ଭୁବନେଶ୍ୱର ୨୧।୦୯ : ଆଗକୁ ଆସୁଛି ଦୁଇ ଦୁଇଟି ଲଘୁଚାପ। ତେଣୁ ବର୍ଷାରେ ଭିଜିବ ଶହରା। ନବମୀ ଦଶମୀରେ ବର୍ଷିବ। ପ୍ରଥମ ଲଘୁଚାପ ୨୫ ତାରିଖ ବେଳକୁ ଏବଂ ଦିତୀୟ ଲଘୁଚାପ ଅକ୍ଟୋବର ପ୍ରଥମ ସପ୍ତାହରେ ସମ୍ଭାବନା ଅଛି। ତେବେ ଅକ୍ଟୋବର ୧୦ ଯାଏ ରାଜ୍ୟରେ ବାତ୍ୟା ସମ୍ଭାବନା ନଥିବା ପାଣିପାଗ ବିଶେଷଜ୍ଞ ସ୍ପଷ୍ଟ କରିଛନ୍ତି।

ସୂଚନା ଅନୁସାରେ ଆସନ୍ତା ୨୪- ୨୫ ତାରିଖ ଆଡ଼କୁ ପୂର୍ବ କେନ୍ଦ୍ରୀୟ ଓ ସଲଂଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବ। ଏହା ପ୍ରଭାବରେ ଦକ୍ଷିଣ, ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହା ତିନି ଦିନ ପର୍ଯ୍ୟନ୍ତ ଲାଗି ରହିବ। ଏହି ସମୟରେ ବିଜୁଳି ସହ ଘଡଘଡି ହୋଇପାରେ। ତେଣୁ ଚାଷୀ କ୍ଷେତରେ କାମ କରୁଥିଲେ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି। ମୌସୁମୀ ସମ୍ପୂର୍ଣ ଫେରି ନଥିବାରୁ ୨୮ ତାରିଖ ପରେ ବି ବର୍ଷା ଲାଗିରହିବ ବୋଲି ଅନୁମାନ କରାଯାଉଛି। ଏହାଛଡ଼ା ଅକ୍ଟୋବର ୧୦ ଯାଏ ଓଡ଼ିଶାକୁ ବାତ୍ୟା ଭୟ ନଥିବା ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ। ସେପ୍ଟେମ୍ବରରେ ଲଘୁଚାପ ନଥିବା ବେଳେ ଅକ୍ଟୋବର ୩ ତାରିଖ ବେଳକୁ ଆଉ ଗୋଟିଏ ଲଘୁଚାପ ଆସିପାରେ ବୋଲି ନାସା, କଲମ୍ବିଆ ୟୁନିଭରସିଟି ଭଳି କିଛି ମଡେଲ ଆକଳନ କରୁଛନ୍ତି।