ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ଇରାନର ପରମାଣୁ କେନ୍ଦ୍ରକୁ ଟାର୍ଗେଟ୍ କରି ଇସ୍ରାଏଲ ଆକ୍ରମଣ କରିବା ପରେ ଇରାନ ମଧ୍ୟ ଜବାବୀ ଆକ୍ରମଣ କରିଛି। ଫଳରେ ମଧ୍ୟପ୍ରାଚ୍ୟରେ ବ୍ୟପାକ ଉତ୍ତେଜନା ଆଶଙ୍କା ବଢ଼ି ଯାଇଛି। ତେବେ ଏଥର ପରିସ୍ଥିତି କେବଳ ପଶ୍ଚିମ ଏସିଆ ନୁହେଁ, ବରଂ ଭାରତ ଭଳି ଦେଶଗୁଡ଼ିକୁ ମଧ୍ୟ ପ୍ରଭାବିତ କରିପାରେ। ବିଶ୍ୱରେ ଚିନ୍ତାର କାରଣ ହେଉଛି ଇରାନ ଷ୍ଟ୍ରେଟ୍ ଅଫ୍ ହରମୁଜ୍ । ଏହା ଏକ ସଂକୀର୍ଣ୍ଣ କିନ୍ତୁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଜଳପଥ, ଯାହା ମାଧ୍ୟମ ଦେଇ ବିଶ୍ୱର ପ୍ରାୟ ଏକ ତୃତୀୟାଂଶ ସମୁଦ୍ରଜାତ ତୈଳ ପରିବହନ ହେଉଛି।
ଷ୍ଟ୍ରେଟ୍ ଅଫ୍ ହରମୁଜ୍: ବିଶ୍ୱ ଅବରୋଧ ବିନ୍ଧୁ
ପାରସ୍ୟ ଉପସାଗର ଏବଂ ଓମାନ ଉପସାଗରକୁ ସଂଯୋଗ କରୁଥିବା ଏହି ସାମୁଦ୍ରିକ ସଂକୀର୍ଣ୍ଣ ଜଲ ପଥ ବିଶ୍ୱ ଶକ୍ତି ଯୋଗାଣରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ଆଉ ଯୁଦ୍ଧ ଯୋଗୁ ଯଦି ଏହି ଜଳପଥ ଅବରୋଧ ହୁଏ ତେବେ ଏହା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିପାରେ। ତୈଳ ମୂଲ୍ୟ ବୃଦ୍ଧି ପାଇପାରେ ଏବଂ ଯୋଗାଣ ଶୃଙ୍ଖଳା ଅବରୋଧି ହୋଇପାରେ, ଯାହା ଭାରତ ସମେତ ବିଶ୍ୱବ୍ୟାପୀ ଶକ୍ତି-ନିର୍ଭରଶୀଳ ଅର୍ଥନୀତିକୁ ପ୍ରଭାବିତ କରିବାର ଅଶଙ୍କା ରହିଛି।
ଜୁଲିୟସ୍ ବେୟରର ଅର୍ଥନୀତିଜ୍ଞ ଏବଂ ପରବର୍ତ୍ତୀ ପିଢ଼ିର ଗବେଷଣା ମୁଖ୍ୟ ନର୍ବର୍ଟ ରକର ଏନେଇ ସାରା ବିଶ୍ୱକୁ ଚେତାବନୀ ଦେଇଛନ୍ତି। ତାଙ୍କ ମତରେ ଏବେ ପ୍ରକୃତ "ଭୂ-ରାଜନୀତି ଫେରିଛି। ସେ କହିଛନ୍ତି ଯେ ଇରାନ ବିରୁଦ୍ଧରେ ଇସ୍ରାଏଲର ସାମରିକ ଆକ୍ରମଣ ଷ୍ଟ୍ରେଟ୍ ଅଫ୍ ହରମୁଜ୍ ଅଞ୍ଚଳରେ ବ୍ୟାପକ ଉତ୍ତେଜନା ସୃଷ୍ଟି କରିପାରେ। ତେଲ ସବୁବେଳେ ଏଭଳି ସଂଘର୍ଷର ଏକ ମାପକାଠି ହୋଇ ଆସିଛି। ଏବଂ ସେହି ଅନୁସାରେ ମୂଲ୍ୟ ବୃଦ୍ଧି ପାଇଆସିଛି। ତେଣୁ ଆଗାମୀ ଦିନମାନଙ୍କର ତେଲ ଦର ବଢ଼ିପାରେ ବୋଲି ନର୍ବର୍ଟ ରକର ଚେତାବନୀ ଦେଇଛନ୍ତି।
ଭାରତ ଉପରେ ପ୍ରଭାବ
ଇସ୍ରାଏଲ- ଇରାନ ଯୁଦ୍ଧରେ ଏମିତି ତ ସାରା ବିଶ୍ୱ ପ୍ରଭାବିତ ହେବେ ହେଲେ ଅଧିକ ପ୍ରଭାବିତ ହୋଇପାରେ ଭାରତ। କାରଣ ଭାରତ ଏହାର ଦୁଇ-ତୃତୀୟାଂଶରୁ ଅଧିକ ତୈଳ ଏବଂ ପ୍ରାୟ ଅଧା ତରଳ ପ୍ରାକୃତିକ ଗ୍ୟାସ (LNG) ଏହି ହର୍ମୁଜ୍ ଜଳ ପଥ ଦେଇ ଆମଦାନୀ କରିଥାଏ।। ଆଉ ଯୁଦ୍ଧ ଯୋଗୁ ଯଦି ଏଠାରେ ଅବରୋଧ ଭଳି ପରିସ୍ଥିତି ସୃଷ୍ଟି ହେଲା ତେବେ ଭାରତ ବିକଳ୍ପ ଉତ୍ସ ଏବଂ ରାସ୍ତା ଖୋଜିବାକୁ ବାଧ୍ୟ ହୋଇପାରେ। ଯେଉଁଥିରେ ସାଧାରଣତଃ ଅଧିକ ଖର୍ଚ୍ଚ ଏବଂ ଲଜିଷ୍ଟିକ୍ ଚ୍ୟାଲେଞ୍ଜ ରହିଛି। ତେଣୁ ଭାରତକୁ ଏହା ମହଙ୍ଗା ପଡ଼ିପାରେ।
ତୈଳ ମୂଲ୍ୟ ବୃଦ୍ଧି ଏବଂ ମୁଦ୍ରାସ୍ଫୀତି ବିପଦ
ଇରାନ-ଇସ୍ରାଏଲ୍ ମଧ୍ୟରେ ବିବାଦ ଯୋଗୁ ଯଦି ଏହି ଅଞ୍ଚଳରେ ସମସ୍ୟା ସୃଷ୍ଟି ହେଲା ତେବେ ତୈଳ ମୂଲ୍ୟ ବ୍ୟାରେଲ ପିଛା $୧୨୦ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଯାହା ମୁଦ୍ରାସ୍ଫୀତିକୁ ବୃଦ୍ଧି କରିବ ଏବଂ ଭାରତର କରେଣ୍ଟ ଆକାଉଣ୍ଟ ଡେଫିସିଟ୍ ବଢ଼ାଇବ କରିବ ବୋଲି ଆମେରିକୀୟ ବହୁରାଷ୍ଟ୍ରୀୟ ଆର୍ଥିକ ନିଗମ ଜେପିମୋର୍ଗାନ( JPMorgan) ଚେତାବନୀ ଦେଇଛି।
