ନୂଆଦିଲ୍ଲୀ: ଏପ୍ରିଲରେ ଟ୍ରମ୍ପଙ୍କ ଶୁଳ୍କ ଘୋଷଣା ପରେ, ଭାରତ ଆମେରିକାରୁ ଏହାର ଅଶୋଧିତ ତୈଳ କ୍ରୟକୁ ଦ୍ୱିଗୁଣିତ କରିଛି। ଏପ୍ରିଲ-ଜୁନ୍ ତ୍ରୈମାସିକରେ, ଏହା ବାର୍ଷିକ ଆଧାରରେ ୧୧୪% ବୃଦ୍ଧି ପାଇଛି। ୨୦୨୪ ମସିହାରେ ଏପ୍ରିଲ ଏବଂ ଜୁନ୍ ମଧ୍ୟରେ, ଭାରତ ଆମେରିକାରୁ ପ୍ରାୟ ୧୬ ହଜାର କୋଟି ଟଙ୍କାର ତେଲ କିଣିଥିଲା। ୨୦୨୫ ମସିହାରେ ଏପ୍ରିଲ ଏବଂ ଜୁନ୍ ମଧ୍ୟରେ ଏହି ସଂଖ୍ୟା ଦ୍ୱିଗୁଣିତ ହୋଇ ୩୨ ହଜାର କୋଟି ଟଙ୍କାରେ ପହଞ୍ଚିଛି। ବିଶେଷ ସୂତ୍ରରୁ ଖବର ନେଇ ଏହି ରିପୋର୍ଟ ପ୍ରକାଶ କରିଛି ସମ୍ବାଦ ସଂସ୍ଥା ଏଏନ୍ଆଇ।
ଜାନୁଆରୀରେ ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ତୈଳ କ୍ରୟ ବୃଦ୍ଧି ପାଇଛି। ଭାରତ ଜାନୁଆରୀରୁ ଜୁନ୍ ୨୦୨୫ ମଧ୍ୟରେ ଆମେରିକାରୁ ପ୍ରତିଦିନ ୨.୭୧ ଲକ୍ଷ ବ୍ୟାରେଲ୍ ଅଶୋଧିତ ତୈଳ କିଣିଥିଲା। ୨୦୨୪ ମସିହାରେ, ଜାନୁଆରୀରୁ ଜୁନ୍ ମଧ୍ୟରେ ଏହି ସଂଖ୍ୟା ପ୍ରତିଦିନ ୧.୮ ଲକ୍ଷ ବ୍ୟାରେଲ୍ ଥିଲା। ୨୦୨୫ ଜୁନ ତୁଳନାରେ କେବଳ ଜୁଲାଇରେ, ଆମେରିକାରୁ ୨୩% ଅଧିକ ଅଶୋଧିତ ତେଲ କିଣିଛି ଭାରତ। ଭାରତର ମୋଟ ତୈଳ ଆମଦାନୀରେ ଆମେରିକାର ଅଂଶ ମଧ୍ୟ ୩% ରୁ ୮% କୁ ବୃଦ୍ଧି ପାଇଛି।
ପଢନ୍ତୁ- ଟ୍ରମ୍ପ ଟାରିଫ୍ର ମୁକାବିଲା ପାଇଁ ପ୍ରସ୍ତୁତି, ସରକାରଙ୍କୁ ଦାବି ଜଣାଇଲେ ଭାରତୀୟ ରପ୍ତାନିକାରୀ
ଜୁଲାଇ ୩୦ ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ଧମକ ଦେଇ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଥିଲେ। ଭାରତ ଋଷ ଠାରୁ ତେଲ କିଣୁଛି, ତା’ ଠାରୁ ଅସ୍ତ୍ରଶସ୍ତ୍ର କିଣୁ ୟୁକ୍ରେନ୍ ବିରୁଦ୍ଧରେ ଋଷ ଅର୍ଥନୀତି ମଜଭୁତ କରୁଛି ବୋଲି ଟ୍ରମ୍ପ ଅଭିଯୋଗ ଆଣିଥିଲେ। ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇବା ସହିତ ଋଷ ବ୍ୟବସାୟ ପାଇଁ ପେନାଲ୍ଟି ଲଗାଇବାକୁ ବି ଘୋଷଣା କରିଥିଲେ। ଅଗଷ୍ଟ ୭ ତାରିଖ ଠାରୁ ଶୁଳ୍କ ଲାଗୁ ହେବାକୁ ଥିବା ବେଳେ ପେନାଲ୍ଟି କେତେ ଲାଗିବ ସେ ନେଇ ସ୍ପଷ୍ଟ ହୋଇ ନାହିଁ।
ଭାରତ ବର୍ତ୍ତମାନ ଏହାର ତେଲ ଆବଶ୍ୟକତାର ପ୍ରାୟ ୪୦% ରୁଷରୁ ଆମଦାନୀ କରୁଛି। ରିପୋର୍ଟ ଅନୁଯାୟୀ, ଭାରତ ବର୍ତ୍ତମାନ ପ୍ରତିଦିନ ରୁଷରୁ ୧.୧୫ ନିୟୁତ ବ୍ୟାରେଲ ଅଶୋଧିତ ତେଲ କିଣୁଛି।
ଟ୍ରମ୍ପଙ୍କ ଟାରିଫ ପରେ ରଏଟର୍ସ ଏକ ରିପୋର୍ଟରେ ଦାବି କରିଥିଲା ଯେ ଆମେରିକାର ଚାପ ଏବଂ ବର୍ଦ୍ଧିତ ମୂଲ୍ୟ ଯୋଗୁ ଭାରତ ରୁଷରୁ ତେଲ କିଣିବା ପ୍ରାୟ ବନ୍ଦ କରିଦେଇଛି। ଏହାପରେ, ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଶୁକ୍ରବାର ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲା। ହେଲେ ରୟଟର୍ସର ଏହି ଦାବିରେ କେତେ ସତ୍ୟତା ଅଛି ତାହା ସ୍ପଷ୍ଟ କରି ନଥିଲା।
ଏହାପରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଶୁକ୍ରବାର ଏନେଇ ପ୍ରତିକ୍ରିୟା ଦେଇଥିଲେ। ସେ କହିଥିଲେ ଯେ ଏପରି ରିପୋର୍ଟ ଆସୁଛି ଯେ ଭାରତ ଦୀର୍ଘ ଦିନ ଧରି ରୁଷରୁ ତେଲ କିଣିବ ନାହିଁ। ତେବେ ରିପୋର୍ଟଗୁଡ଼ିକ ସତ କି ନାହିଁ ତାହା ମୁଁ ଜାଣିନାହାଁନ୍ତି। କିନ୍ତୁ ଯଦି ଏହା ସତ ହେଇଥିବ ତେବେ ଏହା ଏକ ଭଲ କଥା ବୋଲି ଟ୍ରମ୍ପ କହିଥିଲେ।