ଚୀନକୁ ଟପି ଧନୀ ରାଷ୍ଟ୍ର ହେବ ଭାରତ: ମିଳିଲା ୨ ଲକ୍ଷ କୋଟି ଲିଟର ଅଶୋଧିତ ତୈଳର ବିଶାଳ ଭଣ୍ଡାର !

Published By : Prameya-News7 Bureau | June 16, 2025 IST

INTERNET

ନୂଆଦିଲ୍ଲୀଖୁବ୍‌ଶୀଘ୍ର ଧନୀ ହେବାକୁ ଯାଉଛି ଭାରତ। ଚୀନକୁ ଟପି ଦ୍ୱିତୀୟ ସର୍ବାଧିକ ଧନୀ ରାଷ୍ଟ୍ର ହେବ। ଯଦି ଅନୁମାନ ସତ ହେଲା ତେବେ ଭାରତ ବହୁତ ଉପରକୁ ଉଠିଯିବ। ଭାରତର ଆଣ୍ଡାମାନ ସାଗରରେ ପ୍ରାୟ ୨ ଲକ୍ଷ କୋଟି ଲିଟର ଅଶୋଧିତ ତୈଳ ଭଣ୍ଡାର ରହିଛି ବୋଲି ଅନୁମାନ କରାଯାଉଛି। କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ଖୋଦ୍ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଆଣ୍ଡାମାନ ସାଗରରେ ୧୮୪,୪୪୦ କୋଟିର ଅଶୋଧିତ ତୈଳ ମିଳିପାରେ ବୋଲି ଆକଳନ କରାଯାଇଛି। ଯଦି ଆକଳନ ସତ ହେଲା ତେବେ ଭାରତର GDP ପ୍ରାୟ ୫ ଗୁଣ ବଢିଯିବ। ଅଶୋଧିତ ତୈଳ ଏବଂ ଗ୍ୟାସର ଏହି ବିଶାଳ ଭଣ୍ଡାରକୁ ସରକାର ଖୋଳି ବାହାର କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହା ମିଳିବା ପରେ ଆମର ଶକ୍ତି ଆବଶ୍ୟକତା ଏକାଥରକେ ପୂରଣ ହୋଇଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଆଣ୍ଡାମାନ୍‌ରେ ମିଳିଥିବା ଏହି ପେଟ୍ରୋଲିୟମ୍ ଭଣ୍ଡାର ଗୁୟାନାରେ ସମ୍ପ୍ରତି ମିଳିଥିବା ଅଶୋଧିତ ତୈଳ ଭଣ୍ଡାର (୧୧.୬ ବିଲିୟନ ବ୍ୟାରେଲ) ସହ ସମାନ ହୋଇପାରେ। ଯଦି ଏହି ଆକଳନ ଆବିଷ୍କାର ଏବଂ ଗବେଷଣାରେ ଅନୁମାନ ସଠିକ୍ ହେଲା, ତେବେ ଭାରତର GDP ଏକାଥରକେ ୩.୭ ଟ୍ରିଲିୟନ ଡଲାରରୁ ୨୦ ଟ୍ରିଲିୟନ ଡଲାରକୁ ବୃଦ୍ଧି ପାଇପାରିବ। 

ହରଦୀପ ସିଂହ ପୁରୀ ଆହୁରି କହିଛନ୍ତି ଯେ ବର୍ତ୍ତମାନ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଅଶୋଧିତ ତୈଳ ଉତ୍ତୋଳନ କାର୍ଯ୍ୟ ଚାଲିଛି। ଯେଉଁଠାରେ ଅଏଲ୍ ଇଣ୍ଡିଆ ଏବଂ ONGC ଭଳି କମ୍ପାନୀ ନୂଆ ଭଣ୍ଡାର ସନ୍ଧାନରେ ସର୍ଭେ ଏବଂ ଡ୍ରିଲିଂ କାର୍ଯ୍ୟ ଆରମ୍ଭ କରିଛନ୍ତି।