ଅଶୋଧିତ ତେଲର ମୂଲ୍ୟ ବୃଦ୍ଧି ପାଇବା ଯୋଗୁ ଶିପିଂ କମ୍ପାନୀଗୁଡ଼ିକର ପରିଚାଳନା ଖର୍ଚ୍ଚ ବଢ଼ିଯିବ। କାରଣ ଯାହାଜଗୁଡ଼ିକୁ ତେଲ ଆମଦାନୀ ପାଇଁ ଅନ୍ୟ ମାର୍ଗ ଦେଇ ଯିବାକୁ ପଡ଼ିବ, ଏଥିରେ ରାସ୍ତା ଲମ୍ବା ହେଲେ ଇନ୍ଧନ ଅଧିକ ଖର୍ଚ୍ଚ ହେବ। ମାଲ ପରିବହନ ଶୁଳ୍କ ଏବଂ ବିତରଣ ସମୟ ବୃଦ୍ଧି ପାଇବ।
ଖାଉଟି ଏବଂ ଶିଳ୍ପ ଉପରେ ପ୍ରଭାବ
ଆଶଙ୍କା ମୁତାବକ ଯଦି ତୈଳ ମୂଲ୍ୟ ବୃଦ୍ଧି ପାଏ ତେବେ ଭାରତୀୟ ପରିବାର ଏବଂ ବ୍ୟବସାୟ ଉପରେ ଏହାର ଗଭୀର ପ୍ରଭାବ ପଡ଼ିବ। ଖର୍ଚ୍ଚ ବଢ଼ିଲେ ଜୀବନଯାପନ ମହଙ୍ଗା ହୋଇଯିବ। ତେଣୁ ଗ୍ରାହକ ଖର୍ଚ୍ଚ କମ୍ କରିବାକୁ କିଣାକିଣି କରିବା କମାଇ ପାରନ୍ତି। ଯାହା ଦେଶର ଅର୍ଥନୀତିର ଗତିକୁ ଦୁର୍ବଳ କରିଦେବ। ସେହିଭଳି ଶିଳ୍ପଗୁଡ଼ିକ କଞ୍ଚାମାଲ ଭାବରେ ତେଲ ଉପରେ ନିର୍ଭରଶୀଳ ଥିବାରୁ ଏହାର ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଇବ। ଏଥିରେ ଉଦ୍ୟୋଗୁଡ଼ିକର ପ୍ରତିଯୋଗିତାମୂଳକ କାର୍ଯ୍ୟକଳାପକୁ ପ୍ରଭାବିତ କରିପାରେ।
ଯୁଦ୍ଧ ପରେ ବିପଦପ୍ରବଣ ହୋଇଥିବା ଜଳପଥ ଦେଇ ଯାହାଜଗୁଡ଼ିକ ଗଲେ ସେମାନଙ୍କର ବୀମା ପ୍ରିମିୟମ ବୃଦ୍ଧି ପାଇବ। ଫଳରେ ଏହା ବିଶ୍ୱ ବାଣିଜ୍ୟ ଖର୍ଚ୍ଚ ଉପରେ ଆହୁରି ଚାପ ସୃଷ୍ଟି କରିବ। ପ୍ରକୃତରେ, ଏହି ସଂଘର୍ଷର ବ୍ୟାପକ ପ୍ରଭାବ ବିଶ୍ୱ ବାଣିଜ୍ୟର ପରସ୍ପର ସଂଯୁକ୍ତତା ଏବଂ ଆର୍ଥିକ ଅଭିବୃଦ୍ଧି ଉପରେ ପଡ଼ିବ। ତେଣୁ ଏସବୁ ସୁରକ୍ଷା ପାଇଁ ଆଞ୍ଚଳିକ ଶାନ୍ତି କେତେ ଗୁରୁତ୍ୱପୂର୍ଣ୍ଣ ତାହା ଏଥିରୁ ଜଣାପଡ଼ୁଛି। ଏହା ବ୍ୟତୀତ, ପଶ୍ଚିମ ଏସିଆରେ ସ୍ଥିରତା ବଜାୟ ରଖିବା ନିରବଚ୍ଛିନ୍ନ ଶକ୍ତି ଯୋଗାଣକୁ ସୁରକ୍ଷିତ ରଖିବା ପାଇଁ ଅତ୍ୟନ୍ତ ଜରୁରୀ, ଯାହା ଭାରତର ଆର୍ଥିକ ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମଧ୍ୟ।