ନୂଆଦିଲ୍ଲୀ: କାନାଡାର ବ୍ରାମ୍ପଟନ୍ରେ ହିନ୍ଦୁ ସଭା ମନ୍ଦିରରେ ଖଲିସ୍ତାନ ଉଗ୍ରପନ୍ଥୀଙ୍କ ଦ୍ୱାରା ହିଂସା ଏବଂ ହିନ୍ଦୁଙ୍କ ଉପରେ ଆକ୍ରମଣ ଘଟଣା ଉପରେ ଭାରତ ସରକାର ବୟାନ ଜାରି କରିଛନ୍ତି । ଭାରତ ସରକାର ଏହି ଘଟଣାକୁ କଠୋର ଶବ୍ଦରେ ନିନ୍ଦା କରିବା ସହ ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଟ୍ରୁଡୋ ସରକାରଙ୍କୁ କହିଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସୱାଲ ବୟାନ ଜାରି କରି ହିଂସାରେ ସାମିଲ ଲୋକଙ୍କ ବିରୁଦ୍ଧରେ ତୁରନ୍ତ ମୋକଦ୍ଦମା ଚଲାଇବା ଦରକାର ବୋଲି କହିଛନ୍ତି ।
ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି, 'ବ୍ରାମ୍ପଟନ, ଓଣ୍ଟାରିଓରେ ହିନ୍ଦୁ ସଭା ମନ୍ଦିରରେ ଚରମପନ୍ଥୀ ଏବଂ ବିଚ୍ଛିନ୍ନତାବାଦୀଙ୍କ ଦ୍ୱାରା କରାଯାଇଥିବା ହିଂସାକୁ ନିନ୍ଦା କରୁଛୁ । କାନାଡା ସରକାର ସବୁ ପୂଜା ସ୍ଥାନରେ ସୁରକ୍ଷା ସୁନିଶ୍ଚିତ କରନ୍ତୁ । ଏହାସହ ହିଂସାରେ ସାମିଲ ଲୋକଙ୍କ ବିରୁଦ୍ଧର ମୋକଦ୍ଦମା ଚଲାଯିବ ବୋଲି ଆମେ ଆଶା କରୁଛୁ ।'\
ଜୟସୱାଲ କହିଛନ୍ତି, 'କାନାଡାରେ ଭାରତୀୟ ନାଗରିକଙ୍କ ସୁରାକ୍ଷାକୁ ନେଇ ଆମେ ଚିନ୍ତିତ ଅଛୁ । ଆଶା କରୁଛି ଯେ ଭାରତୀୟ ଏବଂ କାନାଡିୟ ନାଗରିକଙ୍କୁ ସେବା ପ୍ରଦାନ କରିବା ପାଇଁ ଆମ ବାଣିଜ୍ୟ ଦୂତାବାସ ଅଧିକାରୀଙ୍କୁ କେହି ଅଟକାଇପାରିବେ ନାହିଁ ।'
ଉଲ୍ଲେଖଯୋଗ୍ୟ ଯେ ରବିବାର ବ୍ରାମ୍ପଟନରେ ହିନ୍ଦୁ ସଭା ମନ୍ଦିରରେ ଖଲିସ୍ତାନୀ ପତାକା ଧରି କିଛି ଲୋକ ହିନ୍ଦୁ ସମୁଦାୟ ସହ ମାରପିଟ୍ କରିଥିଲେ । ଘଟଣା ସମୟର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ପରେ ସାରା ଦୁନିଆରେ ହିନ୍ଦୁ ସମୁଦାୟ ମଧ୍ୟରେ ଆକ୍ରୋଶ ରହିଛି । ମାମଲାର ଗମ୍ଭୀରତାକୁ ଦେଖି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏହି ଘଟଣାକୁ ନିନ୍ଦା କରିବା ସହ ଏଭଳି କାର୍ଯ୍ୟ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ।