ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ICU ସେବାର ଶୁଭାରମ୍ଭ କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ହସ୍ପିଟାଲରେ ୬ଟି ICU ବେଡ୍ ବ୍ୟବସ୍ଥା କରାଯାଇଛି। ଏଥି ସହ ବନ୍ଦ ହୋଇ ପଡ଼ିଥିବା ମଙ୍ଗଳବଜାର ହସ୍ପିଟାଲକୁ ଖୁବ୍ ଶୀଘ୍ର ସାଟେଲାଇଟ୍ ହସ୍ପିଟାଲ ଭାବେ ଖୋଲାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ। ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ICU ସେବାର ଶୁଭାରମ୍ଭ ଅବସରରେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ବିଧାୟକ ଟଙ୍କଧର ତ୍ରିପାଠୀ, ଜିଲ୍ଲାପାଳ, ସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଆହୁରି ମଧ୍ୟ ଶନିବାର ଏହି ଅବସରରେ ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠାନ ସଭାଗୃହରେ ମାତୃ ମୃତ୍ୟୁହାର ହ୍ରାସ ଓ ଶିଶୁ ମୃତ୍ୟୁହାର ହ୍ରାସ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିଲ୍ଲାର ଆଶା କର୍ମୀ, ମହିଳା ସ୍ବାସ୍ଥ୍ୟ କର୍ମୀ ତଥା ସ୍ବାସ୍ଥ୍ୟ କେନ୍ଦ୍ରକୁ ପୁରସ୍କୃତ କରାଯାଇଛି।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ତଥା ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଯୋଗଦେଇ ଆଶା କର୍ମୀ ତଥା ସ୍ବାସ୍ଥ୍ୟ କର୍ମୀଙ୍କ ସେବା ପ୍ରଶଂସନୀୟ ବୋଲି ମତ ଦେବା ସହ ଗ୍ରାମାଞ୍ଚଳ ତଥା ସ୍ବାସ୍ଥ୍ୟ ଉପକେନ୍ଦ୍ର (ଆୟୁଷ୍ମାନ ଆରୋଗ୍ୟ ମନ୍ଦିର)ରେ ମିଳୁଥିବା ସମସ୍ତ ୧୨୦ ପ୍ରକାର ଔଷଧର ସୁବିଧା ନେବାକୁ ଲୋକଙ୍କୁ ଜଣାନ୍ତୁ ବୋଲି କହିଥିଲେ।
ଅନ୍ୟତମ ଅତିଥି ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇ ମାଆ ଓ ମାତୃଭୂମି ସେବାର ବିକଳ୍ପ ନାହିଁ । ଏଣୁ ଯେଉଁମାନେ ମାଆ ଓ ଶିଶୁ ସୁରକ୍ଷା କରୁଛନ୍ତି, ସେମାନେ ଜଣେ ଜଣେ ସେବକ ଆଉ ସେବାର ବିକଳ୍ପ ନାହିଁ । ସେହିପରି ଅନ୍ୟତମ ଅତିଥି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଯୋଗଦେଇ ଆଶା,ସ୍ବାସ୍ଥ୍ୟକର୍ମୀ ତଥା ସ୍ବାସ୍ଥ୍ୟ ବିଭାଗ କର୍ମକର୍ତ୍ତାଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ଜିଲ୍ଲାପାଳ ଅବୋଳି ସୁନିଲ ନରୱାଣେ ସ୍ବାଗତ ଅଭିଭାଷଣ ଦେବା ସହ ମାତୃ ମୃତ୍ୟୁହାର ଓ ଶିଶୁ ମୃତ୍ୟୁହାରର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମହେଶ ମୋହନ ପଣ୍ଡା ମାତୃ ମୃତ୍ୟୁହାର ଓ ଶିଶୁ ମୃତ୍ୟୁହାରରେ ଜିଲ୍ଲାର ସ୍ଥିତି ଉପରେ ପାୱାର ପଏଣ୍ଟ ମାଧ୍ୟମରେ ଆଲୋଚନା କରିଥିଲେ।