LIVE TV

ସିରାଜ-ବୁମରାଙ୍କ ଘାତକ ବୋଲିଂ, ୱେଷ୍ଟଇଣ୍ଡିଜର ପ୍ରଥମ ଇନିଂସ ୧୬୨ ରନରେ ଶେଷ

NEWS7
INDIA

ଅହମଦାବାଦ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍ ମାତ୍ର ୧୬୨ ରନରେ ଅଲଆଉଟ୍ ହୋଇଛି । ୱେଷ୍ଟଇଣ୍ଡିଜ୍ ବ୍ୟାଟରମାନେ ଭାରତୀୟ ବୋଲରଙ୍କ ସାମ୍ନାରେ ଦୁଇଟି ସେସନ୍ ମଧ୍ୟ ତିଷ୍ଠି କରିପାରି ନଥିଲେ । ମହମ୍ମଦ ସିରାଜ ସର୍ବାଧିକ ୪ ୱିକେଟ୍ ନେଇଥିବା ବେଳେ ବୁମରା ୩ ଏବଂ କୁଲଦୀପ ଯାଦବ ୨ ୱିକେଟ୍ ନେଇଥିଲେ । ଭ୍ରମଣକାରୀ ଦଳର କୌଣସି ବ୍ୟାଟର ବ୍ୟକ୍ତିଗତ ଭାବେ ୪୦ ରନ୍ ଛୁଇଁ ପାରି ନଥିଲେ । ଜଷ୍ଟିନ୍ ଗ୍ରୀଭସ ସର୍ବାଧିକ ୩୨ ରନ୍ କରିଥିଲେ ।

ୱେଷ୍ଟଇଣ୍ଡିଜ ଆରମ୍ଭ ଖରାପ ଥିଲା । ଦଳ ପ୍ରଥମ ଘଣ୍ଟାରେ ୪୨ ରନରେ ଚାରି ୱିକେଟ୍ ହରାଇଥିଲା । ତେଜନାରାୟଣ ଚନ୍ଦ୍ରପଲ (୦), ବ୍ରାଣ୍ଡନ୍ କିଙ୍ଗ (୧୨) ଏବଂ ଆଲିକ୍ ଆଥାନାଜେ (୧୩)ଙ୍କୁ ସିରାଜ ଆଉଟ୍ କରିଥିଲେ । ଅନ୍ୟପଟେ ଜନ୍ କ୍ୟାମ୍ପବେଲ (୮)ଙ୍କୁ ବୁମରା ଆଉଟ୍ କରିଥିଲେ । ଅଧିନାୟକ ରୋଷ୍ଟନ୍ ଚେଜ୍ ଏବଂ ଶାଇ ହୋପ୍ ପଞ୍ଚମ ୱିକେଟ୍ ପାଇଁ ୪୮ ରନ ପାର୍ଟନରଶିପ୍ କରିଥିଲେ । ହୋପଙ୍କୁ କୁଲଦୀପ ଯାଦବ ବୋଲ୍ଡ କରିଥିଲେ । ଲଞ୍ଚ୍ ପରେ ଦ୍ୱିତୀୟ ସେସନ୍‌ରେ ୨୪ ରନ୍‌ରେ ଅଧିନାୟକ ରୋଷ୍ଟନ୍ ଚେଜ୍‌ଙ୍କୁ ଆଉଟ୍ କରିଥିଲେ ସିରାଜ । ତାପରେ ଖାରି ପିଏରେ (୧୧)ଙ୍କୁ ୱାଶିଂଟନ ସୁନ୍ଦର ଏଲବିଡବ୍ଲୁ କରିଥିଲେ । ବୁମରା ଦୁଇଟି ୟର୍କର୍ ମାରି ଜଷ୍ଟିନ୍ ଗ୍ରିଭ୍ସ (୩୨) ଏବଂ ଜୋହାନ୍ ଲିଅନ୍ (୧)ଙ୍କୁ କ୍ଲିନ୍ ବୋଲ୍ଡ କରିଥିଲେ । କୁଲଦୀପ ୱାରିକାନ୍‌ (୮)ଙ୍କୁ ୱିକେଟକିପର ଜୁରେଲଙ୍କ ହାତରେ କ୍ୟାଚ୍ କରାଇ ୱେଷ୍ଟଇଣ୍ଡିଜ୍‌ ଇନିଂସକୁ ୧୬୨ ରନ୍‌ରେ ଶେଷ କରିଥିଲେ ।