ପାକିସ୍ତାନ ଖୋଲିଲା ଅଟାରୀ-ୱାଘା ସୀମା, ଭାରତରୁ ଫେରସ୍ତ ଗଲେ ନାଗରିକ

Published By : Prameya-News7 Bureau | May 02, 2025 IST

ଅଟାରୀ ୨।୫: ପାକିସ୍ତାନ ଶୁକ୍ରବାର ଅଟାରୀ-ୱାଘା ସୀମା ଫାଟକ ଖୋଲିଛି। ଏଣୁ ଭାରତରେ ଫଶି ରହିଥିବା ପାକିସ୍ତାନୀ ନାଗରିକଙ୍କ ଫେରିବା ଏବେ ସୁଗମ ହୋଇଛି। ଇସ୍ଲାମାବାଦ ପକ୍ଷରୁ ଏହି ପଦକ୍ଷେପ ପାଖାପାଖି ୨୪ ଘଣ୍ଟାର ନିରବତା ପରେ ନିଆଯାଇଛି। ଗୁରୁବାର ସୀମା ବନ୍ଦ ଥିଲା ଏଣୁ ଏଣୁ ଅନେକ ପାକିସ୍ତାନୀ ନାଗରିକ ଭାରତୀୟ ସୀମାରେ ଅଟକି ରହିଥିଲେ। ଏହା ପୂର୍ବରୁ ବୁଧବାର ଅଟାରୀ-ୱାଘା ସୀମା ଦେଇ ୧୨୫ ଜଣ ପାକିସ୍ତାନୀ ନାଗରିକ ସ୍ୱଦେଶ ଫେରିଥିଲେ। 

୨୨ ଏପ୍ରିଲ ପହଲଗାମ ଆତଙ୍କୀ ଗୁଳିକାଣ୍ଡ ପରେ ଭାରତ ସରକାର ପାକିସ୍ତାନ ଭିସା ବାତିଲ କରିଦେଇଥିଲେ। ଭାରତ ସରକାରଙ୍କ ଏହି ନିଷ୍ପତ୍ତି ପରେ ସୀମାରେ ସପ୍ତାହେ ପର୍ଯ୍ୟନ୍ତ ହଟଚମଟ ଲାଗି ରହିଥିଲା। ତେବେ ପାକିସ୍ତାନ ସରକାର ୧ ମେରେ ଅଟାରୀ-ୱାଘା ସୀମା ଫାଟକବନ୍ଦ ରଖିଥିଲେ। ଏଣୁ ଅନେକ ପାକିସ୍ତାନୀ ନାଗରିକ ଭାରତ ସୀମାରେ ଅଟକି ରହିଯାଇଥିଲେ। ଏଥିରେ ବୃଦ୍ଧ ଓ ବୃଦ୍ଧା ବିଶେଷ ସମସ୍ୟାରେ ପଡିଥିଲେ। 

ପହଲଗାମ ଘଟଣା ପରେ ପାକିସ୍ତାନ ବିରୋଧରେ ଭାରତ କେତେକ କଡ଼ା କାର୍ଯ୍ୟାନୁଷ୍ଠାନ କରିଛି। ପାକିସ୍ତାନୀ ନାଗରିକଙ୍କ ଭିସା ରଦ୍ଦ କରିବା ସହିତ ସିନ୍ଧୁ ଜଳ ସନ୍ଧି ନିଲମ୍ବନ କରିଦେଇଛି। ଏହା ଛଡା ଭାରତ ପାକିସ୍ତାନ ସଞ୍ଚାଳିତ ସମସ୍ତ ଉଡାଣ ନିମନ୍ତେ ବାୟୁସୀମା ବନ୍ଦ କରା ଯାଇଥିବାବେଳେ ପାକିସ୍ତାନୀ ନାଗରିକଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଉପରେ ମଧ୍ୟ କଟକଣା ଲଗାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.