News7 Logo

ଟ୍ରମ୍ପଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ପ୍ରତିକ୍ରିୟା ରଖିଲା ଭାରତ, ଜାଣନ୍ତୁ ରଣଧୀର ଜୟସ୍ୱାଲ କହିଲେ କ’ଣ?

NEWS7
Randhir Jaiswal

ନୂଆଦିଲ୍ଲୀ ୫।୯:  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସାଲରେ ଶୁକ୍ରବାର କରାଯାଇଥିବା ନୂଆ ପୋଷ୍ଟ ନେଇ ଭାରତ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛି। ଏକ ସାପ୍ତାହିକ ମିଡିଆ ବ୍ରିଫିଙ୍ଗରେ ଟ୍ରମ୍ପଙ୍କ ପୋଷ୍ଟ ସମ୍ପର୍କରେ ସାମ୍ବାଦିକ ପ୍ରଶ୍ନ କରିବାରେ ବିଦେଶ ମନ୍ତ୍ରାଳୟ (ଏମଇଏ) ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଯେ ‘ଏହି ସମୟରେ ମୁଁ ଏହି ପୋଷ୍ଟକୁ ନେଇ କୌଣସି ଟିପ୍ପଣୀ ଦେବାକୁ ଚାହୁଁ ନାହିଁ’।

ଉଲ୍ଲେଖଯୋଗ୍ୟ ଯେ ଆମେରିକା ରାଷ୍ଟ୍ରପତି ଭାରତ ଓ ଋଷିଆକୁ ନେଇ ସୋସିଆଲ ମିଡିଆରେ ଏକ ବୟାନ ଦେଇଛନ୍ତି, ଏଥିରେ ସେ ଚୀନ୍ ର ବଢୁଥିବା ପ୍ରଭାବକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଓ ନିଜର ଯନ୍ତ୍ରଣା ବୟାନ କରିଛନ୍ତି। ଟ୍ରମ୍ପ ଟ୍ରୁଥରେ କରିଥିବା ପୋଷ୍ଟରେ ଲେଖିଛନ୍ତି ଯେ ‘ଏପରି ଲାଗୁଛି ଯେ ମୁଁ ଭାରତ ଓ ଋଷିଆକୁ ସବୁଠୁ ଘନ ଅନ୍ଧକାର ଚୀନ ହାତରେ ହଜେଇ ଦେଇଛି। ମୁଁ ସେମାନଙ୍କୁ ଏକ ଦୀର୍ଘ ଓ ସମୃଦ୍ଧ ଭବିଷ୍ୟତର ଶୁଭକାମନା ଜଣାଉଛି’।

ଏହି ପୋଷ୍ଟ ସହିତ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଓ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ଟ୍ରମ୍ପଙ୍କ ଏହି ବୟାନକୁ ଏବେ ଆମେରିକାର ବିଦେଶ ନୀତି ଓ ବୈଶ୍ୱିକ ସମୀକରଣ ସହିତ ଯୋଡି ଦେଖାଯାଉଛି। ଟ୍ରମ୍ପ ପୂର୍ବରୁ ମଧ୍ୟ ଚୀନ୍ ର ନୀତି ଓ ତାର ବଢୁଥିବା ପ୍ରଭାବକୁ ନେଇ ଅନେକ ଥର ସମାଲୋଚନା କରିଛନ୍ତି। ଏଥିରେ ଏବେ ଭାରତ ଓ ଋଷିଆ ମଧ୍ୟରେ ଲଗାତାର ବଢୁଥିବା ରଣନୈତିକ ଓ ଆର୍ଥିକ ସମ୍ପର୍କକୁ ମଧ୍ୟ ଏହି ସନ୍ଦର୍ଭରେ ଦେଖା ଯାଉଛି। ଟ୍ରମ୍ପଙ୍କ ଏହି ବୟାନ ପ୍ରଧାନମନ୍ତ୍ରୀ ମୋଦି ଓ ପୁଟିନ ନିକଟରେ ତିଆନଜେନରେ ଅନୁଷ୍ଠିତ ଏସସିଓ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ଚୀନ୍ ଯାତ୍ରା ପରେ ଆସିଛି।

