News7 Logo

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷାର ଆଲର୍ଟ, ୩ ଜିଲ୍ଲାକୁ ସତର୍କ ସୂଚନା

NEWS7
Weather_01

ଭୁବନେଶ୍ୱର ୦୪।୦୯ : ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ଫୁଲୁଛି । ବୈତରଣୀର ଜଳସ୍ତର ସତର୍କ ସଙ୍କେତ ଟପିଛି ।  ବ୍ରାହ୍ମଣୀ ଓ ସୁବର୍ଣ୍ଣରେଖା ନଦୀ ଜଳସ୍ତର ବି ବଢୁଛି । ମହାନଦୀ ଜଳସ୍ତର ୬୨୫.୯୭  ଫୁଟ ରହିଛି । ସେପଟେ ଗୁରୁବାର ପଶ୍ଚିମ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଭାରୀ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ଗୁରୁବାର ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରରେ ପ୍ରବଳ ବର୍ଷା ହୋଇପାରେ। ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁରପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ବରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି ସମେତ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି ।

ଶୁକ୍ରବାର ପଶ୍ଚିମ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଶନିବାର ଓ ରବିବାର ମଧ୍ୟ ଉପକୂଳ ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ବୁଧବାର ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଯାଜପୁରରେ ସର୍ବାଧିକ ୧୨୧ ମିମି ବର୍ଷା ଢାଳିଛି। ଚାନ୍ଦବାଲିରେ ୮୫.୬ମିମି, କେନ୍ଦୁଝରରେ ୩୬.୮, ସମ୍ବଲପୁରରେ ୩୫.୨, ବାରିପଦାରେ ୩୩.୨, ପାରଳାଖେମୁଣ୍ଡିରେ ୨୮, ମାଲକାନଗିରିରେ ୧୨.୪, ରାୟଗଡ଼ାରେ ୧୪.୪ ମିମି ବର୍ଷା ହୋଇଛି। ନିର୍ଧୁମ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି।

ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି, ବୈତରଣୀ ନଦୀ ଜଳସ୍ତର ଆଖୁଆପଦାରେ ସତର୍କ ସଙ୍କେତ ଉପରେ ରହିଛି। ସୁବର୍ଣ୍ଣରେଖାରେ ମଧ୍ୟ ବିପଦ ସଙ୍କେତର ୪ ମିଟର ତଳେ ଜଳ ପ୍ରବାହିତ ହେଉଛି। କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ । ୧୬ଟି ବ୍ଲକ୍‌ରେ ୫୦ ମିମି ରୁ ଅଧିକ ବର୍ଷା ହେଲେ ବି ବନ୍ୟା ସ୍ଥିତି ସୃଷ୍ଟି ହେବନି। ହୀରାକୁଦରେ ୬ଟି ଓ ରେଙ୍ଗାଲିରେ ଗୋଟିଏ ଫାଟକ ଖୋଲା ରହିଛି। ଲଗାଣ ବର୍ଷାରେ ତଳିଆ ଅଞ୍ଚଳରେ ପାଣି ଜମୁଛି । ବର୍ଷା କମିଲେ ପାଣି କମିଯିବ ବୋଲି ସେ କହିଛନ୍ତି।