ପଟନାଗଡ଼ : ଆଉ କିଛି ଦିନରେ ପରେ ପଶ୍ଚିମ ଓଡିଶାର ମହାନ ପର୍ବ ନୂଆଁଖାଇ। ନୂଆଖାଇ ଦିନ ନୂଆ ନୂଆ ସାମଗ୍ରୀ ଲାଗୁଥିବା ବେଳେ ମାଟି ପାତ୍ରର ମଧ୍ୟ ବେସ ଗୁରତ୍ଵ ରହିଥାଏ। ମାଟିପାତ୍ରରେ ରୋଷେଇ କରିବାର ପରମ୍ପରା ମଧ୍ୟ ରହିଛି। ତେବେ ପରମ୍ପରାକୁ ନଜରରେ ରଖି କୁମ୍ଭାରମାନେ ମାଟି ପାତ୍ର ଗଢିବାରେ ବ୍ୟସ୍ତ ରହିଛନ୍ତି। ଏହି ପାତ୍ର ସବୁ ତିଆରି ହୋଇଗଲା ପରେ ଗାଁ ପାଖ ବଜାରରେ ବିକ୍ରି କରିବାକୁ ପ୍ରସ୍ତୁତି ଚଳାଇଛନ୍ତି । ପ୍ରାୟ ଗାଁରେ ନୂଆଖାଇ ପୂର୍ବରୁ ତିହାରି ବଜାର ବସିଥାଏ। ଏହି ବଜାରରେ କେମିତି ଅଧିକରୁ ଅଧିକ ମାଟି ପାତ୍ର ବିକ୍ରି କରିବ କୁମ୍ଭାର ସେନେଇ ହଜାର ହଜାର ସଂଖ୍ୟାରେ ପାତ୍ର ତିଆରି କରୁଛନ୍ତି।
କେବଳ ଯେ ନୂଆଁଖାଇ ଦିନ ମାଟିର ତିଆରି ପାତ୍ର ଲାଗିଥାଏ ତାହା ନୁହେଁ ବାଉଁଶରେ ତିଆରି ହୋଇଥିବା ବିଭିନ୍ନ ସାମଗ୍ରୀର ମଧ୍ୟ ବେଶ୍ ଗୁରୁତ୍ଵ ରହିଛି । ତେଣୁ ବାଉଁଶ କାରିଗରମାନେ ପନ୍ଦର ଦିନ ଆଗରୁ ବାଉଁଶରେ ଖଡକା ସହ ଅନ୍ୟ ସାମଗ୍ରୀ ତିଆରି କରୁଛନ୍ତି । ଏହି ସାମଗ୍ରୀ ନୂଆଖାଇ ଦିନ ବ୍ୟବହାର କରାଯାଇଥାଏ , ବାଉଶ କାରିଗର ମାନେ ନିଜର କୌଳିକ ବୃତ୍ତି ଯୋଗୁ ନୂଆ ଖାଇ ପର୍ବରେ ବେଶ୍ ଦୁଇ ପଇସା ରୋଜଗାର କରନ୍ତି । ବାଉଁଶରେ ତିଆରି ଖଡକା , କୁଲା , ଭୁଗା ସହ ଅନ୍ୟ ସାମଗ୍ରୀ ବଜାରରେ ବିକ୍ରି ପାଇଁ ବାଉଁଶ କାରିଗର ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି । ତେବେ ଏହି ବାଉଁଶରେ ତିଆରି ହୋଇଥିବା ସାମଗ୍ରୀ ପାଖ ବଜାର ସହ ଜିଲ୍ଲା ତଥା ଜିଲ୍ଲା ବାହାର ବଜାରକୁ ଯାଇଥାଏ।
ସେ ଆନନ୍ଦ ଉଲ୍ଲାସର ପର୍ବ ନୂଆଁଖାଇ ପାଇଁ ଗାଁରୁ ସହର ସବୁଠି ଦେଖିବାକୁ ମିଳୁଛି ବେଶ୍ ଉତ୍ସାହ। ଆଉ ଏମିତି ମୁହୂର୍ତ୍ତକୁ କେମିତି ବା ହାତ ଛଡା କରିବେ କାରିଗର। ବେଶ୍ ଦୁଇ ପଇସା ପାଇବାକୁ ଆଶାବାଦୀ ଅଛନ୍ତି ପାରମ୍ପରିକ ସାମଗ୍ରୀ ତିଆରି କରୁଥିବା କାରିଗର ।