ଇସଲାମାବାଦ: ଆତଙ୍କୀ ଆକ୍ରମଣରେ ପାକିସ୍ତାନର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି। ଏହାର ସେନା କିନ୍ତୁ ଆତଙ୍କବାଦ ବିରୁଦ୍ଧରେ ଲଢ଼ିବାରେ ବିଫଳ ହୋଇଛି। ଆଉ ବିଫଳତା ଆସିବା ପରେ ପାକିସ୍ତାନ ଯେମିତି ତାର ପୁରୁଣା ଅଭ୍ୟାସକୁ ଆପଣାଏ, ଏଥର ବି ସେୟା କରିଛି। ମାନେ ଭାରତ ଉପରେ ଦୋଷ ଲଦିବା ଆରମ୍ଭ କରିଦେଇଛି।

ଭାରତ ଆଫଗାନିସ୍ତାନକୁ ଆତଙ୍କବାଦ ଅପରେସନର ବେସ୍ ଭାବେ ବ୍ୟବହାର କରୁଛି ବୋଲି ପାକିସ୍ତାନ ସେନା ଅଭିଯୋଗ କରିଛି। ଏହି ଚାଞ୍ଚଲ୍ୟକର ଦାବି କରିଛନ୍ତି ଇଣ୍ଟର-ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ (ISPR) ଡିଜି ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ୍ ଚୌଧୁରୀ। ପେଶାୱରରେ ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଏପରି କହିଛନ୍ତି। ବିଶେଷକରି ଖାଇବର ପଖତୁନଖ୍ୱାରେ ଭୟଙ୍କର ସୁରକ୍ଷା ପରିସ୍ଥିତି ସୃଷ୍ଟି ହୋଇଥିବା ସେ କହିଛନ୍ତି।

ପାକିସ୍ତାନ ଏଭଳି ଅଭିଯୋଗ ସେତେବେଳେ ଆଣିଛି ଯେତେବେଳେ ଆଫଗାନିସ୍ତାନର ତାଲିବାନ ବୈଦେଶିକ ମନ୍ତ୍ରୀ ଅମୀର ଖାନ ମୁତ୍ତାକୀ ୮ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ସେପଟେ ପାକିସ୍ତାନ ଆଫଗାନିସ୍ତାନର କାବୁଲ ଉପରେ ଗୋଟିଏ ପରେ ଗୋଟିଏ ଆକ୍ରମଣ କରି ଚାଲିଛି। ଏପଟେ ମୁତ୍ତାକୀ ଭାରତରୁ ହିଁ ପାକିସ୍ତାନକୁ ସିଧା ସିଧା ଚେତାବନୀ ଦେଇଛନ୍ତି। ଆଫଗାନିସ୍ତାନର ସାହସ ପରୀକ୍ଷା ନ କରିବା ଦରକାର ବୋଲି ସେ କହିଛନ୍ତି।