ଟ୍ରମ୍ପ ପୁଣି ଦୋହରାଇଲେ ମୁଁ ଅଟକାଇଥିଲି ଭାରତ-ପାକ୍ ଯୁଦ୍ଧ, ୧୧ ଫାଇଟର ଜେଟ୍ ହୋଇଥିଲା ନଷ୍ଟ

NEWS7
health-minister-jp-nadda-briefed-the-lok-sabha-on-friday-about-the-cancer-patients-and-the-measures-taken-to-treat-the-disease

ୱାସିଂଟନ ୨୦।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଦାବି କରିଛନ୍ତି ଯେ ୨୦୨୫ ଭାରତ-ପାକ ଯୁଦ୍ଧରେ ଉତ୍ତେଜନା ହ୍ରାସ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ତେବେ ନୂଆଦିଲ୍ଲୀ ଆଗରୁ ଏହି ଦାବିକୁ ସ୍ପଷ୍ଟ ଖାରଜ କରିଥିଲା ଓ କହିଥିଲା ଏହି ମାମଲା ଦୁଇ ଦେଶଙ୍କ ମଧ୍ୟରେ ସମାଧାନ ହୋଇଛି। ଏଥିରେ କୌଣସି ତୃତୀୟ ପକ୍ଷର ମଧ୍ୟସ୍ଥତା ନଥିଲା। ଏହା ସତ୍ତ୍ୱେ ଟ୍ରମ୍ପ ଲଗାତାର ଏହି ପ୍ରସଙ୍ଗରେ ନିଜକୁ ଶାନ୍ତି ସ୍ଥାପିତ କରିଥିବା ନେତା ଭାବେ ଦାବି କରିଆସୁଛନ୍ତି।

ନିକଟରେ ୱାସିଂଟନରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଟ୍ରମ୍ପ ପୁଣି ଥରେ କହିଛନ୍ତି ଯେ ଦୁଇ ପରମାଣୁ ଶକ୍ତି ସମ୍ପନ୍ନ ପଡୋଶୀଙ୍କ ମଧ୍ୟରେ ବଢୁଥିବା ସଂଘର୍ଷକୁ ରୋକିବା ଲାଗି ସେ ବ୍ୟକ୍ତିଗତ ରୂପେ ହସ୍ତକ୍ଷେପ କରିଥିଲେ। ଏଥର ତାଙ୍କ ଦାବିରେ ଏକ ନୂଆ କଥା ଯୋଡି ହୋଇଯାଇଛି। ତାହା ହେଉଛି ଏହି ଯୁଦ୍ଧକାଳରେ ମୋଟ ୧୧ଟି ଯୁଦ୍ଧବିମାନ କ୍ଷତିଗ୍ରସ୍ତ ହୋଇଥିବା ଟ୍ରମ୍ପ କହିଛନ୍ତି। ଏହି ସଂଖ୍ୟା ତାଙ୍କ ପୂର୍ବ ବୟାନମାନଙ୍କରୁ ସମ୍ପୂର୍ଣ୍ଣ ଅଲଗା। କାରଣ ସେ ପ୍ରଥମେ କେବଳ ୫ଟି ଯୁଦ୍ଧବିମାନ ନଷ୍ଟ ହୋଇଥିବା କହିଥିଲେ। ପରେ ଏହାକୁ ବଢାଇ ୭, ୮ ଓ ୧୦ କରିଥିଲେ ଏବେ ଏହାକୁ ୧୧ ବୋଲି କହିଛନ୍ତି।

ତେବେ ସେ ଏହା ସ୍ପଷ୍ଟ କରି ନାହାନ୍ତି ଯୁଦ୍ଧରେ କେଉଁ ଦେଶର କେତୋଟି ବିମାନ ନଷ୍ଟ ହୋଇଛି । ଟ୍ରମ୍ପ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ ‘ମୁଁ ଯେତେବେଳେ ଅନୁଭବ କଲି ଏହି ଯୁଦ୍ଧ ଯୋଗୁ ଭୀଷଣ ଆର୍ଥିକ କ୍ଷତି ହୋଇପାରେ ସେତେବେଳେ ତୁରନ୍ତ ହସ୍ତକ୍ଷେପ କରିବାକୁ ନିଷ୍ପତ୍ତି ନେଇଥିଲି’। ସେ କହିଛନ୍ତି ଯେ ମୁଁ ଦୁଇ ଦେଶର ନେତାଙ୍କ ସହ ସିଧା ଟେଲିଫୋନରେ କଥା ହୋଇଥିଲି ଓ ସେମାନଙ୍କୁ ସଂଘର୍ଷ ସମାପ୍ତ କରିବାକୁ ରାଜି କରାଇଥିଲି। ଟ୍ରମ୍ପଙ୍କ ଅନୁସାରେ ସେ ଏହି ସଂକେତ ବି ଦେଇଥିଲେ ଯେ ଯଦି ଉତ୍ତେଜନା ହ୍ରାସ ନ ହୁଏ ଆମେରିକା ସହିତ ବ୍ୟାପାରିକ ସମ୍ପର୍କ ଉପରେ ପ୍ରଭାବ ପଡିପାରେ। ତାଙ୍କ କହିବା କଥା ହେଉଛି ତାଙ୍କର ଏହି ଆଭିମୁଖ୍ୟ ପରେ ଦୁଇ ଦେଶ ପଛକୁ ହଟି ଯାଇଥିଲେ।

ଟ୍ରମ୍ପ ତାଙ୍କ ବୟାନରେ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ଭାରତର ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ଆଲୋଚନା ହୋଇଥିଲା। ଟ୍ରମ୍ପ ଦାବି କରିଛନ୍ତି ଯେ ଏହି କଥାବାର୍ତ୍ତା ପରେ ପରିସ୍ଥିତିରେ ସକରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ତେବେ ଭାରତ ସରକାର ଲଗାତାର ଏହା ସ୍ପଷ୍ଟ କରିଆସୁଛନ୍ତି ଯେ ଯୁଦ୍ଧକାଳରେ କୌଣସି ବାହ୍ୟ ଦେଶଙ୍କ ମଧ୍ୟସ୍ଥତା ସ୍ୱୀକାର କରାଯାଇ ନଥିଲା। ଟ୍ରମ୍ପଙ୍କ ଏହି ବୟାନ ଏବେ ପୁଣି ଥରେ କୂଟନୈତିକ ମହଲରେ ଚର୍ଚ୍ଚାକୁ ଜନ୍ମ ଦେଇଛି। ଯେଉଁଥିରେ ଟ୍ରମ୍ପ ତାଙ୍କ ହସ୍ତକ୍ଷେପକୁ ନିର୍ଣ୍ଣାୟକ କହୁଥିବା ବେଳେ, ଭାରତ ନିଜର ଅଭିମୁଖ୍ୟରେ ଦୃଢ ରହିଛି। ଏଣୁ ଏହି ପ୍ରସଙ୍ଗ ଏବେବି ରାଜନୈତିକ ଓ କୂଟନୈତିକ ବିତର୍କର ବିଷୟ ହୋଇ ରହିଛି।

ଏହା ବି ପଢନ୍ତୁ :-