ନୂଆଦିଲ୍ଲୀ: ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତ ଉପରେ ୨୫% ଶୁଳ୍କ ଲଗାଇଛନ୍ତି। ଏହି ଶୁଳ୍କ ଅଗଷ୍ଟ ୭ରୁ ଲାଗୁ ହେବାକୁ ଯାଉଥିବାବେଳେ ଏହାଦ୍ବାରା ଭାରତର ବିଭିନ୍ନ କ୍ଷେତ୍ରକୁ କ୍ଷତି ପହଞ୍ଚିବା ନେଇ ଅନୁମାନ କରାଯାଉଛି। ଏମିତିରେ ଏହାର ମୁକାବିଲା ପାଇଁ ଭାରତୀୟ ରପ୍ତାନିକାରୀମାନେ ସରକାରଙ୍କୁ କିଛି ଦାବି ଜଣାଇଛନ୍ତି। ସେମାନେ କହିଛନ୍ତି ଟ୍ରମ୍ପ ସାମୁଦ୍ରିକ ଖାଦ୍ୟ ଏବଂ ବୟନଶିଳ୍ପ ସମେତ ବିଭିନ୍ନ ସାମଗ୍ରୀ ଉପରେ ୨୫% ଶୁଳ୍କ ଲଗାଇଛନ୍ତି। ତେଣୁ ଏହାର ମୁକାବିଲା ପାଇଁ ସରକାରଙ୍କଠାରୁ ଆର୍ଥିକ ସହାୟତା ଏବଂ ସୁଲଭ ଋଣ ପାଇଁ ଦାବି କରିଛନ୍ତି।
ମୁମ୍ବାଇରେ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ସହ ଏକ ବୈଠକରେ କିଛି ରପ୍ତାନିକାରୀ PLI ଭଳି ଯୋଜନା ପାଇଁ ଦାବି କରିଛନ୍ତି। ଜଣେ ଅଧିକାରୀ କହିଛନ୍ତି ଯେ, ଟ୍ରମ୍ପଙ୍କ ଦ୍ୱାରା ଲଗାଯାଇଥିବା ଉଚ୍ଚ ଶୁଳ୍କ ଯୋଗୁ ଆମେରିକୀୟ ବଜାରରେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ନେଇ ରପ୍ତାନିକାରୀମାନେ ସେମାନଙ୍କର ମତ ରଖିଛନ୍ତି। ବାଣିଜ୍ୟ ମନ୍ତ୍ରୀ ପରାମର୍ଶ ଲିଖିତ ଭାବରେ ଦାବି ଜଣାଇବାକୁ କହିଛନ୍ତି। ସେମାନେ ଶସ୍ତା ହାରରେ ଋଣ ଏବଂ ଆର୍ଥିକ ପ୍ରୋତ୍ସାହନ ମଧ୍ୟ ଦାବି କରିଥିଲେ।
ଚୀନ୍ ଏବଂ ମାଲେସିଆର ସୁଧ ହାର ସବୁଠାରୁ କମ୍:
ରପ୍ତାନିକାରୀଙ୍କ ମତରେ, ଭାରତରେ ସୁଧ ହାର ୮ରୁ ୧୨ ପ୍ରତିଶତ କିମ୍ବା ତା’ଠାରୁ ଅଧିକ। ହେଲେ ପ୍ରତିଯୋଗୀ ଦେଶଗୁଡ଼ିକରେ, ସୁଧ ହାର ବହୁତ କମ୍। ଉଦାହରଣ ସ୍ୱରୂପ, ଚୀନରେ କେନ୍ଦ୍ରୀୟ ବ୍ୟାଙ୍କ ହାର ୩.୧ ପ୍ରତିଶତ, ମାଲେସିଆରେ ତିନି ପ୍ରତିଶତ, ଥାଇଲ୍ୟାଣ୍ଡରେ ଦୁଇ ପ୍ରତିଶତ ଏବଂ ଭିଏତନାମରେ ୪.୫ ପ୍ରତିଶତ। ସେମାନେ କହିଛନ୍ତି ପୋଷାକ ଏବଂ ଚିଙ୍ଗୁଡ଼ି ଭଳି କ୍ଷେତ୍ରଗୁଡ଼ିକ ଭଲ ପ୍ରଦର୍ଶନ କରୁନାହିଁ। ଆମେରିକୀୟ କ୍ରେତାମାନେ ଅର୍ଡର ବାତିଲ କରିବା କିମ୍ବା ଅଟକାଇବା ଆରମ୍ଭ କଲେଣି। ଆସାନ୍ତା ମାସଗୁଡ଼ିକରେ, ଏହା ଯୋଗୁ ଆମେରିକାକୁ ରପ୍ତାନି ପ୍ରଭାବିତ ହୋଇପାରେ। କେବଳ ରପ୍ତାନି ହ୍ରାସ ହେବ ତାହା ନୁହେଁ ଏ କ୍ଷେତ୍ରରେ ଅନେକ ଚାକିରି ମଧ୍ୟ ହରାଇପାରନ୍ତି। ଆଉ ସରକାରଙ୍କ ପାଇଁ ଆର୍ଥିକ ପ୍ରୋତ୍ସାହନ ଦେବା କଷ୍ଟକର ହେବ।
ଟ୍ରମ୍ପ ଶୁଳ୍କ ଦ୍ୱାରା ଏହି କ୍ଷେତ୍ରଗୁଡ଼ିକ କ୍ଷତିଗ୍ରସ୍ତ ହୋଇପାରନ୍ତି:
ଏହି ଉଚ୍ଚ ଟିକସର ପ୍ରଭାବ ଯେଉଁ କ୍ଷେତ୍ରଗୁଡ଼ିକରେ ପଡ଼ିବ ସେଗୁଡ଼ିକ ମଧ୍ୟରେ ରହିଛି ୧୦.୩ ବିଲିୟନ ଡଲାରର ବୟନ/ବସ୍ତ୍ର ଉଦ୍ୟୋଗ, ୧୨ ବିଲିୟନ ଡଲାରର ରତ୍ନ ଏବଂ ଅଳଙ୍କାର, ୨.୨୪ ବିଲିୟନ ଡଲାରର ଚିଙ୍ଗୁଡ଼ି, ୧.୧୮ ବିଲିୟନ ଡଲାରର ଚମଡ଼ା ଏବଂ ପାଦୁକା, ୨.୩୪ ବିଲିୟନ ଡଲାରର ରାସାୟନିକ ପଦାର୍ଥ ଏବଂ ପ୍ରାୟ ୯ ବିଲିୟନ ଡଲାରର ବୈଦ୍ୟୁତିକ ଏବଂ ଯାନ୍ତ୍ରିକ ଯନ୍ତ୍ରପାତି ଉଦ୍ୟୋଗ ରହିଚି। ଭାରତର ଚମଡ଼ା ଏବଂ ପୋଷାକ ରପ୍ତାନିର ୩୦ ପ୍ରତିଶତରୁ ଅଧିକ ଆମେରିକାର।