ଗୌହାଟୀ: ବରସାପରା ଷ୍ଟାଡିୟମରେ ଖେଳା ଯାଉଥିବା ଦ୍ଵିତୀୟ ଟେଷ୍ଟରେ ବ୍ୟାକଫୁଟରେ ଟିମ୍ ଇଣ୍ଡିଆ। ମ୍ୟାଚରେ ସଂପୂର୍ଣ୍ଣ ପ୍ରାଧ୍ୟାନ୍ୟ ବିସ୍ତାର କରିଛି ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା। ଦକ୍ଷିଣ ଆଫ୍ରିକାର ୪୮୯ ରନ ଜବାବରେ ଭାରତୀୟ ଦଳ ପ୍ରଥମ ଇନିଂସରେ ୨୦୧ ରନରେ ଅଲଆଉଟ୍ ହୋଇଛି। ୨୮୮ ରନ ଆଗୁଆ ରହିଥିବା ଦକ୍ଷିଣ ଆଫ୍ରିକା ଫଲୋଅନ ନ ଦେଇ ଦ୍ଵିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଛି। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଦଳ କୌଣସି ଓ୍ଵିକେଟ୍ ନ ହରାଇ ୨୬ ରନ କରିଛି। ରିୟାନ ରିକଲଟନ ୧୩ ରନ ଓ ଆଡନ ମାରକ୍ରମ ୧୨ ରନ କରି ଅପରାଜିତ ଅଛନ୍ତି। ଦଳ ଭାରତଠୁ ୩୧୪ ରନରେ ଅଗ୍ରଣୀ ହାସଲ କରିଛି। ମ୍ୟାଚ୍ ଆହୁରି ଦୁଇ ଦିନ ବାକି ଥିବା ବେଳେ ଦକ୍ଷିଣ ଆଫ୍ରିକାର ପଲ୍ଲା ଭାରି ରହିଛି।