ନୂଆଦିଲ୍ଲୀ ୧।୫: ଭାରତ ସରକାର ଦେଶରେ ରହୁଥିବା ପାକିସ୍ତାନୀ ନାଗରିକଙ୍କୁ ଆଶ୍ୱସ୍ତ କରିଛନ୍ତି। ସେମାନଙ୍କୁ ୱାଘା-ଅଟାରୀ ସୀମା ଦେଇ ନିଜ ଦେଶକୁ ଫେରିଯିବା ପାଇଁ ଦେଇଥିବା ଅନୁମତି ୩୦ ଏପ୍ରିଲର ସମୟ ସୀମାକୁ ସମ୍ପ୍ରସାରଣ କରିଛନ୍ତି। ଏ ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ନୂଆ ଆଦେଶରେ ପିଛିଲା ଆଦେଶକୁ ଆଂଶିକ ସଂଶୋଧନ କରି ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛନ୍ତି। ଏଣୁ ଯେଉଁ ପାକିସ୍ତାନୀ ନାଗରିକ ତରବରିଆ ଭାରତ ଛାଡୁଥିଲେ ସେମାନଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି।
ନୂଆ ସରକାରୀ ଆଦେଶରେ ସ୍ପଷ୍ଟ ରୂପେ କୁହାଯାଇଛି ଯେ ‘ଆଦେଶର ସମୀକ୍ଷା କରାଯାଇଛି ଓ ଆଂଶିକ ସଂଶୋଧନ ସହିତ ଏବେ ଏହି ଆଦେଶ ଦିଆଯାଉଛି ଯେ ପାକିସ୍ତାନୀ ନାଗରିକଙ୍କୁ ଉଚିତ ମଞ୍ଜୁରୀ ସହିତ ଅଟାରୀ ଇଣ୍ଟିଗ୍ରେଟେଡ ଚେକପୋଷ୍ଟ ଦେଇ ଭାରତରୁ ବାହାରିବା ନିମନ୍ତେ ଅନୁମତି ଦିଆଯାଇପାରେ’। ଏବେ ସରକାରଙ୍କ ଏହି ସଂଶୋଧିତ ଆଦେଶ ସେହି ପାକିସ୍ତାନୀ ନାଗରିକଙ୍କ ନିମନ୍ତେ ଆଶ୍ୱସ୍ତି ଆଣିଦେଇଛି ଯେଉଁମାନେ ୩୦ ଏପ୍ରିସ ସୁଦ୍ଧା ଭାରତ ସୀମା ପାର କରିପାରି ନାହାନ୍ତି।
ଏବେ ସେହି ପାକିସ୍ତାନୀ ନାଗରିକମାନେ ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ନିୟମିତ ଅଟାରୀ ବର୍ଡର ଦେଇ ପାକିସ୍ତାନ ଫେରିପାରିବେ। ତେବେ ଏହି ସମୟ ସୀମା କେଉଁ ପର୍ଯ୍ୟନ୍ତ ରହିବ ସେ ନେଇ ଗୃହମନ୍ତ୍ରାଳୟରୁ ସ୍ପଷ୍ଟ ନିର୍ଦ୍ଦେଶ ମିଳି ନାହିଁ। ଏଣୁ ମାମଲାରେ ଗୃହମନ୍ତ୍ରାଳୟଙ୍କ ପରବର୍ତ୍ତି ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି।