ବିବାଦ ଭିତରେ ଆମେରିକା ସହ ଭାରତର ବଡ଼ ଡିଲ୍: ଟାରିଫ ସତ୍ତ୍ୱେ ବି ୧ ବିଲିଅନ ଡଲାରର ତେଜସ ଜେଟ୍ ଇଞ୍ଜିନ କିଣିବ ଭାରତ

Published By : Prameya-News7 Bureau | August 26, 2025 IST

internet

ନୂଆଦିଲ୍ଲୀ: ଭାରତ ଏବଂ ଯୁକ୍ତରାଷ୍ଟ୍ର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ଚୂଡ଼ାନ୍ତ କରିବାକୁ ଯାଉଛନ୍ତି, ୯୭ ଏଲସିଏ ମାର୍କ ୧ଏ ତେଜସ୍ ଯୁଦ୍ଧ ବିମାନ ପାଇଁ ୧୧୩ଟି ଇଞ୍ଜିନ୍ କିଣିବ କରିବ ଭାରତ। ଏଥିପାଇଁ ଆମେରିକା ସହ ୧ ବିଲିୟନ ଆମେରିକୀୟ ଡଲାରରୁ ଅଧିକ ମୂଲ୍ୟର ଏକ ଚୁକ୍ତିନାମା ହୋଇପାରେ। ଏହା ପୂର୍ବରୁ ୮୩ ମାର୍କ ୧ଏ ଜେଟ୍ ପାଇଁ ୯୯ଟି ଜିଇ-୪୦୪ ଇଞ୍ଜିନ୍ କିଣିବାକୁ ଚୁକ୍ତି ହୋଇଥିଲା। ଏହା ସତ୍ତ୍ୱେ ବି ନୂଆ ଡିଲ୍ ହୋଇପାରେ ବୋଲି ଇଣ୍ଡିଆଟୁଡେ ରିପୋର୍ଟ ପ୍ରକାଶ କରିଛି। 

ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇବା ଓ ଚୀନ ସହ ସମ୍ପର୍କ ସୁଧାର ପ୍ରଚେଷ୍ଟା ବେଳେ ଏଭଳି ଖବର ସାମ୍ନାକୁ ଆସିବା ଭାରତର ଆଶ୍ଚର୍ଯ୍ୟକର ନୀତିକୁ ଦର୍ଶାଉଛି। ପ୍ରତିରକ୍ଷା ସୂତ୍ରରୁ ସୂଚନା ମିଳିଛି ଯେ ୧୧୩ ଇଞ୍ଜିନ ପାଇଁ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଏକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି।

ଏହି ଅଧିଗ୍ରହଣର ଲକ୍ଷ୍ୟ ହେଉଛି ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL) ପାଇଁ ଇଞ୍ଜିନର ନିରନ୍ତର ଯୋଗାଣ ସୁନିଶ୍ଚିତ କରିବା। କାରଣ ହାଲ୍ ସ୍ୱଦେଶୀ ହାଲୁକା ଯୁଦ୍ଧ ବିମାନ (LCA) ନିର୍ମାଣ କରୁଛି। ତେଣୁ ଇଞ୍ଜିନ ଯୋଗାଣରେ କୌଣସି ପ୍ରକାରର ବିଳମ୍ବ ନହେବାକୁ ଏହି ନିଷ୍ପତ୍ତି ନିଆଯାଇଛି। ଇଞ୍ଜିନ ଯୋଗାଣ ଜାରି ରହିବା ହାଲ୍ ପାଇଁ ଏହାର ଉତ୍ପାଦନ ଲକ୍ଷ୍ୟ ପୂରଣ କରିବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ହାଲ୍‌ରୁ ପ୍ରଥମ ବ୍ୟାଚରେ ୨୦୨୯-୩୦ ସୁଦ୍ଧା ୮୩ ଟି ବିମାନ ଏବଂ ୨୦୩୩-୩୪ ସୁଦ୍ଧା ପରବର୍ତ୍ତୀ ୯୭ ଟି ବିମାନ ଯୋଗାଣ ପାଇଁ ସ୍ଥିର କରାଯାଇଛି। ଭାରତୀୟ କାର୍ଯ୍ୟକ୍ରମ ପ୍ରତି ଏହାର ପ୍ରତିଶ୍ରୁତି ପୂରଣ କରିବା ପାଇଁ ଆମେରିକୀୟ ଫାର୍ମ GE ପ୍ରତି ମାସରେ ଦୁଇଟି ଇଞ୍ଜିନ ଯୋଗାଣ କରିବ ବୋଲି ଆଶା କରାଯାଉଛି। 

ଇତି ମଧ୍ୟରେ ଇଞ୍ଜିନ ତିଆରିର ଟେକ୍ନୋଲୋଜୀ ମଧ୍ୟ ଆଣିବାକୁ ଆମେରିକାଠାରୁ ଆଣିବାକୁ କଥାବାର୍ତ୍ତା ଜାରି ରହିଛି। ହାଲ୍ ୮୦ ପ୍ରତିଶତ ଟେକ୍ନୋଲୋଜୀ ଟ୍ରାନ୍ସଫର ସହିତ GE-414 ଇଞ୍ଜିନ ହାସଲ କରିବା ପାଇଁ ଏକ ଅଲଗା ଚୁକ୍ତି କରିବାକୁ ଆମେରିକାର ଜିଇ କମ୍ପାନୀ ସହିତ ଆଲୋଚନା କରୁଛି। ଭାରତର LCA ମାର୍କ ୨ ଏବଂ ଆଡଭାନ୍ସଡ୍ ମିଡିୟମ୍ କମ୍ବାଟ୍ ଏୟାରକ୍ରାଫ୍ଟ (AMCA) କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ 200 GE-414 ଇଞ୍ଜିନ ଯୋଗାଇବା ପାଇଁ ଆଗାମୀ ମାସଗୁଡ଼ିକରେ ପ୍ରାୟ ୧.୫ ବିଲିୟନ ଆମେରିକୀୟ ଡଲାରର ଚୁକ୍ତି ସ୍ୱାକ୍ଷରିତ ହେବାର ଆଶା କରାଯାଉଛି।

୧୬୨ଟି LCA ମାର୍କ ୨ ବିମାନ ଏବଂ AMCAର ୧୦ଟି ପ୍ରୋଟୋଟାଇପ୍ ପାଇଁ GE-୪୧୪ ଇଞ୍ଜିନ୍ ବ୍ୟବହୃତ ହେବ। ନୂଆ ଲଢ଼ୁଆ ଜେଟ୍ କାର୍ଯ୍ୟକ୍ରମ ଭାରତୀୟ ବାୟୁସେନାର ପୁରୁଣା MiG-୨୧ ବିମାନକୁ ବଦଳାଇବା ପାଇଁ ବ୍ୟାପକ ରଣନୀତିର ଏକ ଅଂଶ। ଏଥିସହିତ ଭାରତ ଫ୍ରାନ୍ସର କମ୍ପାନୀ ସାଫ୍ରନ ସହିତ ମିଳିତ ଭାବରେ ଏକ ସ୍ୱଦେଶୀ ଯୁଦ୍ଧ ବିମାନ ଇଞ୍ଜିନ ପ୍ରକଳ୍ପ ଉପରେ ମଧ୍ୟ କାମ ଜାରି ରଖିଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.