News7 Logo

ଟ୍ରମ୍ପଙ୍କ ଟାରିଫର ପାଲଟା ଜବାବ, ଆମେରିକା ପାଇଁ ସଂପୂର୍ଣ୍ଣ ବନ୍ଦ ହେଲା ଡାକ ସେବା

NEWS7

ନୂଆଦିଲ୍ଲୀ: ଭାରତ ଓ ଆମେରିକା ମଧ୍ୟରେ ଚାଲିଥିବା ଶୁଳ୍କ ବିବାଦର ପ୍ରଭାବ ଏବେ ସାଧାରଣ ଲୋକଙ୍କ ଉପରେ ପଡ଼ିବା ଆରମ୍ଭ ହେଲାଣି। କାରଣ ଏହି ଟାରିଫ୍‌ର ପ୍ରଭାବ ଏବେ ସିଧାସଳଖ ଡାକ ସେବା ଉପରେ ପଡ଼ିଛି। ପ୍ରକୃତରେ ଭାରତୀୟ ଡାକ ବିଭାଗ, ଆମେରିକାକୁ ଯାଉଥିବା ସମସ୍ତ ଡାକ ସେବାକୁ ସ୍ଥଗିତ ରଖିଛି। ଏହାର ଅର୍ଥ ହେଉଛି ଏବେ ଆମେରିକାକୁ କୌଣସି ଚିଠି, ଡକ୍ୟୁମେଣ୍ଟ, ପାର୍ସଲ କିମ୍ବା ୧୦୦ ଡଲାର ପର୍ଯ୍ୟନ୍ତ ପର୍ଯ୍ୟନ୍ତ ମୂଲ୍ୟର ଉପହାର ମଧ୍ୟ ପଠାଯାଇପାରିବ ନାହିଁ। ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଆମେରିକା ପ୍ରଶାସନ ଦ୍ୱାରା ଲାଗୁ କରାଯାଇଥିବା ନୂଆ ନିୟମ ଏବଂ ଭାରତୀୟ ଡାକ ବାହକମାନଙ୍କ ଅକ୍ଷମତା ଯୋଗୁ ଏହି ପଦକ୍ଷେପ ନିଆଯାଇଛି।

ପ୍ରକୃତରେ ଜୁଲାଇ ୩୦ରେ ଆମେରିକା ଏକ ଅର୍ଡର ଜାରି କରିଥିଲା। ଯେଉଁଥିରେ କୁହାଯାଇଥିଲା ଯେ, ଅଗଷ୍ଟ ୨୯ରୁ ଆମେରିକାକୁ ପଠାଯାଉଥିବା ପ୍ରତ୍ୟେକ ପାର୍ସଲ ଉପରେ ନୂଆ ଟିକସ ନିୟମ ଲାଗୁ ହେବ। ଏହା ଅନୁସାରେ, ଆମେରିକାରେ ୮୦୦ ଡଲାର ପର୍ଯ୍ୟନ୍ତ ସାମଗ୍ରୀ ଉପରେ କୌଣସି ଟିକସ ଛାଡ଼ ରହିବ ନାହିଁ। ଆଉ ଏହି କାରଣରୁ ଭାରତୀୟ ଡାକ ବିଭାଗ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସମସ୍ତ ଆମେରିକୀୟ ଡାକ ସେବା ବନ୍ଦ କରିଦେଇଛି। ନୋଟିସରେ ସ୍ପଷ୍ଟ ଭାବରେ ଲେଖାଯାଇଛି ଯେ, କଷ୍ଟମ୍ ଟ୍ୟାକ୍ସ ଏବଂ ଡାଟା ଏକ୍ସଚେଞ୍ଜ ସହିତ ଜଡିତ ସମସ୍ତ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ ନହେବା ପର୍ଯ୍ୟନ୍ତ ଆମେରିକାକୁ ଡାକ ବୁକିଂ ଏବଂ ପଠାଇବା ବନ୍ଦ ରହିବ।

ସେହିଭଳି ଆଉ ଏକ ନୋଟିସରେ ଆମେରିକା କହିଥିଲା ଯେ, ୧୦୦ ଡଲାରରୁ ଅଧିକ ମୂଲ୍ୟର ସାମଗ୍ରୀ ଉପରେ କଷ୍ଟମ୍ ଟ୍ୟାକ୍ସ ଦେବାକୁ ପଡ଼ିବ। ଏହି ନିୟମ ଅନୁଯାୟୀ, କଷ୍ଟମ୍ ଟ୍ୟାକ୍ସ ଆଦାୟ କରୁଥିବା କମ୍ପାନୀ କିମ୍ବା ଏଜେନ୍ସିଗୁଡ଼ିକୁ ଆମେରିକାର କଷ୍ଟମ୍ସ ବିଭାଗରୁ ଅନୁମୋଦନ ନେବାକୁ ପଡ଼ିବ। ଏନେଇ ଅଗଷ୍ଟ ୧୫ରେ କିଛି ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରାଯାଇଥିଲା। ଫଳରେ ଆମେରିକା ଯାଉଥିବା ବିମାନ ଏବଂ କୋରିଅର କମ୍ପାନୀଗୁଡ଼ିକ ଅଗଷ୍ଟ ୨୫ ଠାରୁ ଭାରତୀୟ ଡାକ ସାମଗ୍ରୀ ନେବା ବନ୍ଦ କରିଦେଇଥିଲେ। ଆଉ ଏବେ ସବୁ ଡାକ ସେବାକୁ ସ୍ଥଗିତ କରିଦିଆଯାଇଛି।

ତେବେ ଏହା ସେହି ଭାରତୀୟମାନଙ୍କ ପାଇଁ ଚିନ୍ତାର ବିଷୟ ହୋଇପାରେ ଆମେରିକାରେ ରହୁଥିବା ସେମାନଙ୍କ ପରିବାର ଏବଂ ସମ୍ପର୍କୀୟଙ୍କୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ, ଉପହାର କିମ୍ବା ପାର୍ସଲ ପଠାଇବାକୁ ଚାହୁଛନ୍ତି। ଏବେ ସେମାନଙ୍କୁ ପାରମ୍ପରିକ ଡାକ ସେବା ବଦଳରେ ଏବଂ ବିକଳ୍ପ କୋରିଅର କମ୍ପାନୀଙ୍କ ପାଖକୁ ଯାଇପାରନ୍ତି। ଡାକ ବିଭାଗ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଯେଉଁମାନେ ପୂର୍ବରୁ ଆମେରିକାକୁ ଡାକ ବୁକ୍ କରିଛନ୍ତି ସେମାନଙ୍କୁ ରିଫଣ୍ଡ୍ ମିଳିଯିବ। ତେବେ ସରକାରଙ୍କ ତରଫରୁ କୁହାଯାଇଛି ଯେ, ବର୍ତ୍ତମାନ ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି ଏବଂ ଯଥାଶୀଘ୍ର ଡାକ ସେବାକୁ ପୁନଃସ୍ଥାପିତ କରିବା ପାଇଁ ପ୍ରୟାସ କରାଯିବ।