୩୧ ଅଗଷ୍ଟରୁ ୧ ସେପ୍ଟେମ୍ବର ପର୍ଯ୍ୟନ୍ତ ଯାତ୍ରା କାଳରେ ପ୍ରଧାନମନ୍ତ୍ରୀ ମୋଦି ଶିଖର ସମ୍ମିଳନୀ ଅବସରରେ ପୁଟିନ ଓ ଜିନପିଙ୍ଗଙ୍କ ସହିତ ଦ୍ୱିପକ୍ଷୀୟ ବୈଠକ କରିଛନ୍ତି। ଋଷିଆ ରାଷ୍ଟ୍ରପତି ପୁଟିନ ଓ ଜିନପିଙ୍ଗ ମଧ୍ୟ ଦ୍ୱିପକ୍ଷୀୟ ବୈଠକ କରିଛନ୍ତି। ଶିଖର ସମ୍ମିଳନୀ ଆରମ୍ଭ ହେବାର ଠିକ୍ ପୂର୍ବରୁ ତିନି ନେତାଙ୍କ ଅନୌପଚାରିକ କଥାବାର୍ତ୍ତା ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏଥିରେ ତିନି ନେତାଙ୍କୁ ହସହସ ମୁହଁରେ କଥାବାର୍ତ୍ତା ହେଉଥିବା ଦେଖାଯାଇଥିଲା।

ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଆମେରିକା-ଭାରତ ସମ୍ପର୍କ ନେଇ କହିଥିଲେ। ଏଥିରେ ସେ ଏହା ଏକତରଫା ସମ୍ପର୍କ ଥିଲା, ଯାହାକୁ ସେ ଆମେରିକା ରପ୍ତାନୀରେ ବାଧା ବୋଲି କହିଥିଲେ। ତେବେ ସେ କହିଥିଲେ ଭାରତ ସହିତ ଆମର ସମ୍ପର୍କ ଖୁବ୍ ଭଲ, ହେଲେ ଆପଣଙ୍କୁ ବୁଝିବାକୁ ପଡିବ ଏହା ଦୀର୍ଘ ବର୍ଷ ହେଲା ଏକତରଫା ସମ୍ପର୍କ ଥିଲା। ଉଲ୍ଲେଖ ଯୋଗ୍ୟ ଯେ ଭାରତ ଓ ଆମେରିକା ଦୀର୍ଘ ମାସ ଧରି ଟ୍ରେଡ ଡିଲକୁ ନେଇ କଥାବାର୍ତ୍ତା ହେଉଥିଲେ। ତେବେ ଟ୍ରମ୍ପ ପ୍ରଶାସନ ଗତ ଅଗଷ୍ଟ ମାସରେ ଭାରତ ଆମଦାନୀ ଉପରେ ଅଚାନକ ୨୫% ଶୁଳ୍କ ଲାଗୁ କରିଦେଇଥିଲା।   

ଏହା ଛଡା ଋଷିଆରୁ ଭାରତ ତୈଳ ଓ ଅସ୍ତ୍ରଶସ୍ତ୍ର ଆମଦାନୀ କରୁଥିବାରୁ ଅତିରିକ୍ତ ୨୫% ଶୁଳ୍କ ମଧ୍ୟ ଲଗାଯାଇଥିଲା। ଫଳରେ ଭାରତ ଉପରେ ମୋଟ ଶୁଳ୍କ ୫୦%  ହୋଇଯାଇଛି। ତେବେ ଆମେରିକାର ଏପରି କାର୍ଯ୍ୟାନୁଷ୍ଠାନରେ ବୈଦେଶିକ ମନ୍ତ୍ରାଳୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା।