ଇସ୍ରାଏଲର ବିମାନ ଆକ୍ରମଣରେ ଇରାନର କେତେ ଲୋକଙ୍କ ହୋଇଛି ମୃତ୍ୟୁ ? ଆଶ୍ଚର୍ଯ୍ୟକର ତଥ୍ୟ ପ୍ରକାଶ କଲା ଦୂତାବାସ

Published By : Prameya-News7 Bureau | June 17, 2025 IST

ନୂଆଦିଲ୍ଲୀ : ଇରାନ ଉପରେ ଇସ୍ରାଏଲ କରିଥିବା ବିମାନ ଆକ୍ରମଣରେ  କେତେ ଲୋକଙ୍କ ମୃତ୍ୟୁ ହୋଇଛି ? ଇରାନର ଇସଲାମିକ ଗଣରାଜ୍ୟର ନୂଆଦିଲ୍ଲୀ ସ୍ଥିତ ଦୂତାବାସ ମଙ୍ଗଳବାର ପ୍ରେସ୍ ବିଜ୍ଞପ୍ତି ଜାରି କରି ଏହାର ସୂଚନା ଦେଇଛି। ଏଥିରେ ୧୩ ଜୁନରେ ଇରାନର ଆଞ୍ଚଳିକ ଅଖଣ୍ଡତା ଓ ରାଷ୍ଟ୍ରୀୟ ସାର୍ବଭୌମତ୍ୱର ଉଲ୍ଲଙ୍ଘନ କରିବା ନେଇ ଇସ୍ରାଏଲ ବିରୋଧରେ ଅଭିଯୋଗ କରାଯାଇଛି। ଦୂତାବାସ ଅନୁସାରେ, ଇସ୍ରାଏଲ ଇରାନର ଅନେକ ସ୍ଥାନ , ବିଶେଷ ରୂପେ ଆବାସୀୟ ଅଞ୍ଚଳରେ ସେନା ଆକ୍ରମଣ କରିଛି। ଏଥିରେ ମହିଳା ଓ ଶିଶୁଙ୍କ ସମେତ ୨୨୪ ଜଣ ନାଗରିକଙ୍କୁ ହତ୍ୟା କରାଯାଇଛି ଏବଂ ୧୨୫୭ଜଣ ଆହତ ହୋଇଛନ୍ତି। ଇରାନ ଏହି ସବୁ ହମଲାକୁ ଅନ୍ତରାଷ୍ଟ୍ରୀୟ ଆଇନ ଓ ସଂଯୁକ୍ତ ରାଷ୍ଟ୍ର ଚାର୍ଟରର ଅନୁଚ୍ଛେଦ ୨(୪)ର ସ୍ପଷ୍ଟ ଉଲ୍ଲଙ୍ଘନ ଭାବେ କହିଛି, ଯାହା କୌଣସି ଦେଶ ବିରୋଧରେ ଆକ୍ରମଣକୁ ରୋକିଥାଏ।

ଇରାନ ସଂଯୁକ୍ତ ରାଷ୍ଟ୍ର ଚାର୍ଟରର ଅନୁଚ୍ଛେଦ ୫୧ ଅନୁସାରେ ଆତ୍ମରକ୍ଷାରେ ଉଚିତ୍‌ ଜବାବ ଦେବାର ଅଧିକାର ସୁରକ୍ଷିତ ରଖିବା କଥା କହିଛି। ବିଜ୍ଞପ୍ତିରେ କୁହାଯାଇଛି ଯେ,ଯେବେ ଇରାନ ଆମେରିକା ସହ ପରମାଣୁ ମାମଲା ସହ ବିବାଦକୁ ସମାଧାନ ପାଇଁ କଥାବାର୍ତ୍ତା କରୁଥିଲା , ସେତେବେଳେ ଇସ୍ରାଏଲ ଏହି ହମଲା ଆରମ୍ଭ କରିଛି। ଇରାନ ସଂଯୁକ୍ତ ରାଷ୍ଟ୍ରର ସବୁ ଦେଶ ମାନଙ୍କ ଦ୍ୱାରା ଏହି ହମଲାକୁ ନିନ୍ଦା କରିବା ଓ ଇସ୍ରାଏଲର ଏହି ପଦକ୍ଷେପକୁ ରୋକିବା ପାଇଁ ତତ୍କାଳ ପଦକ୍ଷେପ ଉଠାଇବାକୁ ଦାବି କରିଛି। ଇରାନୀ ଦୂତାବାସର କହିବାନୁସାରେ,ଇସ୍ରାଏଲ ବୈଶ୍ୱିକ ଶାନ୍ତି ଓ ସୁରକ୍ଷାକୁ ଅଦ୍ଭୁତପୂର୍ବ ବିପଦରେ ପକାଇ ଦେଇଛି।

ଇରାନ ମଧ୍ୟ ଇସ୍ରାଏଲ ଉପରେ ପରମାଣୁ ଅସ୍ତ୍ର ବିକଶିତ କରିବା ଓ ଅନ୍ତରାଷ୍ଟ୍ରୀୟ ପରମାଣୁ ଶକ୍ତି ଏଜେନ୍ସି ( ଆଇଏଇଏ) ନିକଟରେ ଉତ୍ତରଦାୟୀ ନଥିବା ଅଭିଯୋଗ କରିଛି। ଏହାସହ , ଇସ୍ରାଏଲ ଉପରେ ଇରାନର ପରମାଣୁ ପ୍ରତିଷ୍ଠାନକୁ ଟାର୍ଗେଟ୍‌ କରିବା ଓ ବୈଜ୍ଞାନିକ ଓ ବିଶ୍ୱବିଦ୍ୟାଳୟର ପ୍ରଫେସରଙ୍କର ହତ୍ୟା କରିବାର ଦୋଷାରୋପ କରିଛି। ବିଜ୍ଞପ୍ତିରେ କୁହାଯାଇଛି ଯେ, ଜବାବୀ କାର୍ଯ୍ୟାନୁଷ୍ଠାନ ସ୍ତରରେ ଇରାନର ସଶସ୍ତ୍ର ସେନା ଗୁଡ଼ିକ ଆତ୍ମରକ୍ଷାର ଅନ୍ତରାଷ୍ଟ୍ରୀୟ ସିଦ୍ଧାନ୍ତ ଆଧାରରେ ଇସ୍ରାଏଲର ସାମରିକ ଠିକଣାକୁ ଟାର୍ଗେଟ୍‌ କରିଛି। ଇରାନ ଇସ୍ରାଏଲକୁ ପଶ୍ଚିମ ଏସିଆରେ ଅସ୍ଥିରତା ଓ ଯୁଦ୍ଧର ମୁଖ୍ୟ କାରଣ ଦର୍ଶାଇ କହିଛି ଯେ ,ଏହି ଶାସନ ନିଜର ପଡୋଶୀ ଉପରେ ଲଗାତାର ହମଲା କରିଥାଏ ଏବଂ ତାଙ୍କର ସାର୍ବଭୌମତ୍ୱର ଉଲ୍ଲଙ୍ଘନ କରିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.