ଭୁବନେଶ୍ୱର: ଓଡ଼ିଆ ସଂଗୀତ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଆଉ ନାହାନ୍ତି । ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ସଂଧ୍ୟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ହ୍ୟୁମାନଙ୍କ ବିୟୋଗରେ ଓଲିଉଡ୍ ଜଗତରେ ଶୋକର ଛାୟା ଖେଳି ଯାଇଛି । ଓଡ଼ିଶାର ସଙ୍ଗୀନ ଦୁନିଆରେ ଏକ ଅପୂରଣନୀୟ କ୍ଷତି ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି ।

ରୋମାଣ୍ଟିକ, ଭଜନ ଅବା ଆଇଟମ୍ସ ଗୀତ ସବୁଥିରେ ମାହିର୍ । ହ୍ୟୁମାନ ସାଗରଙ୍କ କଣ୍ଠରେ ସବୁ ସଙ୍ଗୀତ ହୋଇଯାଉଥିଲା ଜୀବନ୍ତ । ତାଙ୍କ ଗୀତ ଲୋକଙ୍କ ମନରେ ସୃଷ୍ଟି କରିଛି ଏକ ଭିନ୍ନ ସ୍ଥାନ । ସେ ପ୍ରଥମେ 'ଭଏସ ଅଫ ଓଡ଼ିଶା ସିଜନ ୨' ଜିତି ଆସିଥିଲେ ଲୋକଲୋଚନକୁ । ଅଭିଜିତ ମଜୁମଦାରଙ୍କ ନିର୍ଦ୍ଦେଶନାରେ 'ଇସ୍କ ତୁ ହି ତୁ'ଫିଲ୍ମର ଟାଇଟଲ୍ ଟ୍ରାକ ଗାଇବାର ସୁଯୋଗ ପାଇଥିଲେ ସେ । ଏହା ପରେ 'ଗପ ହେଲେ ବି ସତ' ଫିଲ୍ମରେ କଣ୍ଠଦାନ କରି ଓଡ଼ିଶାର ଘରେ ଘରେ ପରିଚିତ ହୋଇଥିଲେ । ଏହାପରେ ଲଗାତାର ଗୋଟିଏ ପରେ ଗୋଟିଏ ହିଟ୍ ଗୀତ ଗାଇ ଶ୍ରୋତାଙ୍କ ମନରେ ନିଜ ଘର ତିଆରି କରିଥିଲେ ।

ହ୍ୟୁମାନ ସାଗର ତୃତୀୟ ଶ୍ରେଣୀରୁ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ । ସଙ୍ଗୀତ ପ୍ରତି ତାଙ୍କ ନିଶା, ନିଷ୍ଠା ଓ ଦୁର୍ବଳତା ଏତେ ଅଧିକ ଥିଲା ଯେ ସେ ନିଜ ଡାକ୍ତରୀ ପଢା ମଧ୍ୟ ଅଧାରୁ ଛାଡ଼ିଥିଲେ । ହ୍ୟୁମାନ ସାଗର ‘ଲଭ ୟୁ ହମେସା’, ‘ଜବରଦସ୍ତ ପ୍ରେମିକ’, ‘ବେବି’, ‘ପ୍ରେମ ନିଶା ନିଆରା ନିଆରା’, ‘ତୁ ମୋ ଲଭ ଷ୍ଟୋରୀ’, ‘ରୋମିଓ ଜୁଲିଏଟ’, ‘ଲୈଲା ଲୈଲା’, ‘ଟୋକାଟା ଫସିଗଲା’, ‘ବ୍ଲାକମେଲ’, ‘ଇସ୍କ ପୁଣିଥରେ’, ‘ପ୍ରେମ କୁମାର’ ଭଳି ଫିଲ୍ମରେ ଗୀତ ଗାଇଛନ୍ତି । ଗତବର୍ଷ ରିଲିଜ ହୋଇଥିବା ଅନୁଭବଙ୍କ ଫିଲ୍ମ 'କର୍ମ' ଗୀତ 'ଚିରିଂ ଚିରିଂ' ବି ଗାଇଥିଲେ । ଯାହା ବେଶ ଲେକପ୍ରିୟ ହୋଇଥିଲା । ସେହିପରି ଅନୁଭବଙ୍କ ଫିଲ୍ମ 'ଚାରିଧାମ' ଓ ଅର୍ଦ୍ଧେନ୍ଦୁଙ୍କ ଫିଲ୍ମ 'ଚ୍ୟାଲେଞ୍ଜ'ରେ ବି ଗୀତ ଗାଇ ଲୋକଙ୍କ ମନ ଜିତିଥିଲେ ।

ହ୍ୟୁମାନ ସାଗର ଆଗାମୀ ଫିଲ୍ମ ‘ଛକି ଶୂନ’ର ମ୍ୟୁଜିକ୍ ଶୁଟିଂ ବି ଆରମ୍ଭ କରିଥିଲେ । ଏପରିକି ସେ ଫିଲ୍ମର ଦୁଇଟି ଗୀତର ସ୍ବର ସଂଯୋଜନା କାମ ଶେଷ କରିଥିଲେ । ଆହୁରି ତିନିଟି ଗୀତ କାମ ବାକି ରହିଥିଲା ।