India vs South Africa, 5th T20I: ହାର୍ଦ୍ଦିକଙ୍କ ବିସ୍ଫୋର ବ୍ୟାଟିଂରେ ଭାଙ୍ଗିଲା ରେକର୍ଡ, ପଛରେ ପଡ଼ିଲେ ଅଭିଷେକ

NEWS7
india-vs-newzealand-3rd-t-20-tomorrow-all-eyes-on-three-batter

ଅହମଦାବାଦ: ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ବ୍ୟାଟର ଭାବେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଦ୍ୱିତୀୟ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରି ରେକର୍ଡ କରିଛନ୍ତି। ପାଣ୍ଡ୍ୟା ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ୫ମ ତଥା ଅନ୍ତିମ ଟି-୨୦ରେ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମାତ୍ର ୧୬ ବଲ୍ ଅର୍ଦ୍ଧଶତକ କରି ଏହି ରେକର୍ଡ କରିଛନ୍ତି। ପାଣ୍ଡ୍ୟାଙ୍କ ୬୩ ରନ୍ ବଳରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୩୧ ରନର ବିଶାଳ ସ୍କୋର କରିପାରିଛି।

ଯେତେବେଳେ ଭାରତ ୧୩ତମ ଓଭରରେ ୧୧୫/୩ ସ୍ଥିତିରେ ଥିଲା ସେତେବେଳେ ପାଣ୍ଡ୍ୟା ବ୍ୟାଟିଂ କରିବାକୁ ଆସିଥିଲେ। ପାଣ୍ଡ୍ୟା ଆରମ୍ଭରୁ ୬ ମାରି ତାଙ୍କର ଉଦ୍ଦେଶ୍ୟ କ୍ଲିୟର କରିଦେଇଥିଲେ। ତିଲକ ବର୍ମାଙ୍କ ସହ ମିଶି ସେ ଦଳୀୟ ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ପାଣ୍ଡ୍ୟା ଶେଷ ଓଭର ପର୍ଯ୍ୟନ୍ତ ମ୍ୟାଚ୍ ଖେଳି ୨୫ ବଲ୍‌ରେ ୬୩ ରନ୍ କରିଥିଲେ। ଏହି ସ୍କୋର ପରେ ସେ ଅଭିଷେକ ଶର୍ମାଙ୍କ ରେକର୍ଡ ବି ଭାଙ୍ଗି ଦେଇଛନ୍ତି। ଯୁବରାଜ ସିଂହଙ୍କ ପରେ ଟି-୨୦ ଆନ୍ତର୍ଜାତୀୟରେ ଦ୍ୱିତୀୟ ଦ୍ରୁତତମ ଅର୍ଦ୍ଧଶତକ ହାସଲକାରୀ ଭାରତୀୟ ବ୍ୟାଟର ହୋଇଛନ୍ତି ପାଣ୍ଡ୍ୟା।

ଅଭିଷେକ ଶର୍ମା ଚଳିତ ବର୍ଷ ଇଂଲଣ୍ଡ ବିପକ୍ଷ ଟି-୨୦ ମ୍ୟାଚ୍‌ରେ ମାତ୍ର ୧୭ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ଏହି ତାଲିକାରେ ଯୁବରାଜ ସିଂହ ଶୀର୍ଷରେ ଅଛନ୍ତି। ସେ ୨୦୦୭ ମସିହାରେ ଇଂଲଣ୍ଡ ବିପକ୍ଷରେ ମାତ୍ର ୧୨ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ମ୍ୟାଚରେ ହିଁ ଯୁବରାଜ ଷ୍ଟୁଆଡ ବ୍ରଡଙ୍କ ଗୋଟିଏ ଓଭରରେ ୬ଟି ଛକା ମାରିଥିଲେ।

ଟି-୨୦ରେ ଭାରତ ପାଇଁ ଦ୍ରୁତତମ ଅର୍ଦ୍ଧଶତକ

୧୨ ବଲ୍ - ଯୁବରାଜ ସିଂହ ବନାମ ଇଂଲଣ୍ଡ (୨୦୦୭)
୧୬ ବଲ୍ - ହାର୍ଦ୍ଦିକ ପାଣ୍ଡ୍ୟା ବନାମ ଦକ୍ଷିଣ ଆଫ୍ରିକା (୨୦୨୫)
୧୭ ବଲ୍ - ଅଭିଷେକ ଶର୍ମା ବନାମ ଇଂଲଣ୍ଡ (୨୦୨୫)
୧୮ ବଲ୍ - କେଏଲ ରାହୁଲ ବନାମ ସ୍କଟଲାଣ୍ଡ (୨୦୨୧)
୧୮ ବଲ୍ - ସୂର୍ଯ୍ୟକୁମାର ଯାଦବ ବନାମ ଦକ୍ଷିଣ ଆଫ୍ରିକା (୨୦୨୨)

ଅହମଦାବାଦରେ ଖେଳାଯାଉଥିବା ଆଜିର ମ୍ୟାଚ୍ ଉଭୟ ଦଳ ପାଇଁ କର ବା ମର ମ୍ୟାଚ୍। କାରଣ ଏହି ୫ ଟିକିଆ ସିରିଜ୍ରେ ଭାରତ ଦୁଇଟି ମ୍ୟାଚ୍ ଜିତିଥିବା ବେଳେ ଦକ୍ଷିଣ ଆଫ୍ରିକା ଗୋଟିଏ ମ୍ୟାଚ୍ ଜିତିଛି। ଚୁତୁର୍ଥ ମ୍ୟାଚ୍ ଟି ଖରାପ ପାଗ ଯୋଗୁ ବାତିଲ ହୋଇଯାଇଥିଲା। ଆଜି ପଞ୍ଚମ ତଥା ଶେଷ ମ୍ୟାଚ୍ ଖେଳାଯାଉଥିବାରୁ ଏହା ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ସୁଦ୍ଧା ଭାରତ ୨-୧ରେ ସିରିଜ୍ରେ ଆଗୁଆ ରହିଥିବା ବେଳେ ଯଦି ଆଜିର ମ୍ୟାଚ୍ ଦକ୍ଷିଣ ଆଫ୍ରିକା ଜିତିଯିବ ତେବେ ସିରିଜ୍ ଡ୍ର ରହିବ। ଅନ୍ୟପଟେ ଭାରତ ଦିନିକିଆ ସିରିଜ୍ ଭଳି ଟି-୨୦ରେ ବି ନିଜର ପତିଆରା ଜାରି ରଖିବାକୁ ଜୋରସୋର ଉଦ୍ୟମ କରିବ।