ଫସଲ ଜଗିବା ହେଲା କାଳ, ସ୍ୱାମୀ-ସ୍ତ୍ରୀଙ୍କୁ ଦଳି ମାରିଦେଲା ହାତୀ

Published By : Prameya-News7 Bureau | August 26, 2025 IST

ପଦ୍ମପୁର ୨୬।୦୮ : ଫସଲ ଜଗିବା ହେଲା କାଳ । ବିଲରେ ସ୍ୱାମୀ-ସ୍ତ୍ରୀଙ୍କୁ ଦଳିଦଲେ ହାତୀ । ଚାଲିଗଲା ଉଭୟଙ୍କ ଜୀବନ। ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ଧାନ୍ଦୁପାଲି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । 

ଖବର ଅନୁଯାୟୀ, ଧାନ୍ଦୁପାଲି ଗାଁର ବଳରାମ ରଣା ଓ ତାଙ୍କ ସ୍ତ୍ରୀ ଶଶୀ ରଣା ନିଜ ବିଲରେ ପରିବା ଚାଷ କରିଥିଲେ . ଉଭୟ ସବୁଦିନ ପରି ସୋମବାର ବିଳମ୍ବିତ ରାତିରେ ବିଲକୁ ଯାଇଥିଲେ ଫସଲ ଜଗିବାକୁ । ହେଲେ ସେଠାରେ ପଡିଗଲେ ହାତୀ ହାବୁଡ଼ରେ । ଉଭୟଙ୍କୁ ଦଳି ମାରିଦେଇଛି ହାତୀ ପଲ । ରାତିରେ ଆଉ କୌଣସି ଲୋକ ନଯାଇଥିବାରୁ ସେମାନଙ୍କ ସଂପର୍କରେ କିଛି ଖବର ମିଳିନଥିଲା । ହେଲେ ମଙ୍ଗଳବାର ଦିନ ସକାଳୁ କିଛି ଲୋକ ବିଲକୁ ଯାଇଥିଲେ । ସେଠାରେ ଦେଖନ୍ତି ତ ଉଭୟ ବିଲରେ ପଡିଛନ୍ତି । ଏହାପରେ ତୁରନ୍ତ ପରିବାର ଲୋକ ଓ ପୋଲିସକୁ ଖବର ଦେଇଥିଲେ । ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହକୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି । ବାକି ପୋଲିସର ପ୍ରାଥମିକ ରିପୋର୍ଟ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ଆଶା କରାଯାଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.