LIVE TV

ଆଡ୍ଡା ବଦଳାଉଥିବା ପାକିସ୍ତାନୀ ଆତଙ୍କବାଦୀଙ୍କୁ IAF ମୁଖ୍ୟଙ୍କ ଚେତାବନୀ, କହିଲେ- ଆମକୁ ସବୁ ଜଣା

NEWS7
gfx

ନୂଆଦିଲ୍ଲୀ ୩।୧୦: ଅପରେସନ ସିନ୍ଦୂର ପରେ ପିଓକେରୁ ପଳାୟନ କରୁଥିବା ଆତଙ୍କବାଦୀଙ୍କୁ ଭାରତୀୟ ବାୟୁସେନା ଖୋଲା ଚ୍ୟାଲେଞ୍ଜ କରିଛି। ଭାରତୀୟ ବାୟୁସେନା (ଆଇଏଏଫ) ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଏ.ପି. ସିଂହ ଶୁକ୍ରବାର କହିଛନ୍ତି ଯେ ଆମକୁ ଏ କଥା ପ୍ରଥମରୁ ଜଣାଥିଲା ଯେ ଆତଙ୍କବାଦୀ ସେମାନଙ୍କ ଠିକଣା ବଦଳାଇବେ। ଏଣୁ ସେ ଚେତାବନୀ ଦେଇ କହିଛନ୍ତି ଯେ ସେମାନେ ଯେଉଁଠି ବି ଲୁଚନ୍ତୁ ଭାରତ ଖୋଜି ଖୋଜି ନିଶେଷ କରିଦେବ,  ଏଥି ପାଇଁ ଭାରତର କ୍ଷମତା ଅଛି।

୮ ଅକ୍ଟୋବର ବାୟୁସେନା ଦିବସ ପୂର୍ବରୁ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଏବେ ଆମକୁ ଖବର ମିଳୁଛି ଆତଙ୍କବାଦୀ ସେମାନଙ୍କ ଆଡ୍ଡା ବଦଳାଉଛନ୍ତି ଓ ସେମାନେ ଏବେ ବଡ଼ବଡ଼ ବିଲ୍ଡିଂ ବଦଳେ ଛୋଟ ଆଡ୍ଡା ତିଆରି କରୁଛନ୍ତି, ଯାହା ଦ୍ୱାରା ସେମାନେ ସାଧାରଣ ଲୋକଙ୍କ ଭିତରେ ଲୁଚି ଯାଇ ପାରିବେ। ହେଲେ ଆମ ପାଖରେ ଏବେ ଏପରି ଟେକନିକ୍ ଓ କ୍ଷମତା ଅଛି  ଆମେ ସେମାନଙ୍କ ଠିକଣାର ଗଭୀରତାକୁ ଯାଇ ସଠିକ ଟାର୍ଗେଟ୍ କରିପାରିବୁ।

ବାୟୁସେନା ମୁଖ୍ୟ କହିଛନ୍ତି ଯେ ଆମେ ସେମାନଙ୍କ ଆଡ୍ଡା ନଷ୍ଟ କରିବାରେ ସମ୍ପୂର୍ଣ୍ଣ ସକ୍ଷମ। ସେ କହିଛନ୍ତି ଯେ ଏହି ମାମଲାରେ ଭାରତ ନିକଟରେ ସବୁ ବିକଳ୍ପ ଖୋଲା ଅଛି ଓ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନରେ କୌଣସି ପରିବର୍ତ୍ତନ ହେବ ନାହିଁ। ବାୟୁସେନା ମୁଖ୍ୟଙ୍କ ଏହି ବୟାନ ଏବେ ଶତ୍ରୁଙ୍କ ନିଦ ହଜେଇ ଦେଇଛି। ଗୁଇନ୍ଦା ଏଜେନ୍ସୀଙ୍କ ଅନୁସାରେ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଏବେ ଭାରତ-ପାକ୍ ସୀମାରୁ ଦୂରକୁ ପଳାୟନ କରୁଛନ୍ତି। ଜୈସ-ଏ-ମହମ୍ମଦ, ଲସ୍କର-ଏ-ତୌୟବା ଓ ହିଜବୁଲ ମୁଜାହିଦ୍ଦିନ ଭଳି ସଙ୍ଗଠନମାନେ ସେମାନଙ୍କ କ୍ୟାମ୍ପଗୁଡିକୁ ପିଓକେରୁ ଖୈବର ପୁକ୍ତନଖ୍ୱା (କେପିକେ) ଓ ଆଫଗାନିସ୍ତାନ ସୀମାକୁ ସିଫ୍ଟ କରୁଛନ୍ତି।

କେପିକେର ଭୌଗଳିକ ସ୍ଥିତି ଓ ଆପଗାନିସ୍ତାନ ସୀମା ଏହି ସ୍ଥାନକୁ ସେମାନଙ୍କ ଲାଗି ସୁରକ୍ଷିତ ହେବ ବୋଲି ଭାବୁଛନ୍ତି।ଏକ୍ସପର୍ଟଙ୍କ ଅନୁସାରେ ଏହି ସିଫ୍ଟ ଆତଙ୍କବାଦୀଙ୍କ ନୂଆ ଷଡ଼ଯନ୍ତ୍ରର ଅଂଶବିଶେଷ ହୋଇପାରେ। ଏହା ପୂର୍ବରୁ ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଗତ ଜୁନରେ ଫରାସୀ ସମ୍ବାଦପତ୍ର ‘ଫିଗାରୋ’କୁ ଦେଇଥିବା ସାକ୍ଷାତକାରରେ କହିଥିଲେ ‘ଆତଙ୍କବାଦୀ ଯେଉଁଠି ବି ରହନ୍ତୁ ନା କାହିଁକି, ଆମେ ସେମାନଙ୍କୁ ଛାଡିବୁନି। ଆକ୍ରମଣ କଲେ ଆମେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ କରିବୁ’।