News7 Logo

ଏସିଆ କପରେ ଭାରତର ସବୁଠୁ ବଡ଼ ବିଜୟ, ୟୁଏଇକୁ ୯ ଓ୍ଵିକେଟ୍‌ରେ ହରାଇ ସୂର୍ଯ୍ୟ ବାହିନୀର ଅଭିଯାନ ଆରମ୍ଭ

NEWS7
IND vs UAE

ଦୁବାଇ: ନିଜର ଖ୍ୟାତି ଅନୁରୂପ ଭାରତୀୟ କ୍ରିକେଟ୍ ଦଳ ଏସିଆ କପ୍ ୨୦୨୫ରେ ନିଜର ଅଭିଯାନ ବିଜୟରୁ ଆରମ୍ଭ କରିଛି। ସଂପୂର୍ଣ୍ଣ ଏକତରଫା ମୁକାବିଲାରେ ଭାରତ ୟୁଏଇକୁ ୯ ଓ୍ଵିକେଟ୍‌ରେ ହରାଇଛି। ୟୁଏଇ ଦ୍ଵାରା ଧାର୍ଯ୍ୟ ୫୮ ରନର ବିଜୟ ଲକ୍ଷ୍ୟକୁ ଭାରତ୧ ଓ୍ଵିକେଟ୍ ହରାଇ ମାତ୍ର ୪.୩ ଓଭରରେ ହାସଲ କରି ନେଇଛି। ଏହା ଏସିଆ କପ୍ ଇତିହାସରେ ଭାରତର ସବୁଠୁ ବଡ଼ ବିଜୟ। ମ୍ ଅଭିଷେକ ଶର୍ମା ୩୦ ରନ କରିଥିବା ବେଳେ ଶୁଭମନ ଗିଲ୍ ୨୦ ରନ ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୭ ରନ କରି ଅପରାଜିତ ଥିଲେ। ଭାରତୀୟ ବିଜୟରେ କୁଲଦୀପ ଯାଦବ ଓ ଶିବମ ଦୁବେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଭାରତ ୯୩ ବଲ୍ ବାକି ଥାଇ ମ୍ୟାଚ୍ ଜିତିଥିବା ବେଳେ ବଲ୍ ଦୃଷ୍ଟିରୁ କୌଣସି ପୂର୍ଣ୍ଣ ମାନ୍ୟତା ଦଳ ଦ୍ଵାରା ଦ୍ଵିତୀୟ ବଡ ବିଜୟ। 

୫୮ ରନର ବିଜୟ ଲକ୍ଷ୍ୟ ପିଛା କରିବାକୁ କ୍ରିଜକୁ ଓହ୍ଲାଇଥିବା ଦୁଇ ଓପନର ଅଭିଷେକ ଓ ଶୁଭମନ ଗିଲ୍ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ। ପ୍ରଥମ ବଲରୁ ହିଁ ଅଭିଷେକ ଛକା ମାରି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ଅଭିଷେକ ଓ ଗିଲ୍ ପ୍ରଥମ ଓ୍ଵିକେଟ୍ ପାଇଁ ୪୮ ରନ ଯୋଡ଼ିଥିଲେ। ଅଭିଷେକ ୧୬ ବଲ୍‌ରୁ ୨ ଚୌକା ଓ ୩ ଛକା ସହ ୩୦ ରନ କରିଥିଲେ। ଗିଲ୍ ୯ ବଲରୁ ୨୦ ରନ ଓ ସୂର୍ଯ୍ୟକୁମାର ଯାଦବ ୭ ରନ କରି ଅପରାଜିତ ଥିଲେ।

ୟୁଏଇ ବ୍ୟାଟିଂ

ଏହା ପୂର୍ବରୁ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ। ପିଚ୍‌କୁ ଦେଖି ଭାରତ ଅର୍ଶଦୀପ ସିଂଙ୍କୁ ବସାଇ କୁଲଦୀପ ଯାଦବଙ୍କୁ ଖେଳାଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ୟୁଏଇ  ପ୍ରଥମ ଓ୍ଵିକେଟରେ ୨୬ ରନ କରିଥିଲା। ଅଲିଶାନ ଶରାଫୁ ୧୭ ବଲରୁ ୨୨ ରନର ଚମତ୍କାର ବ୍ୟାଟିଂ କରିଥିଲେ। ତାଙ୍କୁ ବୋଲ୍ଡ କରିଥିଲେ ଯଶପ୍ରୀତ ବୁମରା। ଏହା ପରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା ଦଳ। ଅଧିନାୟକ ମହମ୍ମଦ ଓ୍ଵାସିମ ୧୯ ରନ କରିଥିଲେ। ଏହି ଦୁଇ ବ୍ୟାଟରଙ୍କ ବ୍ୟତୀତ ଅନ୍ୟ ୯ ବ୍ୟାଟର ୫ ରନ ସ୍କୋର ପର୍ଯ୍ୟନ୍ତ ବି ପହଞ୍ଚି ପାରି ନ ଥିଲେ। କୁଲଦୀପ ଯାଦବ ଓ ଶିବମ ଦୁବେ ଚମତ୍କାର ବୋଲିଂ କରି ୟୁଏଇର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିବା ସହ ହାତ ଖୋଲିବାକୁ ସୁଯୋଗ  ଦେଇ ନ ଥିଲେ।ଶେଷରେ ୧୩.୧ ଓଭରରେ ୟୁଏଇ ୫୭ ରନରେ ଅଲଆଉଟ୍ ହୋଇଛି।

ବୋଲିଂରେ କୁଲଦୀପ ଯାଦବ  ମାତ୍ର ୭ ରନ ଦେଇ ୪ ଓ୍ଵିକେଟ୍ ନେଇଛନ୍ତି। ଶିବ ଦୁବେ ୨ ଓଭରରେ ୪ ରନ ଦେଇ ୩ଟି ସଫଳତା ପାଇଛନ୍ତି। ବୁମରା, ଅକ୍ଷର ଓ  ବରୁଣ ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଛି।