର ନାଗରିକତ୍ୱ ମିଳିଥିଲା ।

ପରିବାରର ବ୍ୟବସାୟ

ହିନ୍ଦୁଜା ପରିବାରର ସମସ୍ତ ସଦସ୍ୟ ବିଭିନ୍ନ ବ୍ୟବସାୟରେ ସାମିଲ ଅଛନ୍ତି । ମୁଖ୍ୟ ଗ୍ରୁପକୁ ଭାଇ ସମ୍ଭାଳୁଥିବା ବେଳେ ସବୁଠୁ ସାନ ଭାଇ ଅଶୋକ ହିନ୍ଦୁଜା ଭାରତରେ ରହି କାରବାର ସମ୍ବାଳିଥାନ୍ତି ।

ଗୋପୀଚାନ୍ଦଙ୍କ ବ୍ୟବସାୟ ଏବଂ ସମ୍ପତ୍ତି

୨୦୨୩ ମେ ମାସରେ ହିନ୍ଦୁଜା ଗ୍ରୁପର ଚେୟାରମ୍ୟାନ୍ ଭାର ସମ୍ଭାଳିଥିଲେ ଜିପି ହିନ୍ଦୁଜା । ଏହା ପୂର୍ବରୁ ତାଙ୍କ ଭାଇ ଶ୍ରୀଚନ୍ଦ ହିନ୍ଦୁଜା କମ୍ପାନୀର ମୁଖ୍ୟ ରହିଥିଲେ । କିଛି ଦିନ ତଳେ ପ୍ରକଶ ପାଇଥିବା ଟାଇମ୍ସ ଧନୀ ତାଲିକାରେ ତାଙ୍କୁ ସାମିଲ କରାଯାଇଥିଲା । ଏପରିକି ବ୍ରିଟେନର ସବୁଠୁ ଧନି ପରିବାର ଭାବେ  ତାଲିକାରେ ଦର୍ଶାଯାଇଥିଲା । ସେମାନଙ୍କ ମୋଟ୍ ସମ୍ପତ୍ତି ୩୫ ବିଲିୟନ ୟୁରୋ ବା ୩୫ ହଜାର କୋଟି ଟଙ୍କାରୁ ଅଧିକ ବୋଲି ଟାଇମ୍ସ ଦର୍ଶାଇଥିଲା ।