ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମୁକାବିଲା କାନବେରାରେ ବର୍ଷା ଯୋଗୁ ଧୋଇ ହୋଇଯାଇଛି । ତେବେ ଆଜିର ମ୍ୟାଚ୍‌ରେ ଭାରତ ପାଇଁ ବଡ଼ ଆଶ୍ୱସ୍ତି ଖବର ହେଉଛି ସୂର୍ଯ୍ୟକୁମାର ଓ ଶୁଭମନ ଗିଲ୍‌ଙ୍କ ପ୍ରଦର୍ଶନ । ଭାରତୀୟ ଟି-୨୦ ଟିମ୍‌ର ଅଧିନାୟକ ସୂର୍ଯ୍ୟକୁମାର ଓ ଉପଅଧିନାୟକ ଶୁଭମନ ଗିଲ୍ ଜବରଦସ୍ତ ବ୍ୟାଟିଂ କରିଥିଲେ । ସୂର୍ଯ୍ୟକୁମାର ଯାଦବ ୨୪ ବଲରେ ୩ ଚୌକା ଓ ୨ଟି ଛକା ମାରି ୩୯ ରନ୍ କରିଥିଲେ ଓ ଶୁଭମନ ଗିଲ୍ ୨୦ ବଲରେ ୪ ଚୌକା ଓ ଗୋଟିଏ ଛକା ସାହାଯ୍ୟରେ ୩୭ ରନ୍ କରି ଅପରାଜିତ ରହିଥିଲେ । ଖେଳ ବନ୍ଦ ହେବା ପୂର୍ବରୁ ଗିଲ୍ ଏବଂ ସୂର୍ଯ୍ୟକୁମାର ଯାଦବ ଟିମ୍ ପାଇଁ ୬୨ ରନ୍ ଯୋଡ଼ିଥିଲେ ।

କାନବେରାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚ୍ ବର୍ଷା ଯୋଗୁଁ ମ୍ୟାଚ୍ ବାଲିତ ହୋଇଛି । ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ବର୍ଷା ଯୋଗୁଁ ଦୁଇଥର ମ୍ୟାଚ୍ ବାଧାପ୍ରାପ୍ତ ହୋଇଥିଲା । ପ୍ରଥମେ ପାଞ୍ଚ ଓଭର ପରେ ମ୍ୟାଚ୍ ବନ୍ଦ କରାଯାଇଥିଲା କିନ୍ତୁ ଦୁଇ ଓଭର କମ୍ ହେବା ପରେ ପୁଣି ଥରେ ଖେଳ ଆରମ୍ଭ ହୋଇଥିଲା । ଯେତେବେଳେ ମ୍ୟାଚ୍ ପୁଣି ଆରମ୍ଭ ହୋଇଥିଲା, ୧୮ ଓଭର ଖେଳିବାକୁ ନିଷ୍ପତ୍ତି ନିଆଯାଇଥିଲା । ଭାରତ ୯.୪ ଓଭର ବ୍ୟାଟିଂ କରି ମୋଟ ୯୭ ରନ୍ କରିଥିଲା । ୧୯ ରନ୍ କରି ଅଭିଷେକ ଶର୍ମା ଆଉଟ୍ ହୋଇଥିଲେ । ସିରିଜର ଦ୍ୱିତୀୟା ମୁକାବିଲା ଶୁକ୍ରବାର ଅକ୍ଟୋବର ୩୧ରେ ମେଲବର୍ଣ୍ଣରେ ଖେଳାଯିବ ।