ନେପାଳରେ ଦଙ୍ଗା : ଭିଡିଓ ଭାଇରାଲ ପରେ ମସଜିଦରେ ଭଙ୍ଗାରୁଜା, ସୀମା ସିଲ୍

NEWS7
heavy-rain-fall-in-april-month

କାଠମାଣ୍ଡୁ, ୦୬/୦୧ :ନେପାଳ ଅଶାନ୍ତ । ଭାରତ ସୀମାକୁ ଲାଗିଥିବା ନେପାଳର କିଛି ଅଞ୍ଚଳରେ ସାମ୍ପ୍ରଦାୟିକ ହିଂସା ଦେଖିବାକୁ ମିଳିଛି । ଯାହାକୁ ନେଇ ସୀମାରେ ହାଇ ଆଲର୍ଟ ଜାରି କରାଯାଇଛି । ପଡୋଶୀ ଦେଶର ପାର୍ସା ଜିଲ୍ଲାରେ ଥିବା ବୀରଗଞ୍ଜ୍ ସହରରେ ଘଟିଥିବା ହିଂସା ପାଇଁ ସୀମାରେ କଡା ଚେକିଂ ମଧ୍ୟ ହେଉଛି ।

ରିପୋର୍ଟ ଅନୁସାରେ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା । ଏହାକୁ ହାଇଦର ଅନସାରୀ ଏବଂ ଅମାନତ ଅନସାରୀ ସେୟାର କରିଥିଲେ । ଭିଡିଓରେ ଏକ ଧର୍ମକୁ ଆକ୍ଷେପ କରାଯାଇଥିବା ଦେଖିବାକୁ ମିଳିଥିଲା । ଫଳରେ ଦେଶର ଧନୁଶା ଏବଂ ପାର୍ସା ଜିଲ୍ଲାରେ ହିନ୍ଦୁ ଧର୍ମର ଲୋକେ ରାସ୍ତାକୁ ଓହ୍ଲାଇଥିଲେ । ତେବେ ଭିଡିଓ ସେୟାର କରିଥିବା ଦୁଇ ବ୍ୟକ୍ତିଙ୍କୁ ସେମାନେ ଧରି ପୋଲିସକୁ ଦେଇଥିଲେ ।

କିନ୍ତୁ ଏହି ସମୟରେ କାମାଲାର ସାଖୁଓ୍ୱା ମରନ ଜିଲ୍ଲାରେ ଏକ ମସଜିଦରେ ଭଙ୍ଗାରୁଜା କରାଯାଇଥିବା ଖବର ଆସିଥିଲା । ଏହାପରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକେ ରାସ୍ତାକୁ ଓହ୍ଲାଇଥିଲେ । ସେମାନେ ବିଭିନ୍ନ ଗାଡିମଟର ଏବଂ ବ୍ୟବସାୟିକ ପ୍ରତିଷ୍ଠାନରେ ଭଙ୍ଗାରୁଜା କରିଥିଲେ । ଏପରିକି ସ୍ଥାନୀୟ ପୋଲିସ ଷ୍ଟେସନରେ ମଧ୍ୟ ଆସବାବପତ୍ରକୁ ଫିଙ୍ଗି ଦେଇଛନ୍ତି ଦଙ୍ଗାକାରୀ । ଯାହା ଭୟଙ୍କର ରୂପ ନେବାକୁ ବସିଛି ।

ହିନ୍ଦୁ ସଙ୍ଗଠନର କହିବାନୁସାରେ, ଦୁଇ ଜଣ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ବ୍ୟକ୍ତି ଧର୍ମୀୟ ଭାବନାକୁ ଆଘାତ କରିବା ଭଳି ଭିଡିଓ ପୋଷ୍ଟ କରିଥିଲେ । ଏଥିରେ ଭଗବାନଙ୍କ ମୂର୍ତ୍ତିକୁ କଦର୍ଥ କରାଯାଇଥିଲା । ଯାହା ଗ୍ରହଣୀୟ ନୁହେଁ ।

ସେପଟେ ହିଂସାକୁ ନଜରରେ ରଖି ବୀରଗଞ୍ଜ ସହରରେ କର୍ଫ୍ୟୁ ଲାଗୁ କରାଯାଇଛି । ଭାରତୀୟ ସୀମା ସୁରକ୍ଷା ବଳ ମଧ୍ୟ ଘଟଣା ଉପରେ କଡା ନଜର ରଖିଛନ୍ତି। ସେପଟେ ସୀମାକୁ ସିଲ୍ କରାଯାଇଥିବା ବେଳେ ଗାଡି ମଟର ଚେକିଂକୁ ଜୋରଦାର କରାଯାଉଛି । ଜରୁରୀକାଳିନ ସେବା ବ୍ୟତୀତ ଅନ୍ୟ ଗାଡିମଟର ଚଳାଚଳ ଉପରେ ରୋକ୍ ଲାଗିଛି । କେବଳ ଆମ୍ବୁଲାନ୍ସକୁ ଛାଡିଦେଲେ ଅନ୍ୟ କାହାକୁ ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରାଇ ଦିଆଯାଉ ନାହିଁ ।