ଭବିଷ୍ୟତରେ ସମସ୍ତଙ୍କୁ ମିଶି କଳିକେଶଙ୍କୁ ସାମ୍ନାକୁ ଆଣିବାକୁ ପଡିବ କହିଲେ ଦିବ୍ୟଶଙ୍କର, ଏହା ଭବିଷ୍ୟତ କଥା କହି ଏଡାଇ ଦେଲେ କଳିକେଶ

NEWS7
head-master-on-vigilance-net-in-umerkote

ବଲାଙ୍ଗିର ୨୮।୧: ବଲାଙ୍ଗିର ଗସ୍ତରେ ଆସି କଳିକେଶ ନାରାୟଣ ସିଂହଦେଓଙ୍କୁ ରାଜ୍ୟ ନେତୃତ୍ୱ ଦେବା ନେଇ ଦାବି କଲେ ଜୁନାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର । କଳିକେଶ ଜଣେ ଡାଇନାମିକ ଲିଡର । ସେ ପ୍ରଗତିଶୀଳ ବ୍ୟକ୍ତିତ୍ଵ । ସ୍ୱର୍ଗତ ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ ମୁଖ୍ୟମନ୍ତ୍ରୀ ହୋଇପାରିଥିଲେ । ସେହିଭଳି ଭବିଷ୍ୟତରେ ସମସ୍ତଙ୍କୁ ମିଶି କଳିକେଶଙ୍କୁ ମଧ୍ୟ ସାମ୍ନାକୁ ଆଣିବାକୁ ପଡିବ । ବଲାଙ୍ଗିର, କଳାହାଣ୍ଡି, ପଶ୍ଚିମାଞ୍ଚଳ ତାଙ୍କୁ ସମର୍ଥନ କରୁଛି । ଆଗକୁ ସମ୍ପୂର୍ଣ୍ଣ ରାଜ୍ୟ ବି ଗ୍ରହଣ କରିବ । ରାଜନୀତି କ୍ଷେତ୍ରରେ ତାଙ୍କର ପାରିବାରିକ ପତିଆରା ବି ରହିଛି । ତେଣୁ ବଲାଙ୍ଗିରକୁ ଏବଂ କଳିକେଶଙ୍କୁ ପୁଣି ଥରେ ରାଜ୍ୟ ନେତୃତ୍ବ ମିଳିବା କଥା ବୋଲି ବଲାଙ୍ଗିର ଗାନ୍ଧି ଷ୍ଟାଡିୟମ ଠାରେ ଅନୁଷ୍ଠିତ ସ୍ବର୍ଗତ ମହାରାଜ ରାଜେନ୍ଦ୍ର ନାରାୟଣ ସିଂହଦେଓ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।

ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦିବ୍ୟଶଙ୍କର ମିଶ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନୀ ସଭାରେ କହିଥିଲେ, ଅତୀତରେ ଡୁନ ସ୍କୁଲରୁ ଆରମ୍ଭ କରି ଷ୍ଟିଫେନ କଲେଜ, ଦିଲ୍ଲୀ ବିଶ୍ଵବିଦ୍ୟାଳୟ ଏବଂ ପରେ ଯୁବ ବିଧାୟକ ଏବଂ ସାଂସଦ ଭାବରେ ସେ ଅନେକ କାର୍ଯ୍ୟ କରିଛନ୍ତି । ତାଙ୍କ ପାଖରେ ଯୁବ ତେଜସ୍ବୀ ଏବଂ ପ୍ରଗତିଶୀଳ ନେତୃତ୍ୱ ନେବାର ଦକ୍ଷତା ଅଛି । ତେଣୁ ତାଙ୍କୁ ରାଜ୍ୟ ନେତୃତ୍ଵ ଦେବାରେ କିଛି ସମସ୍ୟା ନାହିଁ ବୋଲି ଦିବ୍ୟଶଙ୍କର କହିଥିଲେ ।

ସେପଟେ, କଳିକେଶ ଏହା ଭବିଷ୍ୟତ କଥା କହି ଏଡାଇ ଦେଇଥିଲେ । ସବୁବେଳେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ସଂଗଠିତ ହୋଇ କାମ ହେବ । ତେଣୁ ସମସ୍ତେ ମିଶି କେମିତି ବଲାଙ୍ଗିର, ପଶ୍ଚିମ ଓଡ଼ିଶା ଏକ ଏବଂ ଓଡ଼ିଶାର ବିକାଶ କରିବା ସେଥିପ୍ରତି ବେଶୀ ଚିନ୍ତା କରିବା କଥା ବୋଲି ସେ କହିଥିଲେ । ପ୍ରାୟ ସମୟରେ ନବୀନ ପଟ୍ଟନାୟକଙ୍କ ନଜରରେ ପଶ୍ଚିମ ଓଡ଼ିଶା ସ୍ବତନ୍ତ୍ର ଫୋକସ୍ ପାଇଥାଏ । ତେଣୁ ବିଜେଡି ସବୁବେଳେ ପଶ୍ଚିମ ଓଡ଼ିଶାକୁ ସ୍ବତନ୍ତ୍ର ଧ୍ୟାନ ଦିଏ ଏବଂ ଦେଉଛି ବୋଲି କହିଥିଲେ କଳିକେଶ ।