ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ସଂଘର୍ଷର ସମାଧାନରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିବା ପରେ ଇଟାଲୀ ପ୍ରଧାନମନ୍ତ୍ରୀ ମେଲୋନି ଏହା କହିଛନ୍ତି । ସେ କହିଛନ୍ତି ଯେ ଯଦି ଆପଣ ଭାବୁଛନ୍ତି ୟୁକ୍ରେନକୁ ଛାଡ଼ି ସଂଘର୍ଷର ସମାଧାନ କରାଯାଇପାରିବ ତେବେ ଆପଣ ଭୁଲ ଭାବୁଛନ୍ତି । ଇଟାଲୀ, ୟୁକ୍ରେନର ଏକ ବଡ଼ ସମର୍ଥକ । ୟୁକ୍ରେନକୁ ଆତ୍ମରକ୍ଷା ପାଇଁ ଆମେ ଲଗାତାର ହତିଆର ଉପଲବ୍ଧ କରାଉଛୁ । ତେବେ ହତିଆର କେବଳ ୟୁକ୍ରେନ ମାଟିରେ ନିଜର ସୁରକ୍ଷାରେ ବ୍ୟବହାର ସର୍ତ୍ତରେ ଉପଲବ୍ଧ କରାଯାଉଛି, ରୁଷ ମାଟିରେ ଆକ୍ରମଣ କରିବାକୁ ନୁହେଁ । ଏହି ସଂଘର୍ଷକୁ ଉଭୟ ପକ୍ଷଙ୍କ କଥା ଶୁଣି ଶେଷ କରିବାର ଆବଶ୍ୟକତା ରହିଛି ଏବଂ ମୁଁ ଅନୁଭୂବ କରୁଛି ଯେ ଚୀନ ଏବଂ ଭାରତ ଏଥିରେ ଭୂମିକା ନିର୍ବାହ କରିପାରନ୍ତି ।
ଇଟାଲୀ ପ୍ରଧାନମନ୍ତ୍ରୀ ମେଲୋନିଙ୍କ ଚୀନ ଏବଂ ଭାରତକୁ ମଧ୍ୟସ୍ଥ ଭାବେ ଦେଖିବା ପୁଟିନଙ୍କ ବୟାନକୁ ବଳ ମିଳିଛି । ଉଲ୍ଲେଖଯୋଗ୍ୟ ଯେ ପୁଟିନ କହିଥିଲେ ଯେ ଚୀନ, ଭାରତ ଏବଂ ବ୍ରାଜିଲ ମଧ୍ୟସ୍ଥ ଭାବେ ଏହି ସଂଘର୍ଷର ସମାଧାନ କରିପାରିବେ । ତେବେ ପୁଟିନ ବୁଝାମଣାର ଆଧାର ଯୁଦ୍ଧ ଆରମ୍ଭରେ ହୋଇଥିବା ଇସ୍ତାନବୁଲ ଚୁକ୍ତି ଉପରେ କରିବାକୁ କହିଛନ୍ତି । ଯୁଦ୍ଧ ଆରମ୍ଭରେ ଇସ୍ତାନବୁଲରେ ହୋଇଥିବା ଚୁକ୍ତି ଉପରେ ୟୁକ୍ରେନ ମଧ୍ୟ ସହମତ ହୋଇଥିଲା କିନ୍ତୁ ଦିନକ ପରେ ସେ ଏଥିରୁ ଓହରିଥିଲା ।
ଏହି ଯୁଦ୍ଧରେ ଭାରତ ଏବେ ସୁଦ୍ଧା ତଟସ୍ଥ ହୋଇ ରହିଛି । ପାଶ୍ଚାତ୍ୟ ଦେଶର ଚାପରେ ଭାରତ କେବେ ବି ରୁଷ ଉପରେ କୌଣସି ଟିପ୍ପଣୀ କରିନାହିଁ । ଅନ୍ୟପଟେ ରୁଷର ଚାପରେ ନଆସି ଭାରତ ଲଗାତାର ପାଶ୍ଚାତ୍ୟ ଦେଶ ସହ ନିଜ ସମ୍ପର୍କକୁ ମଜଭୁତ କରୁଛି । ଜାତିସଂଘରେ ବି ରୁଷ ବିରୋଧରେ ଆସିଥିବା ପ୍ରାୟ ସମସ୍ତ ପ୍ରସ୍ତାବ ଉପରେ ଭୋଟିଂ ବେଳେ ଭାରତ ନିଜକୁ ଦୂରେଇ ରଖିଛି । ଏହାସହ ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ନେଇ ଭାରତ କେବେ ବି ନିନ୍ଦା କରିନାହିଁ ।