News7 Logo

ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ଟିମ୍ ଇଣ୍ଡିଆ ଘୋଷଣା, ଶ୍ରେୟସ ଆୟରଙ୍କୁ ମିଳିଲା କ୍ୟାପ୍ଟେନ ଦାୟିତ୍ୱ

NEWS7
Shreyas Iyer

​​​​​​​ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ-ଏ ବିପକ୍ଷ ସିରିଜ ପାଇଁ ଇଣ୍ଡିଆ-ଏ ଟିମ୍ ଘୋଷଣା ହୋଇଛି । ଅଜିତ୍ ଅଗରକରଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ଚୟନକର୍ତ୍ତା କମିଟି ଶନିବାର ଖେଳାଳିଙ୍କ ନାଁ ଘୋଷଣା କରିଛି । ଏସିଆ କପ୍ ପାଇଁ ଅଣଦେଖା ହୋଇଥିବା ଶ୍ରେୟସ ଆୟରଙ୍କୁ ଟିମ୍ ଅଧିନାୟକ କରାଯାଇଛି । ଦୁଇ ଟିମ୍ ମଧ୍ୟରେ ଚାରି ଦିନିଆ ମ୍ୟାଚର ସିରିଜ ଖେଳାଯିବ ।

ଲକ୍ଷ୍ନୌରେ ଉଭୟ ମ୍ୟାଚ୍‌ରେ ଖେଳାଯିବ । ପ୍ରଥମ ମ୍ୟାଚ୍ ସେପ୍ଟେମ୍ୱର ୧୬ରୁ ୧୯ ଯାଏ ଖେଳାଯିବ । ସେହିପରି ଦ୍ୱିତୀୟ ମ୍ୟାଚ୍ ସେପ୍ଟେମ୍ୱର ୨୩ରୁ ୨୬ ଯାଏ ଖେଳାଯିବ । ଏହି ସିରିଜ ପରେ ଦିନିକିଆ ମ୍ୟାଚ୍‌ ସିରିଜ ଖେଳାଯିବ । ତେବେ ଦିନିକିଆ ପାଇଁ ଏବେ ଟିମ୍ ଘୋଷଣା ହୋଇ ନାହିଁ । ତିନି ଦିନିକିଆ ମ୍ୟାଚ୍ ସିରିଜ୍ ସେପ୍ଟେମ୍ୱର ୩୦, ଅକ୍ଟୋବର ୩, ଅକ୍ଟୋବର ୫ରେ ଖେଳାଯିବ ।

ୟୁଏଇରେ ଖେଳାଯିବାକୁ ଥିବା ଏସିଆ କପ୍ ପାଇଁ ଆୟରଙ୍କୁ ଟିମ୍ ଇଣ୍ଡିଆରେ ସ୍ଥାନ ମିଳିନାହିଁ । ଏଥିପାଇଁ ଚୟନ କମିଟିକୁ କଡ଼ା ସମାଲୋଚନା କରାଯାଇଥିଲା । ତଥାପି ଅନେକ ଗଣମାଧ୍ୟମ ରିପୋର୍ଟ ଦାବି କରିଥିଲା ​​ଯେ ବିସିସିଆଇ ଆୟରଙ୍କୁ ଦିନିକିଆ ଦଳର ପରବର୍ତ୍ତୀ ଅଧିନାୟକ ଭାବରେ ଦେଖୁଛି ଏବଂ ଏଥିପାଇଁ ତାଙ୍କୁ ପ୍ରସ୍ତୁତ କରିବାକୁ ଚାହୁଁଛି । ସମ୍ଭବତଃ ଭାରତ-ଏ'ର ଅଧିନାୟକତ୍ୱ ଦାୟିତ୍ୱ ଦେବା ଏହି କ୍ରମରେ ବଡ଼ ପଦକ୍ଷେପ ବୋଲି କୁହାଯାଉଛି ।

ଟିମରେ ୱିକେଟକିପର ଧ୍ରୁବ ଜୁରେଲଙ୍କୁ ମଧ୍ୟ ସ୍ଥାନ ମିଳିଛି ଏବଂ ତାଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଦୁଲୀପ ଟ୍ରଫିରେ ଭଲ ବ୍ୟାଟିଂ କରିଥିବା ଏନ୍.ଜଗଦିଶନଙ୍କୁ ଦଳରେ ସାମିଲ କରାଯାଇଛି । ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆରେ ଥିବା ନୀତୀଶ କୁମାର ରେଡ୍ଡୀ ଏବଂ ପ୍ରସିଦ୍ଧ କୃଷ୍ଣଙ୍କୁ ମଧ୍ୟ ଏହି ଦଳରେ ସ୍ଥାନ ମିଳିଛି । ଟିମ୍ ଇଣ୍ଡିଆର ବରିଷ୍ଠ ବ୍ୟାଟର କେଏଲ୍ ରାହୁଲ ଓ ଇଂଲଣ୍ଡ ସିରିଜରେ ଭାରତର ବିଜୟର ନାୟକ ଥିବା ମହମ୍ମଦ ସିରାଜଙ୍କୁ ଟିମରେ ସ୍ଥାନ ମିଳିଛି । ତେବେ ଦୁଇ ଖେଳାଳି ପ୍ରଥମ ଖେଳିବେ ନାହିଁ । ଦ୍ୱିତୀୟ ମ୍ୟାଚରେ ଟିମରେ ଯୋଗଦେବେ ।

ଅଷ୍ଟ୍ରେଲିଆ ଏ ବିପକ୍ଷ ସିରିଜ୍ ପାଇଁ ଇଣ୍ଡିଆ-ଏ ଦଳ: ଶ୍ରେୟସ୍ ଆୟର୍ (ଅଧିନାୟକ), ଅଭିମନ୍ୟୁ ଇଶ୍ୱରାନ୍, ଏନ.ଜଗଦିଶନ (ୱିକେଟ୍ କିପର), ସାଇ ସୁଦର୍ଶନ, ଧ୍ରୁଭ ଜୁରେଲ (ଉପ-ଅଧିନାୟକ ତଥା ୱିକେଟ୍ କିପର), ଦେବଦତ୍ତ ପାଡିକଲ, ହର୍ଷ ଦୁବେ, ଆୟୁଷ ବାଦୋନି, ନୀତୀଶ କୁମାର ରେଡ୍ଡୀ, ତନୁଷ କୋଟିୟାନ, ପ୍ରସିଦ୍ଧ କ୍ରିଷ୍ଣା, ଖିଲିଲ ଅହମ୍ମଦ, ମାନଭ ସୂତାର, ୟଶ ଠାକୁର ।