ପୁଣି ଟସ୍ ହାରିଲା ଭାରତ, ଆହୁରି ମଜବୁତ ହେଲା ଅଲୋଡ଼ା ରେକର୍ଡ

Published By : Prameya-News7 Bureau | July 31, 2025 IST

ନୂଆଦିଲ୍ଲୀ: ଓଭାଲରେ ଖେଳା ଯାଉଥିବା ଟେଷ୍ଟ ମ୍ୟାଚରେ ପୁଣି ଥରେ ଟସ୍ ହାରିଲା ଭାରତ। ଭାରତ ବନାମ  ଇଂଲଣ୍ଡ ଟେଷ୍ଟ ସିରିଜ୍‌ରେ ଲଗାତାର ପଞ୍ଚମ ଥର ଟସ୍ ହାରିଛନ୍ତି ଅଧିନାୟକ ଶୁଭମନ ଗିଲ୍। ଏହା ସହ କ୍ରମାଗତ ଟସ୍ ହାରିବାର ଅଲୋଡ଼ା ରେକର୍ଡକୁ ଆହୁରି ମଜବୁତ କରିଛି ଟିମ୍ ଇଣ୍ଡିଆ। ଦଳ ଏ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଲଗାତାର ୧୫ ଥର ଟସ୍ ହାରି ସାରିଛି। ଏହା ପୂର୍ବରୁ ଏହି ରେକର୍ଡ ଓ୍ଵେଷ୍ଟଇଣ୍ଡିଜ ନାଁରେ ଥିଲା। ଇଣ୍ଡିଜ ୧୯୯୯ରେ ଲଗାତାର ୧୨ ଥର ଟସ୍ ହାରିଥିଲା। ଲର୍ଡ୍ସର ଐତିହାସିକ ମଇଦାନରେ ଟସ୍ ହାରି ଭାରତ ଇଣ୍ଡିଜର ଟସ୍ ହାରିବାର ବିଶ୍ଵ ରେକର୍ଡ ଭାଙ୍ଗିଥିଲା।

ଭାରତୀୟ ଦଳ ଇଣ୍ଟର ନ୍ୟାସନାଲ କ୍ରିକେଟରେ ଶେଷ ଥର ଟସ୍ ଚଳିତ ବର୍ଷ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜ୍‌ରେ ଜିତିଥିଲା। ଏହି ମ୍ୟାଚ୍ ରାଜକୋଟ୍‌ରେ ଖେଳା ଯାଇଥିଲା। ଏହା ପରେ ଦଳ ଇଂଲଣ୍ଡ ବିପକ୍ଷରେ ୨ଟି ଟି-୨୦, ୩ଟି ଦିନିକିଆ ସମେତ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଖେଳିଥିବା ସମସ୍ତ ମ୍ୟାଚ୍‌ରେ ଟସ୍ ହାରିଥିଲା। ତଥାପି ଦଳ ଫାଇନାଲ୍‌ରେ ନ୍ୟୁଜିଲାଣ୍ଡକୁ ହରାଇ ଟ୍ରଫି ଜିତିଥିଲା। ଏହା ବାଦ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ କୌଣସି ଦଳ ଦ୍ଵାରା ସବୁ ଟସ୍ ହାରିବାରେ ଏହା ହେଉଛି ୧୪ତମ ଉଦାହରଣ। ଏହା ପୂର୍ବରୁ ଭାରତୀୟ ଦଳ ୨୦୧୮ରେ ଇଂଲଣ୍ଡ ଗସ୍ତରେ ସବୁ ଟସ୍ ହାରିଥିଲା। 

ସୂଚନାଯୋଗ୍ୟ, ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ଇଂଲଣ୍ଡ ୨-୧ରେ ଆଗୁଆ ରହିଛି। ଇଂଲଣ୍ଡ ପ୍ରଥମ ଟେଷ୍ଟ ଜିତି ଆଗୁଆ ରହିଥିବା ବେଳେ ଭାରତ ଦ୍ଵିତୀୟ ମ୍ୟାଚ୍ ଜିତି ସିରିଜ୍ ବରାବର କରିଥିଲା। ଏହା ପରେ ତୃତୀୟ ଟେଷ୍ଟ ଇଂଲଣ୍ଡ ନାମରେ ହୋଇଥିଲା ଏବଂ ଚତୁର୍ଥ ଟେଷ୍ଟ ଡ୍ର ରହିଥିଲା। ଶେଷ ଟେଷ୍ଟରେ ଭାରତ ୪ଟି ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇଛି। ସ୍ଵାଭାବିକ ଭାବେ ଆହତ ଋଷଭ ପନ୍ତଙ୍କ ସ୍ଥାନରେ ଧ୍ରୁବ ଜୁରେଲଙ୍କୁ ସ୍ଥାନ ମିଳିଛି। ଯଶପ୍ରୀତ ବୁମରାଙ୍କୁ ବିଶ୍ରାମ ଦିଆଯାଇଥିବା ବେଲେ ଶାର୍ଦ୍ଦୁଳ ଠାକୁର ଓ ଅଂଶୁଲ କମ୍ବୋଜଙ୍କୁ ବାଦ୍ ଦିଆଯାଇଛି। ଏହ ଖେଳାଳିଙ୍କ ବଦଳରେ ଆକାଶଦୀପ, କରୁଣ ନାୟର ଓ ପ୍ରସିଦ୍ଧ କୃଷ୍ଣାଙ୍କୁ ସୁଯୋଗ ମିଳିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.