ଆର୍ଥିକ ବର୍ଷ ୨୦୨୪ରେ ONGC ୫୪୧ ଟି କୂଅ ଖୋଳିଛି, ଖର୍ଚ୍ଚ ହୋଇଛି ୩୭,୦୦୦ କୋଟି

ଭାରତରେ ବିଭିନ୍ନ ସ୍ଥାନରେ ବର୍ତ୍ତମାନ ତୈଳ ଓ ଗ୍ୟାସ୍ ସହ ପ୍ରାକୃତିକ ସମ୍ପଦର ଖୋଜିବା କାର୍ଯ୍ୟ ଜାରି ରହିଛି। ଏ ବିଷୟରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ତେଲ ଖୋଜିବା ପାଇଁ ବହୁତ ଟଙ୍କା ଖର୍ଚ୍ଚ ହୁଏ। ଗୁୟାନାରେ ୪୩ କିମ୍ବା ୪୬ଟି ତେଲ କୂପ ଖନନ କରାଯାଇଥିଲା, ପ୍ରତ୍ୟେକ କୂଅରେ ୧୦୦ ନିୟୁତ ଡଲାର ଖର୍ଚ୍ଚ ହୋଇଥିଲା। ସେମାନେ ୪୭ତମ କୂଅରେ ଅଶୋଧିତ ତୈଳ ଭଣ୍ଡାର ପାଇଲେ।

ସେହିପରି ONGC ଚଳିତ ବର୍ଷ ସର୍ବାଧିକ ସଂଖ୍ୟକ କୂଅ ଖୋଳିଛି, ଯାହା ୩୭ ବର୍ଷ ମଧ୍ୟରେ ସର୍ବାଧିକ। ଆର୍ଥିକ ବର୍ଷ ୨୪ରେ, ଓଏନ୍‌ଜିସି ୫୪୧ଟି କୂଆ ଖୋଳିଥିଲା, ଏଥିରେ ୩୭,୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହା କମ୍ପାନୀର ଇତିହାସରେ ସର୍ବାଧିକ ବୋଲି ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି।

ପଢ଼ନ୍ତୁ- ଇରାନ-ଇସ୍ରାଏଲ ଯୁଦ୍ଧ: ଭୟଙ୍କର ଭାବେ ପ୍ରଭାବିତ ହେବ ଭାରତ, ବିଶ୍ୱ ଅର୍ଥନୀତି ପାଇଁ ବିପଦ

ସରକାରୀ ତଥ୍ୟ ଅନୁସାରେ ଦେଶର ୮୫% ରୁ ଅଧିକ ଅଶୋଧିତ ତୈଳ ଆମଦାନୀ କରାଯାଉଛି। ବିଶ୍ୱ ସ୍ତରରେ, ଆମେରିକା ଏବଂ ଚୀନ୍ ପରେ ଭାରତ ତୃତୀୟ ସର୍ବବୃହତ ଅଶୋଧିତ ତୈଳ ଆମଦାନୀକାରୀ ରାଷ୍ଟ୍ର। ଭାରତରେ ବର୍ତ୍ତମାନ ଆସାମ, ଗୁଜୁରାଟ, ରାଜସ୍ଥାନ, ମୁମ୍ବାଇ ଏବଂ କୃଷ୍ଣା-ଗୋଦାବରୀ ବେସିନରୁ ଅଶୋଧିତ ତୈଳ ଉତ୍ତୋଳନ କରାଯାଉଛି। 

ଅଶୋଧିତ ତୈଳ ଆମଦାନୀ ସହିତ ଭାରତ ରିଫାଇନ ହୋଇଥିବା ତୈଲର ଏକ ବିଶାଳ ଭଣ୍ଡାର ମଧ୍ୟ ରଖିଛି। ବିଶାଖାପାଟଣା, ମାଙ୍ଗାଲୋର ଏବଂ ପୁଡୁରରେ ରିଫାଇନ ତେଲ ଭଣ୍ଡାର ରହିଛି। ଏହା ବ୍ୟତୀତ, ଓଡ଼ିଶା ଏବଂ ରାଜସ୍ଥାନରେ ମଧ୍ୟ ତୈଳ ଭଣ୍ଡାର ତିଆରି କରାଯାଉଛି। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.