ନୂଆଦିଲ୍ଲୀ ୩୦।୪: ଉରୀ ଓ ବାଲାକୋଟ ଷ୍ଟ୍ରାଇକରୁ ପାକିସ୍ତାନ ବୁଦ୍ଧି ଶିଖି ନଥିଲା, ହେଲେ ଏଥର ଭାରତ ଆତଙ୍କବାଦୀଙ୍କ ମାଲିକଙ୍କୁ ଭଲକି ପାନେ ଚଖେଇଛି। ପୂର୍ବରୁ ଭାରତର କାର୍ଯ୍ୟାନୁଷ୍ଠାନ ପ୍ରମାଣ ମାଗୁଥିବା ପାକିସ୍ତାନ ଆଖିକୁ ଏବେ ଭାରତର ୱାଟର ଷ୍ଟ୍ରାଇକ୍ ପ୍ରମାଣ ଜଳଜଳ ହୋଇ ଦିଶୁଛି। ସିୟାଲକୋଟ ନିକଟରେ ଚିନାବ ନଦୀର ଧାର ଶୁଖି ଯାଇଥିବା ଉପଗ୍ରହ ଚିତ୍ରରୁ ସ୍ପଷ୍ଟ ଦେଖି ହେଉଛି। ଭାରତରୁ ପାକିସ୍ତାନକୁ ଯେଉଁ ସିନ୍ଧୁ ଜଳ ସନ୍ଧି ବଳରେ ପାଣି ମିଳୁଥିଲା ପହଲଗାମ ଆକ୍ରମଣ ପରେ ଭାରତ ସେହି ସନ୍ଧିକୁ ଅଗ୍ରାହ୍ୟ କରିଦେଇଛି।
ପାକିସ୍ତାନର ୮୦% ଜଳ ସେଚିତ ଜମି ସିନ୍ଧୁ ନଦୀ ଉପରେ ନିର୍ଭର କରେ। ହେଲେ ଭାରତ ଏହି ସନ୍ଧିକୁ ଅସ୍ୱୀକାର କରିଦେଇଛି। ମାତ୍ର ସପ୍ତାହକ ପୂର୍ବରୁ ନିଆଯାଇଥିବା ଏହି ପଦକ୍ଷେପକୁ ୱାଟର ଷ୍ଟ୍ରାଇକ୍ କୁହାଯାଉଛି, ଯାହାର ପ୍ରଭାବ ଏବେ ପଡିବାକୁ ଲାଗିଲାଣି। ପାକିସ୍ତାନକୁ ବହୁଥିବା ପାଣି ଏବେ ଅଟକି ସାରିଲାଣି। ପ୍ରଭାବରେ ସିୟାଲକୋଟ ନିକଟରେ ଚିନାବ ନଦୀ ଏବେ ଶୁଷ୍କ ପଡିଛି। ଭାରତ ସରକାରଙ୍କ ନିଷ୍ପତ୍ତି ପୂର୍ବର ଓ ଏବେର ଫଟୋଚିତ୍ର ସାମ୍ନାକୁ ଆସିଛି। ଯେଉଁଥିରେ ଅନ୍ତର ଏବେ ସ୍ପଷ୍ଟ ଦେଖି ହେଉଛି।
ପାକିସ୍ତାନର କୃଷି ସିନ୍ଧୁ ନଦୀ ଜଳ ଉପରେ ନିର୍ଭର କରେ। ଏବେ ପାଣି ବନ୍ଦ ହୋଇ ଯାଇଥିବାରୁ ଗହମ, ଧାନ ଓ କପା ଭଳି ଫସଲର ଉତ୍ପାଦନ ପ୍ରଭାବିତ ହେବାର ଆଶଙ୍କା କରାଗଲାଣି। ଏଣୁ ଆଗକୁ ଦେଶରେ ଖାଦ୍ୟ ସଂକଟ ଉପୁଜିବାର ଆଶଙ୍କା ଦେଖାଦେଇଥିବା ବେଳେ ଚାଷୀଙ୍କ ଜୀବିକା ଓ ଗ୍ରାମୀଣ ରୋଜଗାର ପ୍ରଭାବିତ ହେବାର ଆଶଙ୍କା କରାଗଲାଣି। କେବଳ କୃଷି ନୁହେଁ ପାକିସ୍ତାନ ଏବେ ଗୁରୁତର ବିଦ୍ୟୁତ ସଂକଟ ଆଡକୁ ମଧ୍ୟ ମୁହାଁଇଛି। ତରବେଲା ଓ ମଙ୍ଗଲା ଡ୍ୟାମ ମାଧ୍ୟମରେ ପାକିସ୍ତାନ ଜଳବିଦ୍ୟୁତରେ ଦେଶର ୩୦% ବିଦ୍ୟୁତ ଆବଶ୍ୟକତା ପୂରଣ କରୁଥିଲା। ଏବେ ଉପରମୁଣ୍ଡରୁ ପାଣି ବନ୍ଦ ହେବା ପରେ ବିଦ୍ୟୁତ ସଂକଟ ଗୁରୁତର ହେବା ସ୍ପଷ୍ଟ ହୋଇଯାଇଛି।
#WATCH | Ramban, Jammu and Kashmir: India suspends Indus Waters Treaty with Pakistan in the wake of #PahalgamTerroristAttack
— ANI (@ANI) April 24, 2025
Visuals from the Baglihar Hydroelectric Power Project built on the Chenab River pic.twitter.com/A9hFUAZlCA
ସିନ୍ଧୁ ଜଳ ସନ୍ଧି ଭାରତ ସମାପ୍ତ କରିଦେବା ପରେ କୃଷି ସଂକଟ ଯୋଗୁ ଗ୍ରାମୀଣ କ୍ଷେତ୍ରରୁ ବଡ଼ ସଂଖ୍ୟାରେ ସହର ପଳାୟନ ଆରମ୍ଭ ହୋଇପାରେ। ଏଣୁ ଲାହୋର ଓ କରାଚୀ ଭଳି ସହରାଞ୍ଚଳ ଉପରେ ଜନସଂଖ୍ୟାର ଚାପ ବଢିବାକୁ ଲାଗିବ। ଅନ୍ୟପଟେ ଜଳାଭାବ ଯୋଗୁ ଜଳସେଚନ ବନ୍ଦ ହୋଇଯିବ ଫଳରେ ଜମିର ଉର୍ବରତା ହ୍ରାସ ହେବା ସହ କ୍ଷାରୀୟ ଅଂଶ ବଢିବାରେ ଲଗିବ। ଏଣୁ ଚାସପୋଯୋଗୀ ଜମି ମରୁଭୂମି ପାଲଟିଯିବ।
ଭାରତର ଏହି ନିଷ୍ପତ୍ତି ଯୋଗୁ ନା କେବଳ କୃଷି ଓ ଶକ୍ତି ସଂକଟ ଦେଖାଦେବ ବରଂ ଅର୍ଥବ୍ୟବସ୍ଥା, ଖାଦ୍ୟ ସୁରକ୍ଷା, ସାମାଜିକ ସ୍ଥିରତା ଉପରେ ମଧ୍ୟ ବଡ଼ଧରଣର ପ୍ରଭାବ ପଡିବ। ଏହି ପଦକ୍ଷେପ ଆତଙ୍କବାଦ ବିରୋଧରେ ଭାରତର କଡ଼ା ବାର୍ତ୍ତା ହେବ। ଏବେ ପାକିସ୍ତାନକୁ କେବଳ ଶବ୍ଦରେ ନୁହେଁ କାର୍ଯ୍ୟରେ ମଧ୍ୟ ଜବାବ ମିଳିବ।