ନୂଆଦିଲ୍ଲୀ: ଫ୍ରାନ୍ସଠାରୁ ୨୬ ରାଫେଲ୍-ମରିନ୍ ଯୁଦ୍ଧ ବିମାନ କିଣିବ ଭାରତ । ୬୩ ହଜାର କୋଟି ଟଙ୍କାରେ ଏହି ବିମାନ କ୍ରୟ କରାଯିବ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ମାମଲାର କ୍ୟାବିନେଟ୍ କମିଟି ବିମାନ କିଣିବା ପ୍ରସ୍ତାବକୁ ମଞ୍ଜୁରି ଦେଇଛି । ଏହି ବିମାନ ସ୍ୱଦେଶୀ ବିମାନବାହାକ ପୋତ ଆଇଏନ୍ଏସ୍ ବିକ୍ରାନ୍ତରେ ନିୟୋଜିତ କରାଯିବ । ଗଣମାଧ୍ୟମ ରିପୋର୍ଟ ଅନୁସାରେ ୨୨ ସିଙ୍ଗଲ ସିଟ୍ ରାଫେଲ୍-ଏମ୍ ଜେଟ୍ ଓ ଚାରି ଡବଲ୍ ସିଟ୍ ଟ୍ରେନର ପ୍ଲେନ୍ ପାଇଁ ଦୁଇ ଦେଶର ସରକାର ମଧ୍ୟରେ ଆଗାମୀ କିଛି ଦିନରେ ବୁଝାମଣା ଉପରେ ହସ୍ତାକ୍ଷର ହେବ । ଏଥିରେ ହତିଆର, ସିମୁଲେଟର୍, ଚାଳକ ଦଳର ଟ୍ରେନିଂ ଓ ପାଞ୍ଚ ବର୍ଷର ପ୍ରଦର୍ଶନ ଆଧାରିତ ଲଜିଷ୍ଟିକ୍ ସପୋର୍ଟ ସାମିଲ ରହିଛି ।
ରାଫେଲ୍ ମରିନ୍ ଏକ ଟ୍ୱିନ୍-ଇଞ୍ଜିନ, ଡେକ-ବେସ୍ଡ ଫାଇଟର ଜେଟ୍, ଯାହାକୁ ସାମୁଦ୍ରିକ ଅଭିଯାନ ପାଇଁ ସ୍ୱତନ୍ତ୍ର ରୂପେ ଡିଜାଇନ୍ କରାଯାଇଛି । ଫ୍ରାନ୍ସ ନୌସେନାର ଏହି ବିମାନକୁ ନିଜର ବିମାନବାହାକ ପୋତ ‘ଚାର୍ଲ୍ସ ଡି ଗଲ୍’ରେ ବ୍ୟବହାର କରୁଛି । ୨୦୨୩ ଜୁଲାଇରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ହୋଇଥିବା ପ୍ରତିରକ୍ଷା ଅଧିଗ୍ରହଣ କାଉନସିଲ୍ (ଡିଏସି) ବୈଠକରେ ନୌସେନାର ଏହି ପ୍ରସ୍ତାବକୁ ମଞ୍ଜୁରି ଦେଇଥିଲେ ।
ଏହି ପ୍ରତିରକ୍ଷା ଚୁକ୍ତି କେବଳ ଜେଟ୍ ବିମାନର କିଣା ଯାଏ ସୀମିତ ନୁହେଁ । ଏହା ଅଧିନରେ ହତିଆର ପ୍ରଣାଳୀ, ସିମୁଲେଟର, ସ୍ପେୟର ପାର୍ଟ୍ସ, ଅନ୍ୟ ଜରୁରି ଉପକରଣ, କ୍ରିୟୁ ଟ୍ରେନିଂ ଓ ଲଜିଷ୍ଟିକ ସପୋର୍ଟ ମଧ୍ୟ ସାମିଲ ରହିବ । ଏହି ସବୁ ଫ୍ରାନ୍ସ ସରକାର ଯୋଗାଇବେ । ରାଫେଲ୍-ଏମ୍ ଜେଟ୍ କ୍ରୟକୁ ଭାରତୀୟ ନୌସେନାର ତତ୍କାଳ ଆବଶ୍ୟକତା ପୂରା କରିବା ପାଇଁ ଏକ ଅନ୍ତରୀଣ ବ୍ୟବସ୍ଥା ରୂପେ ଦେଖାଯାଉଛି । ଭାରତର ନିଜର ଟ୍ୱିନ୍-ଇଞ୍ଜିନ୍ ଡେକ୍ ବେସ୍ଡ ଫାଇଟ୍ର ବିକଶିତ କରିବା ପର୍ଯ୍ୟନ୍ତ ଏହି ବିମାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।
ନୌସେନା ପାଇଁ ୨୬ ରାଫେଲ୍-ଏମ୍ ବିମାନ ଚୁକ୍ତି ଉପରେ ହସ୍ତାକ୍ଷରର ୩୭ରୁ ୬୫ ମାସ ମଧ୍ୟରେ ଡେଲିଭର କରାଯିବ । ଏକ ସୂତ୍ର ଅନୁସାରେ ନୂଆ ଇଣ୍ଟର-ଗଭର୍ମେଣ୍ଟ ବୁଝାମଣା ଭାରତୀୟ ବାୟୁସେନା କରିଥିବା ବୁଝାମଣା ପରି ରହିବ । ସମସ୍ତ ୨୬ ଜେଟ୍ ୨୦୩୦-୩୧ ସୁଦ୍ଧା ହସ୍ତାନ୍ତର କରାଯିବ । ନୌସେନା ପାଖରେ ବର୍ତ୍ତମାନ ୪୫ ମିଗ୍-29K ମଧ୍ୟରୁ କେବଳ ୪୦ ରହିଛି । ୨୦୦୯ରେ ରୁଷଠାରୁ ୨ ବିଲିୟନ ଡଲାରରେ ଏହାକୁ କିଣାଯାଇଥିଲା । ମିଗ୍-29K ଗତ କିଛି ବର୍ଷରେ ଖରାପ ସେବାକ୍ଷମତା ଓ ଅନ୍ୟ ସମସ୍ୟାର ସାମନା କରୁଛି ।