LIVE TV

ଅଭିଷେକଙ୍କ ଧମାକା, କୁଲଦୀପ-ବୁମରାଙ୍କ ଚମକ; ବାଂଲାଦେଶକୁ ହରାଇ ଏସିଆ କପ୍ ଫାଇନାଲରେ ଭାରତ

NEWS7
IND vs BAN

ଦୁବାଇ: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ଓ କୁଲଦୀପ ଯାଦବ ଏବଂ ଯଶପ୍ରୀତ ବୁମରାଙ୍କ ଶାଣିତ ବୋଲିଂ ବଳରେ ଭାରତ ସୁପର-୪ ମ୍ୟାଚରେ ବାଂଲାଦେଶକୁ ୪୧ ରନରେ ହରାଇଛି। ବିଜୟ ସହ ଭାରତ ଏସିଆ କପ ୨୦୨୫ର ଫାଇନାଲ୍‌ରେ ପ୍ରବେଶ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ଅଭିଷେକ ଶର୍ମାଙ୍କ ୭୫ ରନ ବଳରେ  ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୬୮ ରନ କରିଥିଲା। ଜବାବରେ ବାଂଲାଦେଶ ଭାରତୀୟ ବୋଲରଙ୍କ ଶାଣିତ ବୋଲିଂର ଉଚିତ୍ ମୁକାବିଲା କରି ପାରି ୧୨୭ ରନରେ ଅଲଆଉଟ୍ ହୋଇଛି। ସୈଫ ହନ ୬୯ ରନର ଇନିଂସ ଖେଳିଥିବା ବେଳେ ବାକି ବ୍ୟାଟର ଫେଲ୍ ମାରିଥିଲେ।  ବୋଲିଂରେ ଭାରତ ପକ୍ଷରୁ କୁଲଦୀପ ଯାଦବ ୩ ଓ୍ଵିକେଟ୍, ଯଶପ୍ରୀତ ବୁମରା ଓ ବରୁଣ ପ୍ରତ ୨ଟି ଓ୍ଵିକେଟ୍ ନେଇଥିଲେ। ଗୁରୁବାର ସୁପର-୪ରେ ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ଖେଳାଯିବ ଗୁରୁତ୍ଵପୂର୍ଣ୍ଣ ମ୍ୟାଚ୍। ଏହି ମୁକାବିଲା ଯେଉଁ ଦଳ  ଜିତିବ ସେ ୨୮ ତାରିଖ ଫାଇନାଲରେ ଭାରତକୁ ଭେଟିବ।

 

୧୬୯ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ବାଂଲାଦେଶର ଆରମ୍ଭ ନିରାଶ ଥିଲା। ଦଳ ଦ୍ଵିତୀୟ ଓଭରରେ ତଞ୍ଜିଦ ହୁସେନ(୧)ଙ୍କ ଓ୍ଵିକେଟ୍ ହରାଇଥିଲା। ଏହା ପରେ ସୈଫ ହସନ  ଓ ପରଭେଜ ହୁସେନ ଇମନ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୪୨ ରନ ଯୋଡ଼ିଥିଲେ। ଇମନ(୨୧ ରନ)ଙ୍କୁ ଆଉଟ୍ କରି କୁଲଦୀପ ଭାରତକୁ ଦ୍ଵିତୀୟ ସଫଳତା ଦେଇଥିଲେ। ଗୋଟିଏ ପଟେ ଓପନର ସୈଫ ହସନ ଭାରତୀୟ ବୋଲରଙ୍କ ପାଲଟା ଆକ୍ରମଣ କରି ଦଳ ବିଜୟର ଆଶା ଉଜ୍ଜିବୀତ ରଖିଥିଲେ।ଅନ୍ୟପଟେ କୁଲଦୀପ ଯାଦବଙ୍କ ଘାତକ ବୋଲିଂର ମୁକାବିଲା କରି ନ ପାରି ବାଂଲାଦେଶ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା।

ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ସୈଫ ହସନ ୫୧ ବ ଲରୁ ୩ ଚୌକା ଓ ୫ ଛକା ସହ ୬୯ ରନର ଇନିଂସ ଖେଳିଥିଲେ। ୯ ଜଣ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ଶେଷରେ ଦଳ ୧୯.୩ ଓଭରରେ ୧୨୭ ରନରେ ଅଲଆଉଟ୍ ହୋଇଛି। ବୋଲିଂରେ କୁଲଦୀପ ଯାଦବ ୧୮ ରନ ଦେଇ ୩ଟି ଓ୍ଵିକେଟ୍ ଅକ୍ତିକାର କରିଥିଲେ। ବୁମରା ମଧ୍ୟ ୧୮ ରନ ଦେଇ ୨ ଓ୍ଵିକେଟ୍  ଓ ବରୁଣ ଚକ୍ରବର୍ତ୍ତୀ ୨୯ ରନ ବିନିମୟରେ ଦୁଇଟି ସଫଳତା ହାସଲ କରିଥିଲେ।

ଭାରତ ଇନିଂସ

ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଆରମ୍ଭ ଦମଦାର ଥିଲା। ଅଭିଷେକ ଧୂଆଁଧାର ବ୍ୟାଟିଂ କରିଥିଲେ। ସେ ଓ ଗିଲ୍ ପାଓ୍ଵାର ପ୍ଲେରେ ୭୨ ରନ ଯୋଡ଼ି ବିଶାଳ ସ୍କୋର ମୂଳଦୁଆ ପକାଇଥିଲେ। ଗିଲ୍ ୧୯ ବଲ୍‌ରୁ ୨୯ ରନ କରିଥିଲେ। ଉପର ଅର୍ଡରରେ ବ୍ୟାଟିଂର ସୁଯୋଗ ପାଇଥିବା ଶିବମ ଦୁବେ ୨ ରନ କରି ଆଉଟ୍ ହୋଇଥିଲେ। ଅନ୍ୟପଟେ ଅଭିଷେକ ନିଜର ଧୂଆଁଧାର ବ୍ୟାଟିଂ ଜାରି ରଖିଥିଲେ। ତେବେ ୧୧୨ ରନ ସ୍କୋରରେ ଭାରତକୁ ବହୁତ ବଡ଼ ଝଟକା ଲାଗିଥିଲା। ଦୁର୍ଭାଗ୍ୟବଶତଃ ରନ ଆଉଟ୍ ହୋଇଥିଲେ। ଅଭିଷେକ ଶର୍ମା। ସେ ୩୭ ବଲରୁ ୬ ଚୌକା ଓ ୭ ଛକା ସହ ୭୫ ରନର ଇନିଂସ ଖେଳିଥିଲେ। ହେଲେ ସେ ଦେଇଥିବା ଦମଦାର ଆରମ୍ଭର ଫାଇଦା ଉଠାଇ ପାରି ନ ଥିଲା ଭାରତ।

ମଧ୍ୟ କ୍ରମରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବାଦ୍ ଦେଲେ ବାକି ବ୍ୟାଟର ନିରାଶ କରିଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ(୫ ରନ) ସବୁଠୁ ଅଧିକ ନିରାଶ କରିଥିଲେ। ତିଳକ ବର୍ମା (୫ ରନ) ବଡ ସ୍କୋର ଖେଳିବାକୁ ଯାଇ ଆଉଟ୍ ହୋଇଥିଲେ। ତେବେ  ହାର୍ଦ୍ଦିକ ପାଣ୍ଡ୍ୟା ୨୯ ବଲରୁ  ୩୮ ରନ କରିବାରୁ ଭାରତ ୬ ଓ୍ଵିକେଟ୍ ହରାଇ ୧୬୮ ରନ କରି  ପାରିଛି। ଅକ୍ଷର ପଟେଲ୍ ୧୫ ବଲରୁ ମାତ୍ର ୧୦ ରନ କରି ଅପରାଜିତ ଥିଲେ। ଏକଦା ୧୧ ଓଭରରେ ୧୧୨ ରନ କରିଥିବା ଭାରତ ଶେଷ ୯ ଓଭରରେ ମାତ୍ର ୫୬ ରନ କରି ପାରିଥିଲା। ବୋଲିଂରେ ରିଶଦ ହୁସେନ ୨ଟି ଓ୍ଵିକେଟ୍ ନେଇଥିଲେ। ତଞ୍ଜିଦ ହୁସେନ, ମୁସ୍ତାଫିଜୁର ଓ ସୈଫୁଦିନ ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଛି। ​​​​​​​